ଟ୍ରକ୍ ଦୁର୍ଘଟଣାରେ ୭ ମୃତ
ଧର୍ମଶାଳା/ ବଡ଼ଚଣା, ୨୫ା୨(ଆପ୍ର): ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ନେଉଳପୁର ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଶନିବାର ଭୋର ସମୟରେ ରାସ୍ତା ପାଶ୍ୱର୍ରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ ପଛରେ ଏକ ଆଇସର ଗାଡି ଧକ୍କା ହେବା ଫଳରେ ଡ୍ରାଇଭର ସମେତ ୭ ଜଣଙ୍କ ଶୋଚନୀୟ ମୃତୁ୍ୟ ଘଟିଛି ।
ଫୁଲନଖରାରୁ କୁକୁଡା ନେବା ପାଇଁ ପଶ୍ଚିମବଙ୍ଗର ଚବିଶପ୍ରଗଣା ଜିଲ୍ଲାରୁ ଏକ ଅଇସର ଗାଡି ଡ୍ଲୁବି-୨୫-ଏଲ-୩୧୮୩ନଂରେ ଡ୍ରାଇଭର ସମେତ ୭ ଜଣ ଲୋକ ଆସିଥିଲେ । ତେବେ ଶନିବାର ଭୋର ୫ଟାରେ ୧୬ନଂ ଜାତୀୟ ରାଜପଥର ନେଉଳପୁର ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ପୂର୍ବରୁ ରାସ୍ତା ପାଶ୍ୱର୍ରେ ଛିଡା ହୋଇ ରହିଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ ପଛ ପଟେ ଧକ୍କା ହୋଇଥିଲା । ଫଳରେ ଆଇଚର ଗାଡି ଭିତରେ ବସିଥିବା ଡ୍ରାଇଭର ସମେତ ୬ ଜଣଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀର କର୍ମଚାରୀମାନେ ସେଠାରେ ପହଁଚି ଆଇଚର ଗାଡି ଡାଲାରେ ବସିଥିବା ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ମୃତକମାନଙ୍କୁ ଗାଡିର ଡୋର କାଟି ଉଦ୍ଧାର କରିଥିଲେ । ଗୁରୁତର ଆହତକୁ ବଡଚଣା ମେଡିକାଲରେ ଭର୍ତ୍ତି କରାଯାଥିବା ବେଳେ ତାକୁ ତୁରନ୍ତ କଟକ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ତେବେ କଟକ ନେବା ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ଗୁରୁବାର ଏଠାରେ ଦୁଇଟି ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଛିଡା ହୋଇରହିଥିଲା । ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ସେଠାରୁ ସ୍ଥାନାନ୍ତର କରାନଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଧର୍ମଶାଳା ପୁଲିସ ଓ ଜେନାପୁର ଆଇଆଇସି ଉମାକାନ୍ତ ନାୟକ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।
ମୃତକମାନେ ହେଲେ ପଶ୍ଚିମବଙ୍ଗ ଚବିଶପ୍ରଗଣା ଜିଲ୍ଲା ମାଟିଆ ଥାନା ଅଞ୍ଚଳର କରିମ ସରଦାର(୨୦), ଅମିନୁଲ ଅଲୀ ସରଦାର (୨୯), ଆରିଫ ଅଲୀ ସରଦାର (୨୭), ସୁରଜ ମଣ୍ଡଳ(୪୪), ଅମଜାଦ ଅଲୀ ସରଦାର( ୩୪),ମୌଜମ ସରଦାର (୩୨) ଓ ଜହାଙ୍ଗିର ସରଦାର (୩୨) । ଧର୍ମଶାଳା ପୁଲିସ୍ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି । ମୃତକଙ୍କ ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇ ଦିଆଯାଇଛି । ସେମାନେ ପହଂଚିବା ପରେ ବଡ଼ଚଣା ମେଡିକାଲରେ ବ୍ୟବଚ୍ଛେଦ କରାଯାଇ ଶହ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ନାୟକ କହିଛନ୍ତି ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।