ସୋନିଆଙ୍କ ସନ୍ନ୍ୟାସ!

ରାୟପୁର, ୨୫ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସକ୍ରୀୟ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଇଶାରା ଦେଇଛନ୍ତି । ସୋନିଆଙ୍କୁ ଏବେ ବୟସ ୭୮ ବର୍ଷ । କିଛିମାସ ହେଲା ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଛି । ଏହି କାରଣରୁ ମଧ୍ୟ ତାଙ୍କ ରାଜନୈତିକ ସକ୍ରିୟତା ପୂର୍ବାପେକ୍ଷା କମିଛି । ଛତିଶଗଡ଼ ରାଜଧାନୀ ରାୟପୁରଠାରେ ଅନୁଷ୍ଠିତ ଦଳର ୮୫ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ଶନିବାର ଉଦ୍ବୋଧନ ଦେଇ ସୋନିଆ କହିଛନ୍ତି, ମୋ ପାଇଁ ଖୁସିର ବିଷୟ ଯେ ରାହୁଳ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ସଫଳ ହୋଇଛି ଏବଂ ତା’ ସହିତ ମୋ ପାରି ଶେଷ ହୋଇଛି । ସୋନିଆଙ୍କ ଏହି କଥାରୁ ଅନୁମାନ କରାଯାଉଛି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ।
ସୋନିଆ କହିଛନ୍ତି, ୨୦୦୪ରୁ ୨୦୦୯ ଏହି ୫ ବର୍ଷ ଡ. ମନମୋହନ ସିଂହଙ୍କ ନେତୃତ୍ୱ ମୋତେ ବ୍ୟକ୍ତିଗତ ଭାବେ ସନ୍ତୋଷ ପ୍ରଦାନ କରିଥିଲା । ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ମୋ ପାଇଁ ସବୁଠାରୁ ଅଧିକ ଖୁସିର ବିଷୟ ହେଉଛି ମୋ ପାରି ଭାରତ ଯୋଡ଼ୋ ଯାତ୍ରା ସହିତ ସମାପ୍ତ ହୋଇଛି । ଏହା ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ।
ସୋନିଆ ତାଙ୍କ ଏହି ଅବସରରେ ଦଳର ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିବା ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅର୍ଥାତ୍ ଗତ ୨୫ ବର୍ଷ ଭିତରେ କଂଗ୍ରେସର ଉନ୍ନତି-ଅବନତି ସମ୍ପର୍କରେ ବ୍ୟକ୍ତିଗତ ମତ ଦେଇଥିଲେ ।
ସେ କହିଲେ, ଆଗକୁ ଦେଶ ତଥା କଂଗ୍ରେସ ପାଇଁ ଆହ୍ୱାନଜନକ ସମୟ ଆସୁଛି । ବିଜେପି ଓ ଆର୍ଏସ୍ଏସ୍ ଭାରତର ସବୁ ସଂସ୍ଥା କବ୍ଜା କରିନେଇ ସେଗୁଡ଼ିକୁ ନଷ୍ଟ କରିଦେଇଛନ୍ତି । ଏଥିରୁ କେତେକ ବ୍ୟବସାୟୀ ଫାଇଦା ଉଠାଇଛନ୍ତି ଏବଂ ତା’ ସହିତ ଦେଶର ପ୍ରଭୂତ ଆର୍ଥିକ କ୍ଷତି ଘଟିଛି । ଏପରି ପ୍ରତିକୂଳ ସମୟରେ ଭାରତ ଯୋଡ଼ୋ ଯାତ୍ରା ଆଶାର ଆଲୋକ ଆଣି ଦେଇଛି ।
ଗତ ଅକ୍ଟୋବର ୨୬ରେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦଭାର ଗ୍ରହଣ କରିଥିଲେ । ତା’ ପୂର୍ବରୁ ୨୨ ବର୍ଷ କାଳ ସୋନିଆ ଅଧ୍ୟକ୍ଷ ପଦରେ ରହିଆସିଥିଲେ । ଖଡ଼ଗେ ପଦ ଭାର ଗ୍ରହଣ କରିବା ସମୟରେ ସେ ଚିନ୍ତାମୁକ୍ତ ହେଲେ ବୋଲି କହିଥିଲେ ।
ଏହି ମହାଧିବେଶନରେ ଦଳର ଅଧ୍ୟକ୍ଷ ଖଡ଼ଗେ କହିଛନ୍ତି, ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ତୃତୀୟ ସାମ୍ମୁଖ୍ୟ ଗଢ଼ାଯାଏ, ତାହା ବିଜେପିର ବିଜୟରେ ସହାୟକ ହେବ । ଏହି ଅବସରରେ ଖଡ଼ଗେ ବିଜେପି ବିରୋଧରେ ‘ସେବା, ସଂଘର୍ଷ ଔର୍ ବଳିଦାନ, ସବ୍ସେ ପହଲେ ହିନ୍ଦୁସ୍ତାନ’ ନାରା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *