କରୋନା ଭୟ: ଘର ଭିତରେ ପୁଅ ସହ ୩ ବର୍ଷ

ଚାକିରିକୁ ଯାଉଥିବାରୁ ସ୍ୱାମୀଙ୍କୁ ବି ଘରେ ପୂରାଉ ନ ଥିଲେ
କରୋନା ଭୟ: ଘର
ଭିତରେ ପୁଅ ସହ ୩ ବର୍ଷ
ଗୁରୁଗ୍ରାମ(ଏଜେନ୍ସି): ଗୁରୁଗ୍ରାମ ଥାନା ସେକ୍ଟର-୨୯ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ ନିଜର ୧ଠ ବର୍ଷର ପୁଅକୁ ଘରେ ବନ୍ଦ କରି ରହିଥିଲେ । ତେବେ ଦୀର୍ଘ ୩ ବର୍ଷ ପରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକ୍ରମେ ସ୍ୱାସ୍ଥ୍ୟ ବିଭାଗ ପୁଲିସ୍ ଟିମ୍ ସହାୟତାରେ ଉଭୟ ମହିଳା ଏବଂ ପୁଅକୁ ବନ୍ଦ ଘରୁ ଉଦ୍ଧାର କରିଛନ୍ତି । ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯାଇଛି । ଯାଞ୍ଚ୍ କାଳରେ ମହିଳାଙ୍କ ଠାରେ ମାନସିକ ସମସ୍ୟା ରହିଥିବା ଡାକ୍ତରୀ ଦଳ ଜାଣିବାକୁ ପାଇଛି । ଏବେ ମହିଳାଙ୍କ କାଉନ୍ସିଲିଂ କରାଯିବ ବୋଲି ଡାକ୍ତର କହିଛନ୍ତି । ତେବେ ପୁଅ ଶୋଭିତ୍ କିନ୍ତୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ଥିବା ଜଣାପଡିଛି ।
ପଶ୍ଚିମବଙ୍ଗର ମୂଳ ବାସିନ୍ଦା ସୁଜାନ୍ ମାଞ୍ଝି ଓ ତାଙ୍କ ପତ୍ନୀ ମୁନମୁନ ମାଞ୍ଝି ନିଜ ୧ଠ ବର୍ଷର ପୁଅ ଶୋଭିତ ସହ ମାରୁତି ବିହାର କଲୋନିରେ ରହୁଥିଲେ । ସୁଜାନ୍ ଏଠାରେ ଏକ କମ୍ପାନୀରେ ନିଯୁକ୍ତି ପାଇଥିବାରୁ ନିଜ ପରିବାରକୁ ଏଠାକୁ ନେଇ ଆସିଥିଲେ । ତେବେ ୨ଠ୨ଠରେ କରୋନା ମହାମାରୀ ଯୋଗୁ ଲୋକଙ୍କ ମୃତୁ୍ୟ ହେଉଥିବା ଜାଣି ମୁନମୁନ୍ ଭୟଭୀତ ହୋଇପଡିଥିଲେ । ସେ ନିଜ ପୁଅ ଏବଂ ସ୍ୱାମୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ । ଫଳରେ ସେ ନିଜ ସହ ପୁଅ ଓ ସ୍ୱାମୀଙ୍କୁ ୨୪ ଘଣ୍ଟା ଘର ଭିତରେ ରହିବାକୁ ବାଧ୍ୟ କରୁଥିଲେ । କରୋନାକୁ ନେଇ ମୁନମୁନ୍ ଏତେ ଭୟଭୀତ ହୋଇପଡିଥିଲେ ଯେ, ସେ ଆଦୌ ଘରୁ ବାହାରକୁ ବାହାରୁନଥିଲେ । ଘରର ଅଳିଆ ଆବର୍ଜନା ମଧ୍ୟ ସେ ବାହାରେ ଫିଙ୍ଗିବାକୁ ଆସୁନଥିଲେ । ଏପରିକି କାମ ସଂକ୍ରାନ୍ତରେ ସୁଜାନ୍ଙ୍କୁ ବାରମ୍ବାର ବାହାରକୁ ଯିବାକୁ ପଡୁଥିବାରୁ ମୁନମୁନ୍ ନିଜ ସ୍ୱାମୀଙ୍କୁ ମଧ୍ୟ ଆଉ ଘରେ ପୁରାଉନଥିଲେ । ବାଧ୍ୟହୋଇ ସୁଜାନ୍ ଆଉ ଏକ ଭଡାଘର ନେଇ ରହିଆସୁଥିଲେ । ଏହି ପ୍ରକ୍ରିୟା ଦୀର୍ଘ ୩ବର୍ଷ ଧରି ଚାଲିଥିଲା । ଏହି ସମୟ ସୁଦ୍ଧା ସୁଜାନ୍ଙ୍କ ସହ ମୁନ୍ମୁନ୍ଙ୍କ ପରିବାର ଲୋକେ ମଧ୍ୟ ମୁନ୍ମୁନ୍ଙ୍କୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ମୁନ୍ମୁନ୍ କାହା କଥା ଶୁଣୁନଥିଲେ । ଓଲଟା ବେଶି ବାଧ୍ୟ କରିବାରୁ ସେ ଆତ୍ମହତ୍ୟା ଧମକ ଦେଉଥିଲେ । କିନ୍ତୁ ସୁଜାନ୍ ନିଜ ପୁଅ ଓ ପତ୍ନୀଙ୍କୁ ଯେପରି କୌଣସି ସମସ୍ୟା ନହେବ ସେନେଇ ବେଶ୍ ସତର୍କ ତଥା ଦାୟିତ୍ୱବାନ୍ ରହିଥିଲେ । ସ୍ତ୍ରୀ ଓ ପୁଅ ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ସାମଗ୍ରୀ ସୁଜାନ୍ ହିଁ ଘରବାହାରେ ରଖିଦେଇ ଆସୁଥିଲେ । ଏପରିକି ପାଣି ବିଲ୍, ବିଜୁଳି ବିଲ୍, କେବୁଲ ବିଲ୍ ସବୁ ସୁଜାନ୍ ହିଁ ବାହାରୁ ଭରୁଥିଲେ । ୩ବର୍ଷ ବିତିବା ପରେ ସୁଜାନ୍ ବାଧ୍ୟହୋଇ ପୁଲିସ୍ ଏବଂ ମେଡିକାଲ ଟିମ ସହାୟତାରେ ଘରୁ ନିଜ ପୁଅ ଓ ପତ୍ନୀଙ୍କୁ ଉଦ୍ଧାର କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *