ଶିବସୁନ୍ଦର ହେବେ ମୁଖ୍ୟ ଚୟନକର୍ତ୍ତା!
ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମାଙ୍କ ଇସ୍ତଫା
ନୂଆଦିଲ୍ଲୀ, ୧୭ା୨: ଏକ ନୁ୍ୟଜ୍ ଚାନେଲ୍ର ଷ୍ଟିଙ୍ଗ୍ ଅପରେସନ୍ରେ ଫସିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚୟନ କମିଟି ଅଧ୍ୟକ୍ଷ ପଦରୁ ଚେତନ ଶର୍ମା ଶୁକ୍ରବାର ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଶିବସୁନ୍ଦର ଦାସଙ୍କୁ ଅନ୍ତରୀଣ ଚୟନ କମିଟି ମୁଖ୍ୟଭାବେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି । ଶିବସୁନ୍ଦର ଏବେ ୪ ସଦସ୍ୟ ବିଶିଷ୍ଟ କମିଟିରେ ସଦସ୍ୟ ଅଛନ୍ତି । ମୁଖ୍ୟ ଚୟନକର୍ତ୍ତା ରେସ୍ରେ ସେ ସର୍ବାଗ୍ରେ ରହିଛନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାଯାଇଛି ।
ଷ୍ଟିଙ୍ଗ୍ ଅପରେସନ୍ରେ ୫୭ ବର୍ଷୀୟ ଚେତନ ଶର୍ମା ବିସିସିଆଇର କେତେକ ଗୋପନୀୟ ତଥ୍ୟ ପ୍ରଘଟ କରିଦେଇଥିଲେ । ପଦରୁ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ବିଭିନ୍ନ ଦିଗରୁ ଚାପ ପଡିଥିଲା ଯଦିଓ ଏକଥାକୁ ବିସିସିଆଇ ପକ୍ଷରୁ ଅସ୍ୱୀକାର କରାଯାଇଛି । ଫେବ୍ରୁଆରୀ ୧୪ ତାରିଖର ଷ୍ଟିଙ୍ଗ୍ ଅପରେସନ୍ ପରଠାରୁ ଶର୍ମାଙ୍କ ସ୍ଥିତି ଅସ୍ଥିର ହୋଇପଡିଥିଲା । ପରିଶେଷରେ ସେ ସ୍ୱେଚ୍ଛାରେ ଇସ୍ତଫା ଦେଇଥିବା କୁହାଯାଇଛି । ଶର୍ମାଙ୍କ ଇସ୍ତଫାପତ୍ରକୁ ବିସିସିଆଇ ସଚିବ ଜୟ ଶାହା ଗ୍ରହଣ କରିଛନ୍ତି ।
ଚେତନ ଶର୍ମା ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍ପାଇଁ ଚୟନ କମିଟିର ଅନ୍ୟ ସଦସ୍ୟମାନଙ୍କ ସହ କୋଲକାତାରେ ଥିଲେ । ଇରାନୀ କପ୍ ପାଇଁ ଟିମ୍ ଚୟନ ଥିଲା ତାଙ୍କ ଗସ୍ତର ଅନ୍ୟତମ ଉଦେ୍ଦଶ୍ୟ । ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଥିବାରୁ ସେ କୋଲକାତାରୁ ଦିଲ୍ଲୀ ଫେରିଆସୁଛନ୍ତି ।