ସେମିରେ ହାରିଲା ଭାରତ
ମହିଳା ଟି-୨ଠ ବିଶ୍ୱକପ୍
୫ ରନ୍ରେ ଜିତି ସପ୍ତମ ଥର ଫାଇନାଲ୍ରେ ଅଷ୍ଟ୍ରେଲିଆ
କେପ୍ଟାଉନ୍, ୨୩ା୨ (ଏଜେନ୍ସି): ଭାରତ ଗୁରୁବାର ମହିଳା ଟି-୨୦ ବିଶ୍ୱକପ୍ର ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ୫ ରନ୍ରେ ପରାଜିତ ହୋଇଛି । ଏଥିସହିତ ଟିମ୍ ଇଣ୍ଡିଆର ପ୍ରଥମ ଥର ବିଶ୍ୱ ବିଜେତା ହେବାର ସ୍ୱପ୍ନ ପୁଣି ଥରେ ଅଧୁରା ରହିଯାଇଛି । ଅଷ୍ଟ୍ରେଲିଆର ଆଶଲେ ଗାର୍ଡନର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଭାରତ ଚତୁର୍ଥ ଥର ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ରେ ହାରିଯାଇଥିଲା । ପୂର୍ବ ଥର ଟିମ୍ ଫାଇନାଲ୍ରେ ହାରିଯାଇଥିଲା । ସେଥର ବି ଅଷ୍ଟ୍ରେଲିଆ ପାଇଁ ପ୍ରତିବନ୍ଧକ ସାଜିଥିଲା ।
ନୁ୍ୟଲାଣ୍ଡ୍ସ ଗ୍ରାଉଣ୍ଡରେ ପାଞ୍ଚ ଥର ବିଜେତା ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କଙ୍ଗାରୁ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଟିମ୍ ୮ ୱିକେଟ୍ ହରାଇ ୧୬୭ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଟି-୨୦ କ୍ୟାରିଅରର ୧୦ମ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୩୪ ବଲ୍ରୁ ୫୨ ରନ୍ର ଇନିଂସ୍ ଖେଳିଥିଲେ । ସେଥିରେ ୬ ଚୌକା ଓ ୧ ଛକା ରହିଥିଲା ।
ଭାରତୀୟ ଟିମ୍ରେ ତିନି ପରିବର୍ତ୍ତନ କରାଯାଇଥିଲା । ଅସୁସ୍ଥ ପୂଜା ବସ୍ତ୍ରାକାରଙ୍କ ସ୍ଥାନରେ ସ୍ନେହ ରାଣା, ଦେବିକା ବୈଦ୍ୟଙ୍କ ସ୍ଥାନରେ ଯସ୍ତିକା ଭାଟିଆ ଓ ରାଜେଶ୍ୱରୀ ଗାଏକୱାଡ଼ଙ୍କ ସ୍ଥାନରେ ରାଧା ଯାଦବ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହୋଇଥିଲେ । ସେହିପରି ଅଷ୍ଟ୍ରେଲୀୟ ଟିମ୍ରେ ଏଲାନା କିଙ୍ଗ୍ଙ୍କ ସ୍ଥାନରେ ଜେସ୍ ଜୋନାସନ୍ ଓ ଏନାବେଲ୍ ସଦରଲାଣ୍ଡଙ୍କ ସ୍ଥାନରେ ଏଲିସା ହୀଲୀଙ୍କୁ ସାମିଲ୍ କରାଯାଇଥିଲା ।
୧୭୩ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ଭାରତୀୟ ଟିମ୍ ମାତ୍ର ୨୮ ରନ୍ରେ ତିନି ଶୀର୍ଷକ୍ରମ ବ୍ୟାଟର୍ଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଓପନର୍ ଶେଫାଲୀ ବର୍ମା ୯ ଓ ସ୍ମୃତି ମାନ୍ଧାନା ୨ ରନ୍ କରି ଯଥାକ୍ରମେ ମେଗାନ୍ ସଟ୍ ଓ ଆସ୍ଲେ ଗାର୍ଡନରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଜେମିମା ରୋଡ୍ରିଗ୍ସ ଓ ଅଧିନାୟିକା ହରମନପ୍ରୀତ କୌର ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୪୦ ବଲ୍ରୁ ୬୯ ରନ୍ର ଭାଗୀଦାରୀ ହୋଇଥିଲା । ଜେମିମା ୨୪ ବଲ୍ରୁ ୪୩ ରନ୍ କରି ଡାର୍ସି ବ୍ରାଉନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହାପରେ ହରମନପ୍ରୀତ ନୂଆ ବ୍ୟାଟର୍ ରିଚା ଘୋଷଙ୍କ ସହ ମିଶି ପଞ୍ଚମ ୱିକେଟ୍ ପାଇଁ ୩୬ ରନ୍ ଯୋଗ କରିଥିଲେ । ହରମନପ୍ରୀତ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଏହାପରେ ଭାରତର ଆଶା ବି ମଉଳି ଯାଇଥିଲା । ଇତ୍ୟବସରେ ସ୍ନେହ ୧୧ ଓ ରାଧା କୌଣସି ସ୍କୋର୍ ନ କରି ଆଉଟ୍ ହୋଇଥିଲେ । ଦୀପ୍ତି ଶର୍ମା ୨୦ ଓ ଶିଖା ପାଣ୍ଡେ ୧ ରନ୍ କରି ଅପରାଜିତ ଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଗାର୍ଡନର ଓ ବ୍ରାଉନ୍ ୨ ଲେଖାଏଁ ଏବଂ ସଟ୍ ଓ ଜୋନାସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଓପନର୍ ବେଥ୍ ମୁନୀ ୩୭ ବଲ୍ରୁ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଅଧିନାୟିକା ମେଗ୍ ଲାନିଙ୍ଗ୍ ୩୪ ବଲ୍ରୁ ଅପରାଜିତ ୪୯, ଗାର୍ଡନର ୩୧, ଆଲିସା ହୀଲୀ ୨୫, ଗ୍ରେସ୍ ହାରିସ୍ ୭ ଓ ଏଲିସି ପେରୀ ଅପରାଜିତ ୨ ରନ୍ କରିଥିଲେ ।