୩ ମୃତ, ଜଣେ ସଙ୍କଟାପନ୍ନ

ବାଣ ଗୋଦାମରେ ବିସ୍ଫୋରଣ
ଜଗତସିଂହପୁର/ତିର୍ତ୍ତୋଲ,୨୮ ।୨(ଆପ୍ର): ମଙ୍ଗଳବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଚ୍ଛାପୁର ପଞ୍ଚାୟତସ୍ଥିତ ସରକାରୀ ପଞ୍ଜୀକୃତ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୩ ଜଣଙ୍କ ମୃତୁ୍ୟ ଘଟିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ବାଣ କାରଖାନା ମାଲିକ ବଡାଘର ଗ୍ରାମର ସୁଶାନ୍ତ କୁମାର ପୃଷ୍ଟି, ବଡାଘର ଗ୍ରାମର ଦିଲ୍ଲିପ କୁମାର ମହାନ୍ତି (୪୫) ଓ ଗୋପାଳପୁର ଗ୍ରାମର ବୁଲୁ ଦାସ(୪୬) । ଆହତ ବ୍ୟକ୍ତିି ହେଉଛନ୍ତି ବଡ଼ାଘର ଗାଁର ଦୀନବନ୍ଧୁ ଦାସ । ପ୍ରାୟ ୪୦ବର୍ଷ ହେଲା ଇଚ୍ଛାପୁର ପଞ୍ଚାୟତ ବଡାଘର ଗ୍ରାମର ସୁଶାନ୍ତ କୁମାର ପୃଷ୍ଟି ଓ ତାଙ୍କ ପରିବାର
ବାଣ ବ୍ୟବସାୟ କରିଆସୁଛନ୍ତି । ସେ ବାଣ ପ୍ରସ୍ତୁତ କରି ବିକ୍ରୟ କରନ୍ତି । ଏଥି ପାଇଁ କିଛି ଶ୍ରମିକଙ୍କୁ ନିଯୁକ୍ତ କରିଥିଲେ । ମଙ୍ଗଳବାର ଦିଲ୍ଲୀପ କୁମାର ମହାନ୍ତି, ବୁଲୁ ଦାସ, ଦୀନବନ୍ଧୁ ଦାସଙ୍କ ସମେତ ୪ ଜଣଙ୍କୁ ଧରି ସୁଶାନ୍ତ ବାଣ ପ୍ରସ୍ତୁତ କରୁଥିଲେ । ମଧ୍ୟାହ୍ନରେ ସମୟରେ ୫ଜଣଙ୍କ ମଧ୍ୟରେ ଜଣେ କୌଣସି କାରଣରୁ ଗୋଦାମ ବାହାରକୁ ଯାଇଥିଲେ । ଦିନ ପ୍ରାୟ ଗୋଟାଏ ସମୟରେ ଅଚାନକ ବିସ୍ଫୋରଣ ଘଟିଥିଲା । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଗୋଦାମର ଆଜବେଷ୍ଟସ୍ ଉଡିବା ସହିତ ଦିଲ୍ଲୀପ ଓ ବୁଲୁ ଉଡ଼ି ଯାଇ ଗୋଦାମ ପଛ ପଟ ପୋଖରୀରେ ପଡ଼ିଥିଲେ । ଦୁହିଁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଖିନ୍ଭିନ୍ ହୋଇ ପଡ଼ିଥିଲା । ସୁଶାନ୍ତ ଗୋଦାମର ଭଙ୍ଗା କାନ୍ଥ ତଳେ ରହି ଯାଇଥିଲେ । ଦୀନବନ୍ଧୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗୋଦାମରେ ପଡ଼ି ରହିଥିଲେ । ଗୋଦାମ ନିକଟରେ ଥିବା ନଡ଼ା ଗଦା ଓ ଘର ମଧ୍ୟ ହୁତୁହୁତୁ ହୋଇ ଜଳିଥିଲା । ବିସ୍ପୋରଣ ଶଦ୍ଦ ବହୁ ଦୂରକୁ ଶୁଣାଯାଇଥିଲା । ଶବ୍ଦ ଶୁଣି ଓ ନିଆଁକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଭୟଙ୍କର ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ । ବାଲିକୁଦା ଥାନା ଓ ଦମକଳ କେନ୍ଦ୍ରକୁ ଫୋନ କରାଯିବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ୨ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ଦୁହିଁଙ୍କୁ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିôଲା । ସୁଶାନ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ଦୀନବନ୍ଧୁଙ୍କର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ପ୍ରକାଶ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଭୟଙ୍କର ଶଦ୍ଦ କିଛି ସମୟ ପାଇଁ ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ।
ଖବର ପାଇ ଜଗତସିଂହପୁର ଏସ୍ପି ରାହୁଲ ପିଆର୍, ଉପଜିଲ୍ଲାପାଳ ଧର୍ମେଦ୍ର ମଲ୍ଲିକ, ଏସ୍ଡିପିଓ, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ବାଲିକୁଦା ବିଡିଓ, ତହସିଲଦାର, ବାଲିକୁଦା ଆଇଆଇସି, ଏକ ପ୍ଲାଟୁନ ପୁଲିସ ସହିତ ପହଞ୍ଚି ଥିଲେ । ଉକ୍ତ ଗୋଦାମରେ ଥିବା ପାଖାପାଖି ୨୫ଲକ୍ଷ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ପାଉଁଶ ହୋଇଯିବା ସହିତ ଗୋଦାମ ଧ୍ୱଂସ ପାଇ ଯାଇଛି । ବିସ୍ପୋରଣର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ତେବେ ବିସ୍ଫୋରକ ସାମଗ୍ରୀ ଓ ବାଣରେ କୌଣସି କାରଣରୁ ନିଆଁ ଲାଗି ସବୁ ଛାରଖାର୍ ହୋଇଯାଇଥିବା ସନେ୍ଦହ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *