ଉଦ୍ଧବଙ୍କ ହାତରୁ ଗଲା ଧନୁ-ତୀର

ଶିନେ୍ଦ ଗୋଷ୍ଠୀକୁ ମିଳିଲା
ଦଳର ନାମ ଓ ଚିହ୍ନ
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି
ମୁମ୍ବାଇ/ନୂଆଦିଲ୍ଲୀ, ୧୭ା୨: ମହାରାଷ୍ଟ୍ରରେ ବିଏମ୍ସି ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ଉଦ୍ଧବ ବାଲାସାହେବ ଠାକ୍ରେ) ଗୋଷ୍ଠୀର ମୁଖିଆ ଉଦ୍ଧବ ଠାକ୍ରେଙ୍କୁ ବଡ ଝଟ୍କା ଲାଗିଛି । ନିର୍ବାଚନ ଆୟୋଗ ଏକନାଥ ଶିନେ୍ଦ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ଗ୍ରହଣ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଆୟୋଗ ଶିନେ୍ଦ ଗୋଷ୍ଠୀକୁ ଶିବସେନାର ନାମ ଓ ଚିହ୍ନ (ଧନୁ-ତୀର) ବ୍ୟବହାର କରିବା ଲାଗି ଅନୁମତି ଦେଇଛନ୍ତି । ଏପରି ନିଷ୍ପତ୍ତିର କାରଣ ଦର୍ଶାଇବାକୁ ଯାଇ ଆୟୋଗ କହିଛନ୍ତି, ଉଦ୍ଧବଙ୍କ ଶିବସେନାର ସମ୍ବିଧାନ ଅଗଣତାନ୍ତ୍ରିକ । ନିର୍ବାଚନ ନ କରାଇ ସେ ତାଙ୍କର ଖାସ୍ ଲୋକମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଆସୁଛନ୍ତି । ଶିବସେନାର ମୂଳ ସମ୍ବିଧାନକୁ ଅଗଣତାନ୍ତ୍ରିକଭାବେ ବଦଳାଇ ଦିଆଯିବା ଦ୍ୱାରା ଦଳ ବ୍ୟକ୍ତିଗତ ଜାଗିରି ଭଳି ହୋଇଛି । ଏହି କାରଣରୁ ଶିବସେନା ଉପରେ ଉଦ୍ଧବ ଗୋଷ୍ଠୀ ଆଉ ଦାବି କରିପାରିବ ନାହିଁ ବୋଲି ଉଲ୍ଲେଖ କରି ଆୟୋଗ ସବୁ ରାଜନୈତିକ ଦଳମାନଙ୍କୁ ଦଳୀୟ ବ୍ୟାପାରରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ଆୟୋଗଙ୍କ ଫୈସଲା ଆସିବା ପରେ ଉଦ୍ଧବ ଗୋଷ୍ଠୀର ଅନ୍ୟତମ ନେତା ସଂଜୟ ରାଓତ କହିଛନ୍ତି, ଏଭଳି ରାୟ ମିଳିବ ବୋଲି ଆମକୁ ପୂର୍ବରୁ ଜଣାଥିଲା । ଏହାଦ୍ୱାରା ଗଣତନ୍ତ୍ରକୁ ହତ୍ୟା କରାଗଲା । ଆୟୋଗଙ୍କ ଫୈସଲାକୁ ନ୍ୟାୟାଳୟରେ ଚାଲେଞ୍ଜ କରାଯିବ ।
ଏକନାଥ ଶିନେ୍ଦ ଗତବର୍ଷ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଆୟୋଗଙ୍କ ନିକଟରେ ସେ ଦାବି କରିଥିଲେ ଯେ ଦଳର ୫୬ ବିଧାୟକଙ୍କ ଭିତରୁ ୪୦ ଜଣ ଓ ୧୮ ସାଂସଦଙ୍କ ଭିତରୁ ୧୩ ଜଣ ତାଙ୍କୁ ସମର୍ଥନ କରୁଛନ୍ତି । ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦଳର ଚିହ୍ନ ପାଇଁ କଳହ ହୋଇଥିଲା । ମାମଲା ସୁପ୍ରିମ୍କୋର୍ଟକୁ ଗଲା । ନିର୍ବାଚନ ଆୟୋଗ ଶିବସେନାର ନିର୍ବାଚନ ଚିହ୍ନ ଉପରେ ନିଷ୍ପତ୍ତି ନେଇପାରିବେ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ । ତାହା ମଧ୍ୟ ଠାକ୍ରେ ଗୋଷ୍ଠୀ ପାଇଁ ବଡ ଝଟ୍କା ଥିଲା । କାରଣ ସେମାନେ ବିଧାୟକଙ୍କ ଯୋଗ୍ୟତା ଉପରେ ଫୈସଲା ହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *