ବିଜୟ ପ୍ରତିଶ୍ରୁତି ଦେଲେ ଜେଲେନ୍ସ୍କି

ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରିଲା
କିବ୍, ୨୪ ।୨: ଗତବର୍ଷ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧ । ଶୁକ୍ରବାର ଯୁଦ୍ଧକୁ ବର୍ଷେ ପୂରିଛି । କେହି କହିପାରୁ ନାହାନ୍ତି କେବେ ଯୁଦ୍ଧର ଅନ୍ତ ଘଟିବ । ଯୁଦ୍ଧରେ ୟୁକ୍ରେନ୍ର ଲକ୍ଷ ଲକ୍ଷ ବେସାମରିକ ବ୍ୟକ୍ତି ମୃତାହତ ହୋଇଛନ୍ତି । ଅସଂଖ୍ୟ ଲୋକ ଦେଶ ଛାଡ଼ିଛନ୍ତି । ୟୁକ୍ରେନ୍ର ଅନେକ ସହର ରୁଷୀୟ ସେନାର କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ୱସ୍ତ ହୋଇଛି । ରୁଷ୍ ମଧ୍ୟ ତାର ବହୁ ସୈନିକଙ୍କୁ ହରାଇଛି । ବିଶେଷକରି ୧୫ ଶହ ରୁଷୀୟ କମାଣ୍ଡର ଯୁଦ୍ଧ କ୍ଷେତ୍ରରେ ଟଳି ପଡ଼ିଛନ୍ତି । ଏହି ଅବସରରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଯୁଦ୍ଧରେ ତାଙ୍କ ଦେଶ ବିଜୟୀ ହେବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଚୀନ୍ ପରୋକ୍ଷରେ ରୁଷ୍କୁ ସମର୍ଥନ ଦେଉଥିଲା । ଏବେ ଯୁଦ୍ଧ ସମାପ୍ତି ପାଇଁ ରୁଷ୍ ରାଷ୍ଟ୍ରପତି ପୁତିନ୍ଙ୍କୁ ଚୀନ୍ ସରକାର ପ୍ରସ୍ତାବ ଦେଇଛନ୍ତି ।
ରୁଷ୍ ପ୍ରଥମେ ଆକ୍ରମଣ କରିଥିଲା । ଖୁବ୍ କମ୍ ଦିନ ଭିତରେ ୟୁକ୍ରେନ୍କୁ ପରାଭବ ଦେବା ପୁତିନ୍ଙ୍କ ଯୋଜନା ଥିଲା । କିନ୍ତୁ ପାଶ୍ଚାତ୍ୟ ଦେଶ ଗୁଡ଼ିକରୁ ପର୍ଯ୍ୟାପ୍ତ ସାମରୀକ ସହାୟତା ପାଇ ୟୁକ୍ରେନ୍ ଏବେ ମଧ୍ୟ ଯୁଦ୍ଧକ୍ଷେତ୍ରରେ ବୀରତ୍ୱର ସହ ଲଢ଼ୁଛି ।
ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ୟୁକ୍ରେନ୍ ରାଜଧାନୀ କିବ୍କୁ ଅଚାନକ ଗସ୍ତକରି ଜେଲେନ୍ସ୍କିଙ୍କୁ ଅଧିକରୁ ଅଧିକ ସାମରୀକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ସେ ପୋଲାଣ୍ଡ ରାଜଧାନୀ ୱାରସ୍ରେ କହିଥିଲେ ଯେ, ରୁଷ୍ ଯେତେ ଚେଷ୍ଟାକଲେ ମଧ୍ୟ ୟୁକ୍ରେନ୍କୁ ପରାସ୍ତ କରିପାରିବ ନାହିଁ ।
ରୁଷ୍କୁ ପରାସ୍ତ କରିବା ପାଇଁ ଆମେରିକା ତାର ଭଣ୍ଡାର ଖୋଲି ଦେଇଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ୨୦୨୦ରେ ଆଫଗାନିସ୍ତାନ, ଇସ୍ରାଏଲ୍, ଇରାକ୍ ସମେତ ୬ଟି ଦେଶରେ ଆମେରିକା ଯେତିକି ଖର୍ଚ୍ଚ କରିଥିଲା, କେବଳ ୟୁକ୍ରେନ୍କୁ ତାର ୫ ଗୁଣ ଅର୍ଥରାଶି ଦେଇଛି । ଯୁଦ୍ଧପାଇଁ ୟୁକ୍ରେନ୍କୁ ଆମେରିକା ଯୋଗାଇଛି ୧୦୩୫ଟି ଟ୍ୟାଙ୍କ, ୨୩୬ ତୋପ ଓ ପାଇଲଟ୍ ସହ ୨୦ ଏୟାରକ୍ରାଫ୍ଟ । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ୟୁକ୍ରେନ୍କୁ ଆମେରିକା ଯେତିକି ଅର୍ଥ (୭୬ ବିଲିୟନ୍ ଡଲାର) ଦେଇଛି, ତାର ୬୦ ପ୍ରତିଶତ (୪୬.୬ ବିଲିୟନ୍ ଡଲାର) କେବଳ ଯୁଦ୍ଧପାଇଁ ଉଦ୍ଦିଷ୍ଟ । ତା ସହିତ ୟୁକ୍ରେନ୍ ସୈନିକଙ୍କୁ ଆମେରିକା ଅତ୍ୟାଧୁନିକ ଯୁଦ୍ଧ କୌଶଳ ତାଲିମ ଦେଇଚାଲିଛି ।
ଏହି ପରିପ୍ରେକ୍ଷୀରେ ଚୀନା କର୍ତ୍ତୃପକ୍ଷ କହିଛନ୍ତି ଯେ, ୟୁକ୍ରେନ୍କୁ ଅସ୍ତ୍ର ଦେଉଥିବା ଦେଶମାନେ ଯୁଦ୍ଧ ପାଇଁ ଦାୟୀ ରହିବେ ।
ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ୍ ୩୦ ରାଷ୍ଟ୍ର ଗୋଷ୍ଠୀର ସାମରିକ ମେଣ୍ଟ ନାଟୋରେ ସାମିଲ ହେବା ପାଇଁ ଯିଦ୍ ଧରିବାରୁ ରୁଷ୍ ତାର ଭୌଗୋଳିକ ପରିସ୍ଥିତି ତଥା ନିରାପତ୍ତା ଦୃଷ୍ଟିରୁ ବିରୋଧ କରିଥିଲା । ୟୁକ୍ରେନ୍ ଯିଦ୍ରେ ଅଟଳ ରହିବାରୁ ପୁତିନ୍ ଆକ୍ରମଣ ଆଦେଶ ଦେଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *