ପ୍ରଥମ ଥର ଫାଇନାଲ୍ରେ ଦ. ଆଫ୍ରିକା
ମହିଳା ଟି-୨୦ ବିଶ୍ୱକପ୍
କେପ୍ ଟାଉନ୍, ୨୪ା୨ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ଶୁକ୍ରବାର ରୋମାଞ୍ଚକର ମୁକାବିଲାରେ ୬ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି । ଆଫ୍ରିକୀୟ ଟିମ୍ ପ୍ରଥମ ଥର ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ସ୍ଥାନ ପାଇଛି । ମ୍ୟାଚ୍ରେ ସର୍ବାଧିକ ସ୍କୋର୍ କରିଥିବା ତାଜମିନ୍ ବ୍ରଟ୍ସ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ରବିବାର ଦକ୍ଷିଣ ଆଫ୍ରିକା ମୁକୁଟ ଲଢ଼େଇରେ ଅଷ୍ଟ୍ରେଲିଆକୁ ଭେଟିବ । ଗୁରୁବାର କଙ୍ଗାରୁ ଟିମ୍ ପ୍ରଥମ ସେମିଫାଇନାଲ୍ରେ ଭାରତକୁ ହରାଇଥିଲା ।
ଦକ୍ଷିଣ ଆଫ୍ରିକୀୟ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା । ଲୌରା ଉଲ୍ଭାର୍ଟ ଓ ତଜମିନ୍ ବ୍ରିଟ୍ସ ଓପନିଂ ୱିକେଟ୍ ପାଇଁ ୯୬ (୮୨ ବଲ୍ରୁ) ରନ୍ର ଭାଗୀଦାରୀ କରି ଏକ ବଡ଼ ସ୍କୋର୍ ପାଇଁ ମୂଳଦୁଆ ପକାଇଥିଲେ । ଉଲ୍ଭାର୍ଟ ୪୪ ବଲ୍ରୁ ୫୩ ରନ୍ କରିଥିବା ବେଳେ ବ୍ରିଟ୍ସ ୫୬ ବଲ୍ରୁ ୬୮ ରନ୍ର ଇନିଂସ୍ ଖେଳିଥିଲେ । ମାରିଜାନେ କାପ୍ ୨୭ ଓ ଅଧିନାୟକ ସୁନ୍ ଲୁସ୍ ୩ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ସୋଫି ଏକ୍ଲେଷ୍ଟୋନ୍ ୩ ଓ ଲୌରେନ୍ ବେଲ୍ ଗୋଟିଏ ୱିକେଟ୍ ନେଇଥିଲେ ।
ଜବାବରେ ଇଂଲଣ୍ଡ ଟିମ୍ ୮ ୱିକେଟ୍ ହରାଇ ୧୫୮ ରନ୍ କରିବାକୁ ସମର୍ଥ ହୋଇଥିଲା । ଶେଷ ଓଭର୍ରେ ଟିମ୍କୁ ଜିତିବା ପାଇଁ ୧୩ ରନ୍ ଆବଶ୍ୟକ ଥିଲା । କିନ୍ତୁ ଶବନମ୍ ଇସ୍ମାଇଲ୍ ୬ ରନ୍ ଦେଇଥିଲେ ।
ଇଂଲଣ୍ଡ ପକ୍ଷରୁ ନାଟ୍ ସ୍କିଭର-ବ୍ରଣ୍ଟ ୪୦, ଡାନି ହ୍ୱାଟ୍ ୩୪, ଅଧିନାୟକ ହିଥର ନାଇଟ୍ ୩୧, ସୋଫି ଡଙ୍କଲେ ୨୮ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅୟାବୋଙ୍ଗା ଖାଖା ୪, ଇସ୍ମାଇଲ୍ ୩ ଓ ନଦିନେ ଡି କ୍ଲର୍କ ଗୋଟିଏ ୱିକେଟ୍ ନେଇଥିଲେ ।