ଗୋପବନ୍ଧୁ ଥିଲେ ଯୁଗପୁରୁଷ
ମହାପୁରୁଷଙ୍କ ଜନ୍ମପୀଠର ବିକାଶ ସୁଆଣ୍ଡୋରୁ ଆରମ୍ଭ
ପୁରୀ/ସାକ୍ଷୀଗୋପାଳ,୨୩ା୨ (ବୁ୍ୟରୋ): ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ କରାଯାଇଥିବା ଐତିହ୍ୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ବିକଶିତ ଶିବ ମନ୍ଦିର, ପୋଖରୀ, ମୁ୍ୟଜିୟମ ଓ ପୈତୃକ ବାସଗୃହର ଉଦ୍ଘାଟନ କରିଛନ୍ତି । ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଗଟନାୟକିଆ ଠାରେ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡ଼ିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍ ହେବ । ୫-ଟି ଉପକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉକ୍ରଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡ଼ିଶାର ଗୌରବ ବଢ଼ାଇଛି । ଉକ୍ରଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ଓଡ଼ିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୁହେଁ, ତ୍ୟାଗ ହିଁ ମହାନ୍, ସେବା ହିଁ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ “ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉକ୍ରଳମଣୀଙ୍କ ପରିବାର ଓ ସୁଆଣ୍ଡୋର ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଗୋପବନ୍ଧୁଙ୍କ ନାତି ଧିରେନ୍ଦ୍ର କୁମାର ଦାସ, ଉକ୍ରଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ୱାରା ରାଜ୍ୟରେ ମହାପୁରୁଷଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଲୋକ ସେବକ ମଣ୍ଡଳ ଉପାଧ୍ୟକ୍ଷ ନିରଞ୍ଜନ ରଥ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଲୋକସଭା ସାସଂଦ ଡ. ରାଜଶ୍ରୀ ମଲ୍ଲିକ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପ ସଭାପତି ସ୍ୱାଧୀନ ନାୟକ, ସତ୍ୟବାଦୀ ବ୍ଲକ୍ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସମାଜ ସମ୍ପାଦକ କାନନ ବିହାରୀ ଦାଶ, ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉକ୍ରଳମଣୀଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ସମ୍ପର୍କୀୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୫-ଟି ଉପକ୍ରମରେ ଉକ୍ରଳମଣୀଙ୍କ ଜନ୍ମସ୍ଥାନ ରୂପାନ୍ତରରେ ପୁରୀର ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା ଧନ୍ୟବାଦ ଦେଇଥିଲେ ।