କେନ୍ଦ୍ରମନ୍ତ୍ରୀଙ୍କ କନ୍ଭୟକୁ ପଥର ମାଡ଼

କଳା ପତାକା ସହ ନାରାବାଜି
ଟିଏମ୍ସିର ସମ୍ପୃକ୍ତି ଅଭିଯୋଗ
ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ର ଲୁହାବୁହା ଗ୍ୟାସ୍ ପ୍ରୟୋଗ
ନୂଆଦିଲ୍ଲୀ (ଏଜେନ୍ସି): କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ କନ୍ଭୟ (କାରକେଡ୍) ଉପରେ ଶନିବାର ପଥରମାଡ଼ ହୋଇଛି । ଦିନହାଟା ଅଞ୍ଚଳରେ ନିଜ ଦଳୀୟ କର୍ମୀଙ୍କ ସହ ଆଲୋଚନା ଉଦେ୍ଦଶ୍ୟରେ ସେ ପଶ୍ଚିମବଙ୍ଗ ଗସ୍ତ କରିଥିବା ବେଳେ କୁଚବିହାର ଠାରେ ତାଙ୍କ ଗାଡ଼ି ଉପରେ ଟେକା ପଥର ମାଡ଼ ପୂର୍ବକ ଆକ୍ରମଣ ହୋଇଛି । ଏତଦ୍ବ୍ୟତୀତ କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ମଧ୍ୟ ପ୍ରଦର୍ଶନ କରାଯିବା ସହ ‘ଗୋ ବ୍ୟାକ୍’ ନାରବାଜି କରାଯାଇଥିବା ଜାଣିବାକୁ ମିଳିଛି ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଏପ୍ରକାର ବ୍ୟବହାର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ପକ୍ଷରୁ କରାଯାଇଥିବା ନେଇ ପ୍ରଦେଶ ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ଘଟଣାସ୍ଥଳରେ ଉଭୟ ଗୋଷ୍ଠୀ ମଧ୍ୟରେ କିଛି ସମୟ ପାଇଁ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଫଳରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀ ପକ୍ଷରୁ ଭିଡ ହଟାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆକ୍ରମଣ ସମୟରେ କେନ୍ଦ୍ରମନ୍ତ୍ରୀ ବିଜେପିର ସ୍ଥାନୀୟ କାର୍ଯ୍ୟାଳୟକୁ ଯାଉଥିଲେ ।
ଆକ୍ରମଣ ପରେ ନିଶିଥ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯଦି ରାଜ୍ୟରେ ଜଣେ କେନ୍ଦ୍ରମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ସହଜରେ କଳ୍ପନା କରାଯାଇପାରେ । ଏହି ଘଟଣା ବଙ୍ଗଳାରେ ଗଣତନ୍ତ୍ରର ସ୍ଥିତିକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ସେହିପରି ପ୍ରଦେଶ ବିଜେପି ପକ୍ଷରୁ ଶାସକ ଦଳକୁ ଏହି ଘଟଣାରେ ତୀବ୍ର ସମାଲୋଚନା କରାଯାଇଛି । ପ୍ରକାଶ, କିଛି ଦିନ ପୂର୍ବେ ପଶ୍ଚିମବଙ୍ଗରେ ମୁତୟନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନ୍ଙ୍କ ଗୁଳିମାଡ଼ରେ ଜଣେ ଆଦିବାସୀ ବ୍ୟକ୍ତିଙ୍କ ମୃତୁ୍ୟକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଶେଷକରି କେନ୍ଦ୍ର ସରକାରଙ୍କ ପ୍ରତି ସ୍ଥାନୀୟ ଲୋକେ ବେଶ୍ ଉତ୍କ୍ଷିପ୍ତ ରହିଛନ୍ତି । ସୁତରାଂ ଏହି ଘଟଣାକୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ନିଶିଥଙ୍କ ଗାଡ଼ି ଉପରେ ପଥରମାଡ଼ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ବିଏସ୍ଏଫ୍ ସିଧାସଳଖ ଗୃହ ମନ୍ତ୍ରଣାଳୟ ଅଧୀନରେ ଆସିଥାଏ । ଅନ୍ୟପକ୍ଷେ ନିଶିଥ ପ୍ରମାଣିକ ଏବେ ଗୃହ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । କିଛି ଦିନ ପୂର୍ବେ ଆଦିବାସୀ ବ୍ୟକ୍ତିଙ୍କ ମୃତୁ୍ୟ ବିଏସ୍ଏଫ୍ ଯବାନ୍ଙ୍କ ଗୁଳିରେ ହେବା ଘଟଣାରେ ଶାସକ ଦଳ ଟିଏମ୍ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ବିହାରରେ ଏକ ରାଲିରେ ନିଶିଥ ପ୍ରମାଣିକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ କରିଥିଲେ । ସେହିପରି ସ୍ଥାନୀୟ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ଦିନ୍ହାଟା ବିଧାୟକ ଉଦୟନ୍ ଗୁହା କିଛି ଦିନ ପୂର୍ବେ ସ୍ଥାନୀୟ ଲୋକଙ୍କୁ ଆଦିବାସୀ ବ୍ୟକ୍ତିଙ୍କ ମୃତୁ୍ୟ ପାଇଁ କେନ୍ଦ୍ର ସରକାର ଦାୟୀ ବୋଲି କହି ଉତ୍ତେଜିତ କରାଇଥିଲେ । ଏପରିକି ସେ କହିଥିଲେ ଯେ, ଯଦି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ୍ ଏଠାକୁ ଆସନ୍ତି ତେବେ ତାଙ୍କୁ କଳା ପତାକା ପ୍ରଦର୍ଶିତ କରାଯିବ । ବିଜେପିର କୌଣସି ସଭା, ସମିତିକୁ ଏଠାରେ କରାଇ ନଦେବାକୁ ମଧ୍ୟ ସେ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *