ମାର୍ଚ୍ଚ ୫ରୁ ଡାକୋଟା ପ୍ରଦର୍ଶନ
ଭୁବନେଶ୍ୱର, ୨୫ା୨(ବୁ୍ୟରୋ): ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଦିନ ଭୁବନେଶ୍ୱର ବିମାନ ବନ୍ଦରେ ରହିଥିବା ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ସର୍ବସାଧରଣଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାବରଣ କରିବେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବିମାର ବିଭିନ୍ନ ଯନ୍ତ୍ରପାତି ଖଞ୍ଜାଖଞ୍ଜି ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି । ଡାକୋଟାର ପ୍ରଥମ ଚକା ସଂଲଗ୍ନ ବେସ୍କୁ ଟର୍ମିନାଲ ପ୍ଲାଟଫର୍ମ ଉପରେ ରଖାଯାଇଛି । ୨୭ ତାରିଖ ଦିନ ଫୁ୍ୟଜ୍ ଲେସ୍ ବା ବିମାନର ବଡିକୁ ଅଣାଯିବ । ୨୮ ତାରିଖରେ ବିମାନରେ ୱିଙ୍ଗସ୍ ଲଗାଯିବ । ପରେ ଇଣ୍ଟିରିୟର କାମ କରାଯାଇ ୩ ତାରିଖ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଏୟାର ସ୍ପେସ୍ ରିର୍ସଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ମହା ପ୍ରବନ୍ଧକ ଦେବାଶିଷ ମହାନ୍ତି ।
ପ୍ରକାଶ ଥାଉକି, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ରାଜ୍ୟ ସରକାରଙ୍କ ଉଦ୍ୟମରେ କଲିକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ୧୭ ତାରିଖରେ ତିନୋଟି ଲରିରେ ବିମାନର ବିଭିନ୍ନ ଅଂଶ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯାଇଥିଲା । ଏହି ବିମାନରେ ବିଜୁ ବାବୁଙ୍କ ବହୁ ସ୍ମୃତି ଯୋଡି ହୋଇ ରହିଛି । ଏହି କାରଣରୁ ଡାକୋଟା ଭୁବନେଶ୍ୱର ବିମାନ ବନ୍ଦରର ପୁରୁଣା ଟର୍ମିନାଲରେ ରଖାଯାଇଛି ।