ରାଜ୍ୟପାଳଙ୍କୁ ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ

ନୂଆଦିଲ୍ଲୀ, ୨୮ା୨: ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ସହ ମୁକାବିଲା ଜାରି ରହିଥିବାବେଳେ ମାର୍ଚ୍ଚ ୩ ତାରିଖ ଦିନ ବିଧାନସଭାର ବଜେଟ୍ ଅଧିବେଶନ ଡକାଯାଇଛି । ମାର୍ଚ୍ଚ ୩ରେ ଅଧିବେଶନ ଡକାଯାଇପାରିବ ନାହିଁ ବୋଲି ରାଜ୍ୟପାଳ ବନୱାରିଲାଲ ପୁରୋହିତ ପୂର୍ବରୁ ଦେଇଥିବା ଫୈସଲା ବିରୋଧରେ ସୁପ୍ରିମ୍କୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି ମଙ୍ଗଳବାର ହୋଇଛି । ସୁପ୍ରିମ୍କୋର୍ଟ କହିଛନ୍ତି, ପଞ୍ଜାବ ସରକାର ରାଜ୍ୟପାଳ ମାଗିଥିବା ତଥ୍ୟ ଯୋଗାଇବାକୁ ବାଧ୍ୟ । ସେହିପରି ରାଜ୍ୟପାଳ ବିଧାନସଭା ଅଧିବେଶନ ଡକାଯିବା ସମ୍ବନ୍ଧରେ କ୍ୟାବିନେଟ୍ର ସୁପାରିସ ଗ୍ରହଣ କରିବା ପାଇଁ କର୍ତ୍ତବ୍ୟବଦ୍ଧ । ରାଜ୍ୟପାଳଙ୍କ ତରଫରୁ ସୁପ୍ରିମ୍କୋର୍ଟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ପିଏସ୍ ନରସିଂହାଙ୍କ ନ୍ୟାୟପୀଠଙ୍କୁ କହିଥିଲେ ଯେ ୩ ତାରିଖ ଦିନ ବିଧାନସଭା ଅଧିବେଶନ ଡାକିବା ଲାଗି ରାଜ୍ୟପାଳ ଏବେ ରାଜି ହୋଇଥିବା ଦୃଷ୍ଟିରୁ ପଞ୍ଜାବ ସରକାରଙ୍କ ପିଟିସନ୍ର କୌଣସି ଗୁରୁତ୍ୱ ନାହିଁ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଗତ ସପ୍ତାହରେ ତେଜି ଥିଲା । ରାଜ୍ୟପାଳ ସଙ୍କେତ ଦେଇଥିଲେ ଯେ ବଜେଟ୍ ଅଧିବେଶନ ଏତେଶୀଘ୍ର (ମାର୍ଚ୍ଚ ୩) ଡକାଯିବାର ଆବଶ୍ୟକତା ନାହିଁ । ଏହି ମର୍ମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ପଠାଇଥିଲେ । ସେଥିରେ ରାଜଭବନ ପକ୍ଷରୁ ପୂର୍ବରୁ ପ୍ରଦତ୍ତ ପତ୍ର ଉପରେ ଅପମାନଜନକ ପ୍ରତିକ୍ରିୟା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା ।
ରାଜ୍ୟପାଳ ଫେବ୍ରୁଆରୀ ୧୩ ତାରିଖ ଦିନ ପଠାଇଥିବା ପତ୍ରରେ ନିକଟରେ ସିଙ୍ଗାପୁରରେ ଆୟୋଜିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍କୁଲ୍ର ୩୬ ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷକ ଚୟନ ପ୍ରକ୍ରିୟା ଉପରେ ବ୍ୟାଖ୍ୟା କରିବା ଲାଗି କହିଥିଲେ । ସେହି ପତ୍ରରେ ଆହୁରି ଅନେକ ପ୍ରସଙ୍ଗ ଉଠାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *