ପ୍ରଧାନମନ୍ତ୍ରୀ ରୂପେ ଆମକୁ ମୋଦି ଆବଶ୍ୟକ
ଭାଇରାଲ୍ ହେଉଛି ପାକ୍ ଯୁବକଙ୍କ ଭିଡିଓ
ଲାହୋର (ଏଜେନ୍ସି): ଦେବାଳିଆ ହୋଇସାରିଥିବା ପାକିସ୍ତାନରେ ଏବେ ସ୍ଥିତି ବେଶ୍ ଖରାପ ରହିଛି । ସର୍ବୋଚ୍ଚସ୍ତରରେ ମହଙ୍ଗା ହାର ପହଞ୍ଚôଥିବା ବେଳେ ସାଧାରଣ ଲୋଖେ ଖାଦ୍ୟ ସାମଗ୍ରୀ କିଣିବା ପାଇଁ, ଖାଇବା ପାଇଁ ମଧ୍ୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ସମସ୍ୟାର ସମାଧାନର ନିରାକରଣ କରିବା ଦିଗରେ ନିଜକୁ ଅସହାୟ ଦର୍ଶାଉଛନ୍ତି । ତେବେ ଦେଶର ଏପ୍ରକାର ସଂକଟ ପାଇଁ ପାକିସ୍ତାନୀ ନାଗରିକ ଏବେ ରାଜନୈତିକ ନେତାମାନଙ୍କୁ ଦାୟୀ କରୁଛନ୍ତି । ସାଧାରଣ ଲୋକେ ଏବେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ପାକିସ୍ତାନ ନାଗରିକଙ୍କ ମଧ୍ୟରେ ଭାରତ ଏବଂ ଭାରତର ନେତୃତ୍ୱ ନେଉଥିବା ସରକାରଙ୍କ ସମ୍ପର୍କରେ ମତାମତ କ’ଣ ରହିଛି ସେସମ୍ପର୍କୀତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଭିଡିଓଟିରେ ଜଣେ ଯୁବ ପାକିସ୍ତାନୀ ନାଗରିକ, ଭାରତ ଏବଂ ଭାରତର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବେଶ୍ ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି । ଯୁବକଜଣକ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି, ସେମାନଙ୍କୁ କିଛି ବି ଦରକାର ନାହିଁ, କେବଳ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ହିଁ ଆବଶ୍ୟକ । ଈଶ୍ୱରଙ୍କୁ କେବଳ ସେ ଏତିକି ପ୍ରାର୍ଥନା କରୁଛନ୍ତି । ମୋଦି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ, ସେଠାରେ ମଧ୍ୟ ଟମାଟୋ କିଲୋ ପିଛା ୨ଠ ଟଙ୍କା, କୁକୁଡା କିଲୋ ପିଛା ୧୫ଠ ଟଙ୍କା ଏବଂ ପେଟ୍ରୋଲ ଲିଟର ପ୍ରତି ୮ଠ/୯ଠ ଟଙ୍କା ହୋଇପାରିବ । ପ୍ରତ୍ୟେକ ପାକିସ୍ତାନୀଙ୍କ ମନରେ ମୋଦିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଛି, ତେଣିକି କିଛି ଲୋକ ଏହାକୁ ସର୍ବସାଧାରଣରେ ହୁଏତ ସ୍ୱୀକାର କରିନପାରନ୍ତି ।
ଯୁବକଜଣକ କହିଛନ୍ତି, ପ୍ରତ୍ୟେକ ପାକିସ୍ତାନୀ ନାଗରିକ ଆଜି ନିଜକୁ ଭାରତୀୟଙ୍କ ସହ ତୁଳନା କରୁଛନ୍ତି ଏବଂ ପାକିସ୍ତାନରେ ଜନ୍ମ ନେଇଥିବାରୁ ନିଜ ଭାଗ୍ୟକୁ ନିଜେ ଧିକ୍କାର କରୁଛନ୍ତି । ଏହା କେବଳ ତାଙ୍କର ମନର କଥା ନୁହେଁ ବରଂ ବର୍ତ୍ତମାନ ସମୟରେ ୯୫% ପାକିସ୍ତାନୀ ନାଗରିକଙ୍କ ମନରେ ଏହି ଗୋଟିଏ ମନସ୍କାମନା ରହିଥିବା ସେ ଅନୁଭବ କରିପାରୁଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି, ପାକିସ୍ତାନୀ ନେତାମାନଙ୍କ ତୁଳନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏକ ଲକ୍ଷ ଗୁଣରେ ଭଲ ଏବଂ ଦକ୍ଷ । ଯୁବକଙ୍କ କହିବାନୁସାରେ ଯଦି ଭାରତ-ପାକିସ୍ତାନ ଆଜି ଗୋଟିଏ ଦେଶ ହୋଇ ରହିଥାନ୍ତେ ଅର୍ଥାତ୍ କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ଇଚ୍ଛା ସାକାର କରିବା ପାଇଁ ପାକିସ୍ତାନ, ୧୯୪୭ରେ ଭାରତ ଠାରୁ ଯଦି ପୃଥକ୍ ହୋଇନଥାନ୍ତା ତେବେ ସେମାନେ ମଧ୍ୟ ଆଜି ଭାରତୀୟ ନାଗରିକ ଭାବେ ଶାନ୍ତିରେ ଜୀବନଜାପନ କରୁଥାନ୍ତେ । ଦରଦାମ ନିୟନ୍ତ୍ରଣରେ ଥାଆନ୍ତା । ଆତ୍ମନିର୍ଭର ଯୋଜନାରେ ସେମାନେ (ପାକିସ୍ତାନୀ ଯୁବଗୋଷ୍ଠୀ) ଆତ୍ମନିର୍ଭର ହୋଇପାରିଥାନ୍ତେ, ସେମାନଙ୍କୁ ରୋଜଗାର ମିଳୁଥାନ୍ତା । ସେହିପରି ଆତଙ୍କବାଦୀ ରାଷ୍ଟ୍ରର ଯେଉଁ ମୋହର ପାକିସ୍ତାନ ଉପରେ ଲାଗିଛି ତାହା ମଧ୍ୟ ହୋଇନଥାନ୍ତା । ସେମାନେ ମଧ୍ୟ ବିଶ୍ୱର କୋଣ ଅନୁକୋଣରେ ଭାରତୀୟଙ୍କ ଭଳି ମୁଣ୍ଡ ଟେକି ସମ୍ମାନର ସହ ଜୀବନ ବଞ୍ଚୁଥାଆନ୍ତେ । ମୋଦି ଥିଲେ ସେମାନଙ୍କୁ ଇମ୍ରାନ୍ ଖାନ୍, ନୱାଜ୍ ଶରିଫ, ଶେହବାଜ୍ ଶରିଫ କିମ୍ବା ବେନଜିର ଭୁଟ୍ଟୋ, ଦିବଂଗତ ପରଭେଜ୍ ମୁଶାରଫ୍ଙ୍କ ଭଳି ଶାସକଙ୍କ ଆବଶ୍ୟକତା ପଡିନଥାନ୍ତା । ମୋଦି ଜଣେ ମହାନ ବ୍ୟକ୍ତି ବୋଲି ଯୁବକ କହିଛନ୍ତି ।