ଓଡ଼ିଶା ହେବ ପୂର୍ବ ଭାରତର ଶିଳ୍ପ ହବ୍

ଭୁବନେଶ୍ୱର, ୨୩ା୨ (ବୁ୍ୟରୋ): ରାଜ୍ୟ ସରକାରଙ୍କ ବିକାଶ ମୂଳକ ଏଜେଣ୍ଡା, ଅଭିବୃଦ୍ଧି ଓ ସଶକ୍ତ ବିକଶିତ ଭିତ୍ତି ପାଇଁ ରାଜ୍ୟବାସୀ ଆମ ସରକାରଙ୍କ ଉପରେ ବାରମ୍ବାର ଭରସା କରିଛନ୍ତି । ସେମାନଙ୍କ ଆସ୍ଥା ଓ ସମର୍ଥନରୁ ଓଡ଼ିଶା ଆଜି ବିକାଶର ରାସ୍ତାରେ ଅଗ୍ରସର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୋ ଜନପି୍ରୟ ସରକାର ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ୫-ଟି ନୀତି ଆପଣାଯାଇଛି । ଆଜି ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟଭାବେ ଉଦାହରଣ ପାଲଟିଛି । ହକି ବିଶ୍ୱକପ୍ ସଫଳତାର ସହ ଆୟୋଜନ କରି ଓଡ଼ିଶା ସାରା ବିଶ୍ୱର ପ୍ରଶଂସା ସାଉଣ୍ଟିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି । କୋଭିଡ୍ ପ୍ରତିବନ୍ଧକ ସତ୍ତ୍ୱେ ଧାର୍ଯ୍ୟ ସମୟରେ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମ ଶେଷ ହେବା ଏକ ବଡ଼ ଉପଲବ୍ଧô । ମେକ୍-ଇନ୍ ଓଡ଼ିଶା ବେସ୍ ସଫଳ ହୋଇଛି ।
ଆମର ସ୍ଥିର ସରକାର ଓ ନୂଆ ଶିଳ୍ପ ନୀତି ୨୦୨୨ ପାଇଁ ଏଠାରେ ନିବେଶ ପାଇଁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶା ପୂର୍ବ ଭାରତର ଶିଳ୍ପହବ୍ ହେବ । କୃଷିକ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷିକ୍ଷେତ୍ରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି । ଏଥିପାଇଁ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଓ ବଳରାମ ଭଳି
ଯୋଜନା ଚାଷୀଙ୍କ ଆୟ ବୃଦ୍ଧି ସହ ଚାଷୀଙ୍କୁ ବେଶ୍ ସହାୟତ ହୋଇ ପାରିଛି । ଚାଷ ଜମିକୁ ଜଳସେଚନ ପାଇଁ ଚଳିତ ବର୍ଷ ବହୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହାର ସୁଫଳ ଖୁବ୍ଶୀଘ୍ର ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରାଜ୍ୟର ୧୦ ଲକ୍ଷ ପରିବାର ବିନା ମୂଲ୍ୟରେ ସ୍ୱାସ୍ଥ୍ୟସେବା ମିଳୁଛି । ଏହାରି ଭିତରେ ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ତିନିଟି ନୂଆ ମେଡ଼ିକାଲ କଲେଜ ଖୋଲାଯାଇଛି । ୫-ଟିରେ ବହୁ ହାଇସ୍କୁଲ ନୂଆ ରୂପ ପାଇଥିବା ବେଳେ ମୋ ସ୍କୁଲ ଓ ମୋ କଲେଜ ଅଭିଯାନକୁ ମଧ୍ୟ ସମର୍ଥନ ମିଳିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ଏବେ ବଳକା ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟର ମାନ୍ୟତା ଲାଭ କରିଛି । ୨୦୨୦-୨୧ ରେ ରାଜ୍ୟର ଖଦ୍ୟଶସ୍ୟ ଉତ୍ପାଦନ ୧୩୦.୩୯ ଲକ୍ଷ ମେଟ୍ରିକ୍ ଟନ୍ ଛୁଇଁଛି, ଯାହାକୁ ଗତ ୨୦ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି । ସେହିପରି ଓଡିଶାରେ ଧାନ ଉତ୍ପାଦନ ହେକ୍ଟର ପିଛା ସର୍ବକାଳୀନ ସର୍ବାଧିକ ସ୍ତର ୨୭୩୦ କିଲୋଗ୍ରାମ ଛୁଇଁଥିବା ବେଳେ ୨- ବର୍ଷ ମଧ୍ୟରେ ଏହା ୨.୫ ଗୁଣା ବୃଦ୍ଧି ପାଇଛି । ମାଣ୍ଡିଆ ସହିତ ଅନ୍ୟାନ୍ୟ ବାଜରା ଜାତୀୟ ଫସଲକୁ ବିଶ୍ୱସ୍ତରେ ପ୍ରୋତ୍ସାହିତ କରିବା ପାଇଁ ଭାରତ ପ୍ରଥମ ରାଜ୍ୟ ଭାବେ ଓଡିଶା ନଭେମ୍ବର ୧୦ ତାରିଖକୁ ମିଲେଟ୍ ଦିବସ ଭାବରେ ପାଳନ କରୁଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪୧.୦୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୬୯ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ସେହିପରି ୨୦୨୧-୨୨ ରେ ଆରମ୍ଭ ହୋଇଥିବା କାଳିଆ ସ୍କଲାରସିପ୍ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୭୬୫ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢିକରଣ ପାଇଁ ରାଜ୍ୟ ସରକାର ୭୬୩ କୋଟି ଟଙ୍କା ବ୍ୟୟରେ ୧୯୯ କି.ମି ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ହାତକୁ ନେଇଛନ୍ତି । ସ୍ୱଚ୍ଛତା ଏବଂ ବଜେଟ୍ ବିଶ୍ୱସନୀୟତା ବୃଦ୍ଧି ପାଇଁ ମୋ ସରକାର ଅର୍ଥ ବିଭାଗର ୱେବ୍ ସାଇଟ୍ ତଥା ଉତ୍ସର୍ଗୀକୃତ ଓଡିଶା ବଜେଟ୍ ପୋର୍ଟାଲ ଉପଭୋକ୍ତା ଅନୁକୂଳ ଫର୍ମାଟ୍ରେ ସମ୍ପୂର୍ଣ୍ଣ ବଜେଟ୍ ସୂଚନା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ୨୦୨୨-୨୩ ବାର୍ଷିକ ବଜେଟ୍ ସହିତ ବିକାଶ ଲକ୍ଷ୍ୟ ବଜେଟ୍ ଏବଂ ସରକାରୀ ଋଣ ସ୍ଥିତିସମ୍ପର୍କୀତ ତଥ୍ୟ ପ୍ରକଟ କରି ବଜେଟ୍ ସ୍ୱଚ୍ଛତା ଏବଂ ପ୍ରକଟନ କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିଛନ୍ତି । ଭବିଷ୍ୟତରେ ରାଜସ୍ୱ ଆଭାବକୁ ପୂରଣ କରିବା ପାଇଁ ବଜେଟ୍ ସ୍ଥିରତା ପାଣ୍ଠି ସ୍ଥାପନ କରିବାରେ ଓଡିଶା ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *