ସିସୋଦିୟା-ସତ୍ୟେନ୍ଦ୍ରଙ୍କ ଇସ୍ତଫା
ନୂଆଦିଲ୍ଲୀ, ୨୮ା୨: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁହିଁଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ମନ୍ତ୍ରିପଦରୁ ଇସ୍ତଫା ଦେଇଥିବା ଦୁଇ ନେତା ଭିନ୍ନ ଭିନ୍ନ ମାମଲାର ଅଭିଯୁକ୍ତ । ବିଭିନ୍ନ ଘୋଟାଲାରେ ଅଭିଯୁକ୍ତ ମନ୍ତ୍ରୀମାନଙ୍କ ଇସ୍ତଫା ପାଇଁ କେଜରିୱାଲଙ୍କ ଉପରେ ବିଜେପି ଓ ଅନ୍ୟ ଦଳମାନେ ଚାପ ପକାଇ ଆସୁଥିଲେ । ସୁପ୍ରିମ କୋର୍ଟରେୁ ସିସୋଦିୟାଙ୍କୁ ଝଟ୍କା ଲାଗିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ଦୁଇ ଅଭିଯୁକ୍ତ ନେତାଙ୍କଠାରୁ ଇସ୍ତଫା ପତ୍ର ମଗାଇବାକୁ ବାଧ୍ୟ ହେଲେ ବୋଲି କୁହାଯାଉଛି । ଚଳିତବର୍ଷ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେହି ସବୁ ରାଜ୍ୟରେ ଆପ୍ ପ୍ରାର୍ଥୀ ଦେବାକୁ ଯୋଜନା କରୁଛି । ତେଣୁ ଦଳର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ସିସୋଦିୟା ଓ ସତ୍ୟେନ୍ଦ୍ରଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଗଲା ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ।
ଦୁଇ ଆମ୍ ଆଦ୍ମୀ ପାର୍ଟି ନେତାଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଅବକାରୀ ଘୋଟାଲାରେ ସମ୍ପୃକ୍ତି ନେଇ ସିସୋଦିୟା ଏବେ ସିବିଆଇ ରିମାଣ୍ଡରେ ଅଛନ୍ତି । ସତ୍ୟେନ୍ଦ୍ର ଜୈନ ୯ ମାସ ହେଲା ଧନଶୋଧନ ମାମଲାରେ ତିହାଡ଼ ଜେଲ୍ରେ ଅଛନ୍ତି । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ସିବିଆଇ ସତ୍ୟେନ୍ଦ୍ରଙ୍କୁ ଜେଲ୍ ଭିତରେ ଜେରା କରିଥିଲା । ଦିଲ୍ଲୀ ସରକାରଙ୍କ ମୋଟ ୩୩ ବିଭାଗ ମଧ୍ୟରୁ ୧୮ ବିଭାଗ ଦାୟିତ୍ୱରେ ଥିଲେ ସିସୋଦିୟା । ସେହିପରି ସତେନ୍ଦ୍ର ଜୈନଙ୍କ ପାଖରେ ଥିଲା ସ୍ୱାସ୍ଥ୍ୟ, ଉଦ୍ୟୋଗ, ବିଦୁ୍ୟତ, ଗୃହ, ଜଳସେଚନ, ବନ୍ୟା ନିୟନ୍ତ୍ରଣ ଆଦି ଅନେକ ବିଭାଗ । ସେ ଜେଲ୍ ଯିବାରେ ବିଭାଗଗୁଡ଼ିକ ସିସୋଦିୟାଙ୍କ ଅଧୀନକୁ ଆସିଥିଲା । ସୂତ୍ର ଅନୁଯାୟୀ, ଏହି ବିଭାଗ ଗୁଡ଼ିକ ଦାୟିତ୍ୱରେ ରହିବେ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଓ ସମାଜ କଲ୍ୟାଣ ମନ୍ତ୍ରୀ ରାଜକୁମାର ଆନନ୍ଦ । ସିବିଆଇ ସିସୋଦିୟାଙ୍କୁ ରବିବାର ଗିରଫ କରିଥିଲା । ସୋମବାର ଦିଲ୍ଲୀର ଏକ ଅଦାଲତଙ୍କ ଅନୁମତିକ୍ରମେ ସିବିଆଇ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି । ଏହା ବିରୋଧରେ ସିସୋଦିୟାଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ସୁପ୍ରିମ କୋର୍ଟ ଜଷ୍ଟିସ୍ ପିଏସ୍ ନରସିଂହା ଆବେଦନକୁ ଅଗ୍ରାହ୍ୟ କରି କହିଛନ୍ତି, ସିସୋଦିୟାଙ୍କ ପାଖରେ ଜାମିନ ପାଇଁ ବହୁ ବିକଳ୍ପ ଅଛି । ସେ ଦିଲ୍ଲୀ ହାଇକୋର୍ଟ ନ ଯାଇ ସିଧା ସୁପ୍ରିମ କୋର୍ଟ ଆସିବା ଠିକ୍ ନୁହେଁ । ଏ ମାମଲାରେ ସୁପ୍ରିମ କୋର୍ଟ କୌଣସି ହସ୍ତକ୍ଷେପ କରିପାରିବ ନାହିଁ ।