ଥାନା ଉପରେ ଖଲିସ୍ତାନୀ ଆକ୍ରମଣ
ଅମୃତସର (ଏଜେନ୍ସି): ପଞ୍ଜାବରେ ଗୁରୁବାର ଖଲିସ୍ତାନୀ ସମର୍ଥକ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ ପକ୍ଷରୁ ହଜାର ହଜାର ବିକ୍ଷୋଭକାରୀ (ନିହଙ୍ଗ) ପୁଲିସ୍ ବ୍ୟାରିକେଡ୍ ଭାଙ୍ଗି ଅମୃତସର ସ୍ଥିତ ଅଜନାଲା ଥାନା ଉପରେ ଆକ୍ରମଣ କରିଛନ୍ତି । ସଂଗଠନ ମୁଖ୍ୟ ଅମୃତପାଲ୍ ସିଂହଙ୍କ ନିଦେ୍ର୍ଦଶକ୍ରମେ ଆକ୍ରମଣକାରୀମାନେ ବନ୍ଧୁକ ଏବଂ ଖଣ୍ଡା ନେଇ ଥାନା ଉପରେ ଆକ୍ରମଣ କରିବାରୁ ଅନେକ ପୁଲିସ୍ କର୍ମୀ ଗୁରୁତର ଆହତ ହୋଇଛନ୍ତି । ୯/୧ଠ ପୁଲିସ୍ କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ କେବଳ ସେତିକି ନୁହେଁ, ଥାନା ପରିସରରେ ଥିବା ପୁଲିସ୍ ଗାଡ଼ିକୁ ମଧ୍ୟ ଆକ୍ରମଣକାରୀମାନେ ପୋଡାଜଳା କରିଛନ୍ତି । ପ୍ରକାଶ, ଅମୃତପାଲଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୋଫାନ୍ଙ୍କୁ ଖଲିସ୍ତାନୀ ଲିଙ୍କ୍ ଅଭିଯୋଗରେ ପଞ୍ଜାବ ପୁଲିସ୍ ଗିରଫ କରିବା ପରେ ପରେ ଏହାକୁ ନେଇ ୱାରିଶ୍ ପଞ୍ଜାବ ଦେ’ ସମର୍ଥକଙ୍କ ମଧ୍ୟରେ ଆକ୍ରୋଶ ରହିଥିଲା ।
ଅନ୍ୟପକ୍ଷେ ଅମୃତ୍ପାଲ୍ ସିଂହ ଆତ୍ମସମର୍ପଣ କରିବା ପାଇଁ ପଞ୍ଜାବ ପୁଲିସ୍ ପକ୍ଷରୁ ଚାପ ପକାଯିବା ପରେ ଏହାକୁ ବିରୋଧ କରିବା ପୂର୍ବକ ସଂଗଠନର ସମର୍ଥକ ଏପ୍ରକାର ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଥିବା କୁହାଯାଉଛି । ଅମୃତପାଲ୍ ଏହି ପରିପ୍ରେକ୍ଷୀରେ ଧମକ ଦେଇ କହିଛନ୍ତି, ତାଙ୍କ ବିରୋଧରେ ଏବଂ ଲଭପ୍ରୀତ୍ ତୋଫାନ୍ଙ୍କ ବିରୋଧରେ ରାଜନୈତିକ ଉଦେ୍ଦଶ୍ୟ ରଖି ଏଫଆଇଆର୍ ରୁଜୁ କରାଯାଇଛି । ଏହାକୁ ରଦ୍ଦ କରାନଗଲେ ପରିଣାମ ଭୟଙ୍କର ହେବ ଏବଂ ଏସବୁ ପାଇଁ ପ୍ରଶାସନ ତଥା ସରକାର ଦାୟୀ ରହିବେ । ଏତଦ୍ବ୍ୟତୀତ ସେ ଶାହାଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଧମକ ଦେଇ କହିଛନ୍ତି, ପୂର୍ବତନ ତଥା ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ଶାହାଙ୍କୁ ମଧ୍ୟ ହତ୍ୟା କରାଯିବ । ପ୍ରକାଶ, ସ୍ୱତନ୍ତ୍ର ଖଲିସ୍ତାନ ପ୍ରଦେଶ ଗଠନ ଦାବିରେ ଜାରି ରହିଥିବା ଖଲିସ୍ତାନ ଆନେ୍ଦାଳନକୁ ଆଗକୁ ବଢ଼ିବାକୁ ଦିଆଯିବ ନାହିଁ ବୋଲି ଶାହା ନିୟମିତ ଭାବେ କହିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଅମୃତପାଲ ଏପ୍ରକାର ଧମକ ଦେଇଛି । ଅମୃତପାଲ୍ କହିବାନୁସାରେ ଯଦି ଦେଶରେ ହିନ୍ଦୁ ଲୋକ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଦାବି କରିପାରିବେ ତେବେ ଖଲିସ୍ତାନୀ ଏକ ସ୍ୱତନ୍ତ୍ର ଖଲିସ୍ତାନ ଗଠନ ପାଇଁ କାହିଁକି ଦାବି କରିପାରିବେନି?
ଅନ୍ୟପକ୍ଷେ ଅମୃତ୍ପାଲ୍ ସିଂହଙ୍କ ଏପ୍ରକାର ଚେତାବନୀର କିଛି ସମୟ ମଧ୍ୟରେ ତାଙ୍କ ସହଯୋଗୀ ଲଭପ୍ରୀତ ତୋଫାନ୍ଙ୍କୁ ପଞ୍ଜାବ ପୁଲିସ୍ ମୁକ୍ତ କରିବା ନେଇ ଘୋଷଣା କରିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଗୁରୁବାର ‘ୱାରିସ୍ ପଞ୍ଜାବ ଦେ’ ପକ୍ଷରୁ ଘଟାଯାଇଥିବା ହିଂସାକାଣ୍ଡ ଉପରେ ତଦନ୍ତ କରିବା ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯିବ ବୋଲି ପଞ୍ଜାବ ପୁଲିସ କମିଶନର ଜସକରଣ ସିଂହ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଅଜନାଲା ଥାନା ପୁଲିସ୍, ଜଣେ ଯୁବକର ଅପହରଣ ଏବଂ ଆକ୍ରମଣ ମାମଲାରେ ୱାରିଶ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂହ ଖାଲ୍ସା ଏବଂ ତା’ର ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୀଡିତ ବରିନ୍ଦର ପୋଲିସକୁ ଦେଇଥିବା ବୟାନରେ କହିଛି ଯେ, ସେ ଦରବାର ସାହିବ ଦର୍ଶନ ପାଇଁ ଆସିଥିଲା । ଏହାପରେ ନିଜ ଭାଇ ସହ ଅଜନାଲା କ୍ୟାମ୍ପରେ ସେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ଏଠାରେ ଅମୃତପାଲ ସିଂହର ସହଯୋଗୀ ତାଙ୍କୁ ନେଇ ମାଡ ମାରିଥିଲେ ।