ଓଡ଼ିଶାରେ ଆନ୍ଧ୍ରର ପୋଖରୀ ଖୋଳା
ରାୟଗଡ଼ା, ୨୫ା୨ (ଆପ୍ର): କୋରାପୁଟର କୋଟିଆ, ଗଜପତିର ରାୟଗଡ଼ ବ୍ଲକ ଓ ପାରଳାଖେମୁଣ୍ଡି ନିକଟସ୍ଥ କିଛି ଗାଁରେ ଆନ୍ଧ୍ର ପ୍ରଦେଶ ପ୍ରଶାସନ ପକ୍ଷରୁ ଜବରଦଖଲ ଉଦ୍ୟମ ନେଇ ବିବାଦ ଲାଗି ରହିଛି । ଏହିପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲାର ସୀମାନ୍ତ ଗାଁ ଉପରେ ନଜର ପକାଇଛି ଆନ୍ଧ୍ର । ଜିଲ୍ଲାର ରାମନାଗୁଡା ତହସିଲ ସୁଲୁଡି ମୌଜା ଲାଉଗୁଡା ଗ୍ରାମରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ପୋଖରୀ ଖୋଳା ଚାଲିଥିବା ସମୟରେ ସ୍ଥାନୀୟ ଲୋକେ ଓ ରାୟଗଡ଼ା ପ୍ରଶାସନ ବନ୍ଦ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନର ବାରଣ ପରେ ପୋଖରୀ ଖନନ ବନ୍ଦ ରହିଥିଲେବି କେତେକ ଆନ୍ଧ୍ର କର୍ମଚାରୀ ଗାଁରେ ରହିଥିବାରୁ ସନେ୍ଦହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ କାମ ଉପରେ ନଜର ରଖିବାକୁ ଗୋଗୁପାଡୁ ପିଇଓ, ଜିଆର୍ଏସ୍ଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆ । ଓଡ଼ିଶାର ଲାଉଗୁଡ଼ା ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର କେଦାରପୁର ଗ୍ରାମ । କିଛି ଦିନ ହେଲା ଆନ୍ଧ୍ର ପ୍ରଶାସନ ସହଯୋଗରେ କେଦାରପୁର ଗ୍ରାମବାସୀ ଲାଉଗୁଡ଼ା ଗାଁ ନିକଟ ଓଡ଼ିଶା ଜମିରେ ମନରେଗା ଯୋଜନାରେ ପୋଖରୀ ଖୋଳିବା ସହିତ ଜମି ସମତୁଲ କରି ଆସୁଛନ୍ତି । ପୋଖରୀ ଖୋଳାଯାଉଥିବା ଅଞ୍ଚଳ ଓଡ଼ିଶାର ହୋଇଥିବାରୁ ଲାଉଗୁଡାବାସୀ ରାମନାଗୁଡ଼ା ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଶୁକ୍ରବାର ଗୁଣପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର, ରାମନାଗୁଡା ବିଡିଓ ପ୍ରଭାତି ଝୋଡିଆ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପି ଦିବାକର ରାଓ, ରମାକାନ୍ତ ମାଣ୍ଡାଙ୍ଗି, ସନ୍ତୋଷ କୁମାର ରତ୍ନାଲୁ, ରାଜସ୍ୱ ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ, ଗୋଗୁପାଡୁ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ ପ୍ରମୁଖ ଲାଉଗୁଡା ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କାମ ବନ୍ଦକରିବାକୁ ତାଗିଦ୍ କରିଥିଲେ । ପ୍ରଶାସନର ବାରଣ ସତ୍ତ୍ୱେ ପୁଣି ଶନିବାର ସକାଳ ୬ଟାରେ କେଦାରପୁରରୁ ଶ୍ରମିକମାନେ ପୋଖରୀ ଖୋଳିବାକୁ ଆସିବାରୁ ଲାଉଗୁଡା ଲୋକେ ବିରୋଧ କରିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।
ଖବର ପାଇ ରାମନାଗୁଡ଼ା ବ୍ଲକ ପ୍ରଶାସନର ଏକ ପ୍ରତିନିଧି ଦଳ ଆନ୍ଧ୍ର ପ୍ରଦେଶର ଗୁମା ଲଷ୍ମୀପୁର ମଣ୍ଡାଲାମ୍ (ବ୍ଲକ) ଗସ୍ତ କରି ସେଠାକାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ । ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ, ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା ପ୍ରମୁଖ ଲକ୍ଷ୍ମୀପୁର ବ୍ଳକ ପ୍ରଶାସନିକ ଅଧିକାରୀଙ୍କ ସହିତ କେଦାରପୁର ଯାଇ କାମ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ । ସାନି ସୀମା ଚିହ୍ନଟ ପରେ କାମ କରାଯିବ ବୋଲି ଜଣାପଡ଼ିଛି ।
ଉଭୟ ରାଜ୍ରମଧ୍ୟରେ ସୀମା ବିବାଦ ଉପୁଜିବାରୁ ୪ ବର୍ଷ ତଳେ ଦୁଇ ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ କରାଯାଇ ପଥର ପୋତାଯାଇଛି । ପୋଖରୀ ଖନନ ଅଞ୍ଚଳ ଓଡ଼ିଶାରେ ରହିଛି । ପ୍ରଶାସନ ଉପସ୍ଥିତିରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ ।