ମହେନ୍ଦ୍ର ମିଶ୍ରଙ୍କୁ ମିଳିବ ୟୁନେସ୍କୋ ପୁରସ୍କାର

ଭବାନୀପାଟଣା, ୧୭ା୨(ଆପ୍ର): ଓଡିଶାର ପ୍ରଖ୍ୟାତ ଭାଷାବିତ୍ ତଥା ଲୋକ ଗୀତିକାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ଦେଶରେ ମାତୃଭାଷାର ପ୍ରଚାର ପ୍ରସାର ଲାଗି ୟୁନେସ୍କୋର ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ପ୍ରଦାନ କରାଯିବ । ଆନ୍ତର୍ଜାତିକ ମାତୃଭାଷା ପ୍ରତିଷ୍ଠାନ (ଆଇଏମ୍ଏଲ୍ଆଇ), ଢାକାର ମହାନିଦେ୍ର୍ଦଶକ ପ୍ରଫେସର ହକିମ୍ ଆରିଫ୍ ଏହି ମର୍ମରେ ମହେନ୍ଦ୍ର ମିଶ୍ରଙ୍କୁ ବାର୍ତ୍ତା ପଠାଇବା ସହ ପୁରସ୍କାର ସମାରୋହ ପାଇଁ ନିମନ୍ତ୍ରଣ କରିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ମାସ ୨୧ ତାରିଖ ଦିନ ମହେନ୍ଦ୍ର ମିଶ୍ରଙ୍କୁ ଉକ୍ତ ପ୍ରତିଷ୍ଠାନ ପକ୍ଷରୁ ପଦକ ପ୍ରଦାନ କରିବେ ।
ମହେନ୍ଦ୍ର ମିଶ୍ର ବହୁଭାଷୀ ଶିକ୍ଷା ପାଇଁ ରାଜ୍ୟ ସମନ୍ୱୟକଭାବେ ୧୯୯୬ରୁ ୨୦୧୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସ୍କୁଲ୍ ଶିକ୍ଷା କ୍ଷେତ୍ରରେ ଲୁପ୍ତ ପ୍ରାୟ ଭାଷାଗୁଡିକର ପୁନରୁଦ୍ଧାର ଦିଗରେ ଶ୍ରୀ ମିଶ୍ରଙ୍କ ବେଶ୍ ଅବଦାନ ରହିଛି । ତାହାଛଡା ସ୍କୁଲ୍ ପାଠ୍ୟକ୍ରମରେ ଲୋକ ଗୀତକୁ ସ୍ଥାନ ଦେବା ପାଇଁ ସେ ଦାବି କରିଆସୁଥିଲେ । ଏହିକ୍ରମରେ ଓଡିଶା ଓ ଛତିଶଗଡର ବିଦ୍ୟାଳୟଗୁଡିକରେ ଲୋକଗୀତ ଉପରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ୧୯୯୯ରେ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ତାହାଛଡା ମଧ୍ୟପ୍ରଦେଶ ସରାର ତାଙ୍କୁ ବୀର ଶଙ୍କର ରଘୁନାଥ ପୁରସ୍କାର ପ୍ରଦାନ କରିଛନ୍ତି ।
ଜାତିସଂଘ ୨୦୦୦ ମସିହାରେ ଫେବ୍ରୁଆରୀ ୨୧କୁ ଆନ୍ତର୍ଜାତିକ ମାତୃଭାଷା ଦିବସ ଘୋଷଣା କରିଥିଲେ । ପ୍ରତିବର୍ଷ ଫେବ୍ରୁଆରୀ ୨୧ ତାରିଖ ଦିନ ପୂର୍ବ ପାକିସ୍ତାନରେ ଭାଷା ସହିଦ ଦିବସ ବା ଭାଷା ଆନେ୍ଦାଳନ ଦିବସ ପାଳନ କରାଯାଇଥାଏ । ପୂର୍ବ ପାକିସ୍ତାନର ଭାଷାକୁ ନେଇ ସହିଦ ହୋଇଥିବା ଲୋକମାନଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଇଆସୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *