କାଠ ଉପରେ ଜମୁଛି ବେପାର
ମହାପ୍ରଭୁଙ୍କ
ରଥକାଠକୁ
ଅସମ୍ମାନ
ପୁରୀ (ବୁ୍ୟରୋ): କୋଟି କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ନିକଟରେ ଶରଣ ପଶିଲେ ସାଧାରଣ ମଣିଷର ଦୁଃଖ ଲାଘବ ହୋଇଥାଏ । ସେଥିପାଇଁ ସେ ହେଉଛନ୍ତି ଭକ୍ତର ଭଗବାନ । ତେଣୁ ତାଙ୍କ କ୍ଷେତ୍ରରେ ସବୁବେଳେ ଭକ୍ତଙ୍କ ଗହଳି ଲାଗିଥାଏ । କାରଣ ମହାପ୍ରଭୁଙ୍କର ୧୨ ମାସରେ ୧୩ ପର୍ବ ଠାରୁ ଆରମ୍ଭ କରି ୫୬ ଭୋଗ ଲାଗି ହୋଇଥାଏ । ତାଙ୍କ ଲୀଳା ହେଉଛି ଅନନ୍ୟ ।
ଅନ୍ୟପକ୍ଷରେ ତାଙ୍କର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ ବର୍ଷକରେ ଥରେ ୧୨ ଦିନ ଧରି ବାହାରକୁ ଆସିଥାନ୍ତି । ଏହି ଯାତ୍ରାକୁ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା କୁହନ୍ତି । ଚଳିତବର୍ଷ ଜୁନ୍ ୨ଠରେ ଅନୁଷ୍ଠିତ ହେବ ରଥଯାତ୍ରା । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ନୟାଗଡ଼ ଜଙ୍ଗଲରୁ କାଠ ଆସି ସରସ୍ୱତୀ ପୂଜାରେ ଅନୁକୂଳ ମଧ୍ୟ ହୋଇଛି । ଆସନ୍ତା ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ କରାଯିବ । ତେଣୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଶ୍ରୀଜିଉଙ୍କ ତିନି ରଥ ନିର୍ମାଣ ପାଇଁ କାଠ ରହିଛି । ହେଲେ ଏଠାକାର ସ୍ଥାନୀୟ ବ୍ୟବସାୟୀ କାଠକୁ ତାଙ୍କ ବ୍ୟବସାୟ କାର୍ଯ୍ୟରେ ଲଗାଇଛନ୍ତି । ଯାହାକୁ ନେଇ ସହରରେ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଭକ୍ତଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ଏନେଇ ମଧ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବଗତ କରାଯାଇଥିଲେ ସୁଦ୍ଧା ଫଳ ଶୁନ୍ । ଫଳରେ ତାହା ସିଧାସଳଖ ଭକ୍ତଙ୍କ ଭାବାବେଗ ଉପରେ ଆଘାତ୍ କରିଛି । ଏପରିକି ରଥ କାଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମୁଣ୍ଡିଆ ମାରୁଥିଲା ବେଳେ ବ୍ୟବସାୟୀ ନିଜ ସ୍ୱାର୍ଥ ପାଇଁ ସେମାନେ ସେହି କାଠ ଉପରେ ସାମଗ୍ରୀ ରଖି ବ୍ୟବସାୟ କରୁଛନ୍ତି । ଏପରିକି ବାରିକେଡ୍ କରାଯାଇଥିଲେ ସୁଦ୍ଧା ତାହାକୁ ଖାତିର କରୁନାହାନ୍ତି ବ୍ୟବସାୟୀ । ମହାପ୍ରଭୁଙ୍କ ପ୍ରତି ଏହା ଏକ ବଡ଼ ଅସମ୍ମାନ ।
ଏ ନେଇ ଅଭିଯୋଗ ପରେ କିଛି କଟକଣା ନ ହେବା ଆହୁରି କଷ୍ଟଦାୟକ ଘଟଣା ବୋଲି କହିଛନ୍ତି ଭକ୍ତ ସୁକାନ୍ତ କୁମାର ମାଳ । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଶାସନିକ ଅବହେଳା ଯୋଗୁଁ ଏହା ହେଉଛି । ମହାପ୍ରଭୁଙ୍କ ରଥ କାଠ ଏଠାରେ ରହିଲା ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥାନ୍ତା ତେବେ ଏହା ଏପରି ହୋଇ ନ ଥାନ୍ତା ।
ସେହିପରି ପର୍ଯ୍ୟଟକ ତପନ ଘୋଷ କୁହନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆମ୍ଭେ କଲିକତାରୁ ଆସିଥିଲୁ । ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ କାଠ ଅନୁକୂଳ ହୋଇଛି ଏବଂ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚô ସାରିଛି । ଏହି ଖବର ଗଣମାଧ୍ୟମରେ ପ୍ରଚାର ହେଲା ପରେ ମନ ଭିତରେ ଦୀର୍ଘ ଦିନର ଆଶା ଥିଲା ମହାପ୍ରଭୁଙ୍କ ରଥକାଠ କିପରି ଆସୁଛି ତାହାକୁ ବିଶ୍ୱକର୍ମା ମହାରଣାମାନେ ତାଙ୍କର ନିହଣ ମୁନରେ ଜୀବନ୍ତ କରୁଛନ୍ତି । ସେଥିପାଇଁ ପୁରୀକୁ ଦୁଇ ଦିନ ହେଲା ଆସି ଏଠାରେ ରହି ମହାପ୍ରଭୁଙ୍କୁ ଦର୍ଶନ କରି ରଥକାଠ ନିକଟକୁ ଯାଇଥିଲୁ । ତାହାକୁ ଦେଖି ଆମକୁ କଷ୍ଟ ଲାଗିଲା । କାରଣ ସେହି କାଠ ନିକଟରେ କେହି ନାହାନ୍ତି କି କିଛି ସୁରକ୍ଷା ନାହିଁ । ତାହା ବଡ଼ଦାଣ୍ଡରେ ରହିଛି ଏବଂ ତାହା ଉପରେ ବ୍ୟବସାୟୀମାନେ ବସି ବେପାର କରିବା ସହ ଗୋଡ଼ ମଧ୍ୟ ରଖିଛନ୍ତି । ଏହି ଦୃଶ୍ୟକୁ ଦେଖି ମନରେ ଭାବାବେଗ ଉପରେ ପ୍ରଭାବ ପଡ଼ିଲା । ସେହି କାଠକୁ ମୁଣ୍ଡରେ ମାରି ଫେରିଲୁ, ହେଲେ ମନକୁ ବହୁତ କଷ୍ଟ ଲାଗିଲା । ଏହା ଉପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।