କଂଗ୍ରେସ ସମ୍ବିଧାନରେ ୮୫ ସଂଶୋଧନ

ରାୟପୁର, ୨୫ ।୨: ଏଠାରେ ଅନୁଷ୍ଠିତ କଂଗ୍ରେସର ତିନିଦିନିଆ ମହାଧିବେଶନର ଦ୍ୱିତୀୟ ଦିନ (ଶନିବାର) ଦଳର ସମ୍ବିଧାନରେ ଛୋଟ-ବଡ଼ ୮୫ଟି ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି । ଦଳର ମହାସଚିବ ରଣଦୀପ ସୂରଜେୱାଲା ଏ ସଂପର୍କରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ସଂଶୋଧନ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି ଯେ ଏବେ ସିଡବ୍ଲୁ୍ୟସିରେ ୨୫ ପରିବର୍ତ୍ତେ ୩୫ ସଦସ୍ୟ ରହିବେ । କଂଗ୍ରେସ ସହ ସଂପୃକ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଦଳର ପୂର୍ବତନ ଅଧ୍ୟକ୍ଷ ସ୍ୱତଃ ଏହାର ସଦସ୍ୟ ହେବେ । ଅନ୍ୟାନ୍ୟ ସଂଶୋଧନ ଅନୁଯାୟୀ ଏବେ ଅନୁସୂଚିତ ଜାତି ଓ ଜନଜାତି, ଅନ୍ୟ ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ସଂଗଠନର ସବୁ ପଦରେ ୫୦% ରିଜର୍ଭେସନ୍ ବ୍ୟବସ୍ଥା ରହିବ । ସଂଗଠନର ସଂରକ୍ଷିତ ଓ ଅଣସଂରକ୍ଷିତ ପଦଗୁଡ଼ିକ ମଧ୍ୟରୁ ୫୦% ପଦ ମହିଳା ଓ ଯୁବବର୍ଗ ପାଇଁ ସଂରକ୍ଷିତ ହେବ । ଏଣିକି କେବଳ ଡିଜିଟାଲ୍ ସଦସ୍ୟତା ସହିତ ଡିଜିଟାଲ୍ ରେକର୍ଡ ବ୍ୟବସ୍ଥା କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
ସୂରଜେୱାଲା କହିଛନ୍ତି, ଦଳକୁ ସଂଗଠିତ କରିବା ପାଇଁ ବୁଥ୍ କମିଟି, ପଞ୍ଚାୟତ କଂଗ୍ରେସ କମିଟି, ସହରାଞ୍ଚଳରେ ୱାର୍ଡ଼ କମିଟି ଓ ଇଣ୍ଟରମିଡିଏଟ୍ କମିଟି (ମଣ୍ଡଳ କମିଟି) ଗଢ଼ାଯିବ । କଂଗ୍ରେସ ସଦସ୍ୟତା ଆବେଦନ ପତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ପୃଥକ ସ୍ତମ୍ଭ ରହିବ । ସଦସ୍ୟଙ୍କ ସହିତ ତାଙ୍କ ପିତା,ମାତା ଓ ପତ୍ନୀ/ପତିଙ୍କ ନାମ ମଧ୍ୟ ରହିବ । ସଂଶୋଧନ ଅନୁଯାୟୀ ଏବେ ପ୍ରତି ୬ ପିସିସି ଡେଲିଗେଟ୍ଙ୍କ ମଧ୍ୟରୁ ଜଣେ ଏଆଇସିସି ସଦସ୍ୟ ହେବେ । ମୋଟ ନିର୍ବାଚିତ ଏଆଇସିସି ସଦସ୍ୟଙ୍କ ମଧ୍ୟରେ ୨୫% ସହଯୋଜିତ (କୋ-ଅପ୍ଟେଡ୍) ସଦସ୍ୟ ସ୍ଥାନ ପାଇବେ । ପୂର୍ବରୁ ପ୍ରତି ୮ ପିସିସି ଡେଲିଗେଟ୍ଙ୍କ ମଧ୍ୟରୁ ଜଣେ ଏଆଇସିସି ସଦସ୍ୟ ହେଉଥିଲେ ଏବଂ ମୋଟ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ୧୫% କୋ-ଅପ୍ଟେଡ୍ ସଦସ୍ୟ ରହୁଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *