ହିଣ୍ଡେନ୍ବର୍ଗ ପରେ ସୋରୋସ୍ ଝଡ଼
ସୋରୋସ୍ଙ୍କ ବୟାନକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା
ନୂଆଦିଲ୍ଲୀ (ଏଜେନ୍ସି): ଦିନକ ପୂର୍ବେ ୯୨ ବର୍ଷୀୟ ଆମେରିକୀୟ ବିଲିୟନାରୀ ବ୍ୟବସାୟୀ ଜର୍ଜ ସୋରୋସ୍, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛିି । ସବୁଠୁ ବଡ଼କଥା ହେଉଛି ବିଜେପି ଏହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିବା ସହ ପ୍ରତିକ୍ରିୟାଶୀଳ ହୋଇପଡିଛି ।
କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ, ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ସୋରସ୍ଙ୍କ ମନ୍ତବ୍ୟକୁ ବିଦେଶୀ ଷଡଯନ୍ତ୍ର ଭାବେ ଅଭିହିତ କରିଛନ୍ତି । ସ୍ମୃତି କହିଛନ୍ତି ଏହା କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ନୁହେଁ ବରଂ ସମଗ୍ର ଭାରତ ଉପରେ ବିଦେଶୀ ଶକ୍ତିର ଆକ୍ରମଣ । ବିଦେଶ ମାଟିରୁ ଭାରତର ଲୋକତାନ୍ତ୍ରିକ ଢ଼ାଞ୍ଚାକୁ କମ୍ଜୋର କରିବା ପାଇଁ ଅପଚେଷ୍ଟା କରାଯାଉଛି । ଏହା ଭାରତର ଗଣତନ୍ତ୍ରରେ ହସ୍ତକ୍ଷେପ କରିବାର ଅପଚେଷ୍ଟା । ସ୍ମୃତିଙ୍କ ଅନୁସାରେ ହିଣ୍ଡେନ୍ବର୍ଗ ରିପୋର୍ଟ ଆଳରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡଯନ୍ତ୍ର ରଚାଯାଇଛି । ଆଉ ଏସବୁ ପଛରେ ଜର୍ଜ ସୋରୋସ୍ ହିଁ ରହିଛନ୍ତି । ସୋରୋସ ଚାହୁଛନ୍ତି ଭାରତରେ ଏକ ଏଭଳି ସରକାର ହେଉ ଯାହା ତାଙ୍କ ଇଙ୍ଗିତରେ କାମ କରୁ । ଏଥିପାଇଁ ସେ ବିଲିୟନ ବିଲିୟନ ଡଲାରର ପାଣ୍ଠି ଘୋଷଣା କରିଛନ୍ତି, ଯାହା ଦ୍ୱାରା ଫଳରେ ଭାରତରେ ମୋଦିଙ୍କୁ ଟାର୍ଗେଟ୍ କରାଯାଇପାରିବ । ସ୍ମୃତି କହିଛନ୍ତି, ବ୍ୟାଙ୍କ୍ ଅଫ୍ ଇଂଲଣ୍ଡକୁ ଭାଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ଦେଶ ବିରୋଧରେ ଆର୍ଥିକ ଯୁଦ୍ଧ ଆରମ୍ଭ କରିବା ପାଇଁ ନିଯୁକ୍ତ କରାଯାଇଛି । ଜର୍ଜ ସୋରୋସଙ୍କ ଭଳି ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଦଖଲ ଦେବା ପାଇଁ ଚେଷ୍ଟା କରିଛନ୍ତି । ଭାରତୀୟମାନଙ୍କୁ ଏକଜୁଟ୍ ହୋଇ ଏହାର ଜବାବ ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ତେବେ କେବଳ ବିଜେପି ଏକାକୀ ନୁହେଁ, କଂଗ୍ରେସ ମଧ୍ୟ ଜର୍ଜ ସୋରୋସ୍ଙ୍କ ମୋଦିଙ୍କ ପ୍ରତି ବୟାନ୍କୁ ନେଇ ତୀବ୍ର ନିନ୍ଦା କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଭାରତରେରେ କ’ଣ ହେଉଛି ସେସମ୍ପର୍କରେ ଜର୍ଜ ସୋରୋସ୍ଙ୍କ ମୁଣ୍ଡ ଖେଳାଇବାର କୌଣସି ଆବଶ୍ୟକତା ନାହିଁ । ପ୍ରକାଶ, ଜର୍ଜ ସୋରୋସ୍ ଗତ ଗୁୂରୁବାର ବିଳମ୍ବିତ ରାତିରେ ମୁ୍ୟନିଖ୍ ସିକୁ୍ୟରିଟି କାଉନସିଲ୍ ବୈଠକରେ କହିଥିଲେ ଯେ, ଭାରତ ନିଶ୍ଚିତ ଭାବେ ଏକ ଲୋକତାନ୍ତ୍ରିକ ଦେଶ । କିନ୍ତୁ ଭାରତରେ ଏବେ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଆଦୌ ଲୋକତାନ୍ତ୍ରିକ ନୁହଁନ୍ତି । କେବଳ ନିଜକୁ ଶ୍ରେଷ୍ଠ ତଥା ବଡ ନେତା ଭାବେ ଦେଖାଇ ହେବାର ଅହଂକାର ମୋଦିଙ୍କ ଠାରେ ରହିଛି । କେବଳ ଏହି କାରଣରୁ ଭାରତରେ ରହୁଥିବା ମୁସଲିମ୍ (ସଂଖ୍ୟାଲଘୁ)ଙ୍କ ପ୍ରତି ବାରମ୍ବାର ଅନ୍ୟାୟ ତଥା ହିଂସା ଘଟିଆସୁଛି । ସୋରୋସ୍ ଏହା ମଧ୍ୟ କହିଥିଲେ ଯେ, ହିଣ୍ଡେନ୍ବର୍ଗ ରିପୋର୍ଟ ସାମ୍ନାକୁ ଆସିବା ପରେ ଭାରତୀୟ ବିଲିୟନାରୀ ବ୍ୟବସାୟୀ ଗୌତମ ଅଦାନୀଙ୍କ କାରବାରରେ ଦେଖାଦେଇଥିବା ସମସ୍ୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜନୀତି ସ୍ତରରେ ଦୁର୍ବଳ କରିଦେବ । ସେହିପରି ଏହି ମାମଲାରେ ବିଦେଶୀ ନିବେଶକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜବାବ ଦେବାକୁ ପଡିବ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ କେବଳ ଏହି ପ୍ରସଙ୍ଗ ନୁହେଁ ଭାରତରେ ସିଏଏ (ନାଗରିକତା ଆଇନ୍, ଧାରା ୩୭ଠ ଉଚ୍ଛେଦ ତଥା କାଶ୍ମୀର ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ସୋରୋସ୍ ଭାରତ ପ୍ରତି ବିବାଦୀୟ ବୟାନ୍ବାଜି କରିଆସୁଥିବା ଦେଖିବାକୁ ମିଳିଥାଏ ।
ଫୋର୍ବସ୍ ଅନୁସାରେ ୮.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଜର୍ଜ ସୋରୋସ୍ ହେଜ୍ ଫଣ୍ଡ୍ ଟାଇକୁନ୍ ଭାବେ ପରିଚିତ । ହଙ୍ଗେରୀରେ ଜନ୍ମିତ ସୋରୋସ ୧୭ ବର୍ଷ ବୟସରେ ନିଜ ଦେଶ ଛାଡି ଲଣ୍ଡନ୍ ପଳାଇ ଆସିଥିଲେ । ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ସେ ଡିଗ୍ରୀ ହାସଲ କରିଥିଲେ । ସମୟକ୍ରମେ ସେ ଆମେରିକା ଚାଲିଆସିଥିଲେ ଏବଂ ବ୍ୟବସାୟ କରିବା ଆରମ୍ଭ କରିଥିଲେ । ପରେ ପରେ ସେ ଆମେରିକା ସେୟାର ମାର୍କେଟ୍ରେ ନିଜ ଦବଦବା ସାବ୍ୟସ୍ତ କରିଥିଲେ । ନିଜକୁ ଜଣେ ବିଲିୟନାରୀ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିବା ସହ ସେ ଆମେରିକାର ରାଜନୈତିକ ଦଳ ଡେମୋକ୍ରାଟିକ ପାର୍ଟିକୁ ନିର୍ବାଚନୀ ଚାନ୍ଦା ଦେବା ଆରମ୍ଭ କରିଥିଲେ । ବର୍ତ୍ତମାନ ସମୟରେ ସେ ଆମେରିକା ରାଜନୀତିରେ ମଧ୍ୟ ଜଣେ ପ୍ରଭାବୀ ବ୍ୟକ୍ତିତ୍ୱ ବୋଲି କହିଲେ ଅତୁ୍ୟକ୍ତି ହେବନି । ଆମେରିକା ସରକାରଙ୍କୁ ସବୁଠୁ ବଡ଼ ଡୋନର ଭାବେ ସର୍ବାଧିକ ଚାନ୍ଦା ସୋରୋସ୍ ହିଁ ଦେଇଆସୁଛନ୍ତି । ଫୋର୍ବସ୍ ଅନୁସାରେ ସୋରୋସ ତାଙ୍କ ସମ୍ପତ୍ତିର ୬୪% କେବଳ ଦାନସୂତ୍ରରେ ପ୍ରଦାନ କରିସାରିଛନ୍ତି । ଏତଦ୍ବ୍ୟତୀତ ସେ ନିଜ ଏକ ଓପନ ସୋସାଇଟି ଫାଉଣ୍ଡେସନ୍ (ଏନ୍ଜିଓ) ମାଧ୍ୟମରେ ୧୫ ବିଲିୟନ ଡଲାରରୁ ଅଧିକ ଅର୍ଥ ଗରିବ ତଥା ଅଭାବୀ ହିତାଧିକାରୀଙ୍କୁ ଦେଇସାରିଛନ୍ତି ।
ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ୍ୟ ବୁଶ୍ଙ୍କ ବିରୋଧୀ ତଥା ଶ୍ୱେତାଙ୍ଗ ରାଷ୍ଟ୍ରପତି ଓବାମାଙ୍କ ବଡ଼ ସମର୍ଥକ ଭାବେ ସୋରୋସ୍ ବେଶ୍ ପରିଚିତ । ସୋରୋସ୍ ୨ଠଠ୮ ଓ ୨ଠ୧୨ରେ ଓବାମାଙ୍କ ଲାଗି ଜୋରଦାର ପ୍ରଚାର କରିଥିଲେ । ଏପରିକି ବୁଶ୍ ଯେପରି ରାଷ୍ଟ୍ରପତି ନହେବେ ସେଥିପାଇଁ ପାଣିଭଳି ଅର୍ଥ ନିଜ ହାତରୁ ଖର୍ଚ୍ଚ କରିଥିଲେ । ୨ଠ୧୬ରେ ସେ ହିଲାରୀ କ୍ଲିଣ୍ଟନ ଓ ୨ଠ୨ଠରେ ଏବେର ରାଷ୍ଟ୍ରପତି ଜୋ ବାଇଡନଙ୍କ ଲାଗି ମଧ୍ୟ ପ୍ରଚାର କରିଥିଲେ । କୁହାଯାଏ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ ଲାଗି ସୋରୋସ ରିପବ୍ଲିକାନ୍ ଓ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ଅନେକ ଥର ଟାର୍ଗେଟ୍ ମଧ୍ୟ ହୋଇଛନ୍ତି ।