୧୪ ମୃତ, ୬ଠ ଗୁରୁତର
ଭୟାବହ ସଡ଼କ ଦୁର୍ଘଟଣା
ଭୋପାଳ (ଏଜେନ୍ସି): ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୪ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୬ଠରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ମୋହନିଆ ଟନେଲର ବରଖାଦା ଗ୍ରାମ ନିକଟରେ ୨ଟି ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୯ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ରିପୋର୍ଟ ଲେଖାହେବା ବେଳକୁ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେହିପରି ଆହତଙ୍କ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍ ସଂଗୀନ୍ ରହିଥିବାରୁୂ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।
ପ୍ରାପ୍ତ ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ରାଲିରେ ଯୋଗଦେଇ ୮ଠରୁ ଅଧିକ ଲୋକେ ଦୁଇଟି ବସ ଯୋଗେ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ଉଭୟ ବସ୍କୁ ଧକ୍କା ଦେଇଥିଲା । ପୁଲିସ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଟ୍ରକର ଟାୟାର ଫାଟିଯିବା ଯୋଗୁଁ ଡ୍ରାଇଭର ନିୟନ୍ତ୍ରଣ ହରାଇବସିଥିଲା ଏବଂ ଏହି ଦୁର୍ଘଟଣା ହୋଇଥିଲା ବୋଲି କୁହାଯାଉଛି । ସ୍ୱରାଷ୍ଟ୍ରମନ୍ତ୍ରୀ, ଅମିତ୍ ଶାହା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।