ମତେ ବିଫଳ ଅଧିନାୟକ କୁହାଯାଉଥିଲା

କୋହଲିଙ୍କ କ୍ଷୋଭ
ନୂଆଦିଲ୍ଲୀ, ୨୫ା୨ (ଏଜେନ୍ସି): ପୂର୍ବତନ ଅଧିନାୟକ ବିରାଟ କୋହଲି ଚାରି ଆଇସିସି ଟୁର୍ଣ୍ଣାମେଣ୍ଟ – ଚାମ୍ପିଅନ୍ସ ଟ୍ରଫି ୨୦୧୭, ବିଶ୍ୱକପ୍ ୨୦୧୯, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ୨୦୨୧ ଓ ଟି-୨୦ ବିଶ୍ୱକପ୍ ୨୦୨୧ରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ । କିନ୍ତୁ କୌଣସିଟିରେ ସେ ଭାରତକୁ ଟ୍ରଫି ଜିତାଇପାରି ନ ଥିଲେ ।
ବିରାଟଙ୍କ ଅଧିନାୟକତ୍ୱରେ ଭାରତ ୨୦୧୭ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପ୍ରବେଶ କରିଥିଲା; କିନ୍ତୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୮୦ ରନ୍ରେ ପରାଜିତ ହୋଇଥିଲା । ୨୦୧୯ ବିଶ୍ୱକପ୍ରେ ଭାରତ ସେମିଫାଇନାଲ୍ରେ ନୁ୍ୟଜିଲାଣ୍ଡ ଠାରୁ ହାରିଯାଇଥିଲା । ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ଭାରତ ପାଖରେ ମୁକୁଟ ଜିତିବାର ସୁଯୋଗ ଥିଲା, ହେଲେ ଟିମ୍ ୮ ୱିକେଟ୍ରେ ନୁ୍ୟଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ୨୦୨୧ ଟି-୨୦ ବିଶ୍ୱକପ୍ରେ ଭାରତ ସୁପର୍-୧୨ରୁ ଆଗକୁ ଯାଇପାରି ନ ଥିଲା ।
କୋହଲି ଶନିବାର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଆଇସିସି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ଓ ଫାଇନାଲ୍ରେ ପହଞ୍ଚିବା ସତ୍ତ୍ୱେ ତାଙ୍କୁ “ବିଫଳ ଅଧିନାୟକ” ଭାବେ ବିଚାର କରାଯାଉଥିଲା । ଗତ ବର୍ଷ ଭାରତୀୟ ରନ୍ ମେସିନ୍ ସମସ୍ତ ଫର୍ମାଟ୍ରୁ ଅଧିନାୟକତ୍ୱ ଛାଡ଼ିଥିଲେ ।
ଆର୍ସିବି ପୋଡ୍କାଷ୍ଟରେ କୋହଲି କହିଛନ୍ତି, “ଦେଖନ୍ତୁ, ଆପଣ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଖେଳନ୍ତି । ମୁଁ ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି (ଟିମ୍ ଫାଇନାଲ୍ରେ ପହଞ୍ଚିଥିଲା), ୨୦୧୯ ବିଶ୍ୱକପ୍ (ଟିମ୍ ସେମିଫାଇନାଲ୍ରେ ପହଞ୍ଚିଥିଲା) ଏବଂ ୨୦୨୧ରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଟିମ୍ ଫାଇନାଲ୍ରେ ପହଞ୍ଚିଥିଲା) ଓ ଟି-୨୦ ବିଶ୍ୱକପ୍ (ଟିମ୍ ନକ୍ଆଉଟ୍ରେ ପହଞ୍ଚିବାରେ ବିଫଳ ହୋଇଥିଲା)ରେ ଅଧିନାୟକତ୍ୱ କରିଥିଲି । ତିନି (ଚାରି) ଆଇସିସି ଟୁର୍ଣ୍ଣାମେଣ୍ଟ ପରେ ମତେ ବିଫଳ ଅଧିନାୟକ ଭାବେ ବିଚାର କରାଯାଉଥିଲା ।”
୨୦୦୮ରେ ନିଜ ନେତୃତ୍ୱରେ ଭାରତକୁ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍ ଜିତାଇଥିବା କୋହଲିଙ୍କ ବିଚାରରେ ଭାରତୀୟ କ୍ରିକେଟ୍ ଟିମ୍ରେ ଏକ ସାଂସ୍କୃତିକ ପରିବର୍ତ୍ତନ ଆଣିବା ସବୁବେଳେ ତାଙ୍କ ପାଇଁ ଗୌରବର ବିଷୟ ହେବ । ସେ କହିଛନ୍ତି, “ମୁଁ ନିଜକୁ ସେହି ଦୃଷ୍ଟିକୋଣରୁ କେବେ ଆକଳନ କରି ନାହିଁ । ଆମେ ଏକ ଟିମ୍ ରୂପରେ ଓ ଏକ ସାଂସ୍କୃତିକ ପରିବର୍ତ୍ତନ ରୂପରେ କ’ଣ ହାସଲ କରିଥିଲୁ, ଏହା ସବୁବେଳେ ମୋ ପାଇଁ ଗର୍ବର ବିଷୟ ହେବ । ଏକ ଟୁର୍ଣ୍ଣାମେଣ୍ଟ ଏକ ନିର୍ଦ୍ଦିଷ୍ଟ ସମୟରେ ହୋଇଥାଏ, କିନ୍ତୁ ଆପଣଙ୍କ ମନୋଭାବ ଦୀର୍ଘ ଦିନ ଧରି ସାଙ୍ଗରେ ରହେ ଏବଂ ଏଥିପାଇଁ ଆପଣଙ୍କୁ ନିରନ୍ତରତାର ଆବଶ୍ୟକତା ପଡ଼େ ।”
‘ମୁଁ ଜଣେ ଖେଳାଳି ଭାବେ ବିଶ୍ୱକପ୍ ଜିତିଛି’
ପୂର୍ବତନ ଅଧିନାୟକ କହିଛନ୍ତି, “ମୁଁ ଜଣେ ଖେଳାଳି ଭାବେ ବିଶ୍ୱକପ୍ ଜିତିଛି । ମୁଁ ଜଣେ ଖେଳାଳି ଭାବେ ଚାମ୍ପିଅନ୍ସ ଟ୍ରଫି ଜିତିଛି । ମୁଁ ସେହି ଟିମ୍ର ଅଂଶବିଶେଷ, ଯିଏ ପାଞ୍ଚ ଟେଷ୍ଟ ଗଦା ଜିତିଛି । ଯଦି ଆପଣ ସେହି ଦୃଷ୍ଟିକୋଣରୁ ଦେଖିବେ, ତା’ହେଲେ ଏମିତି ଖେଳାଳି ଅଛନ୍ତି, ଯେଉଁମାନେ କେବେ ବିଶ୍ୱକପ୍ ଜିତି ନାହାନ୍ତି ।”
‘ଟ୍ରଫି କ୍ୟାବିନେଟ୍କୁ ଭରିବା ପାଇଁ ପାଗଳ ନୁହେଁ’
କୋହଲି କହିଛନ୍ତି, “ସଚ୍ଚୋଟ ଭାବରେ କହିଲେ, ମୁଁ ୨୦୧୧ର ସେହି ଟିମ୍ର ଅଂଶବିଶେଷ ହେବାରେ ଖୁବ୍ ଭାଗ୍ୟଶାଳୀ ଥିଲି । ସଚିନ ତେନ୍ଦୁଲକର ନିଜର ଷଷ୍ଠ ବିଶ୍ୱକପ୍ ଖେଳୁଥିଲେ ଏବଂ ସେଥିରେ ସେ ଜିତିଥିଲେ । ମୁଁ ପ୍ରଥମ ଥର ବିଶ୍ୱକପ୍ ଟିମ୍ର ଅଂଶବିଶେଷ ହେବାରେ ସକ୍ଷମ ହୋଇଥିଲି ଏବଂ ଜିତିଥିବା ଟିମ୍ର ଅଂଶବିଶେଷ ହୋଇଗଲି । ମୁଁ ସେସବୁ ଦେଖୁଛି ଯେଉଁଥିପାଇଁ ମୁଁ ଆଭାରୀ, ମୋ କ୍ୟାରିଅରରେ କ’ଣ ଭୁଲ୍ ହେଲା ତାହା ଦେଖୁ ନାହିଁ । ମୁଁ ନିଜ ଟ୍ରଫି କ୍ୟାବିନେଟ୍କୁ ଭରିବା ପାଇଁ ପାଗଳ ନୁହେଁ ।”

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *