ନକଲି ଔଷଧର ଆନ୍ତଃ-ରାଜ୍ୟ ଲିଙ୍କ୍
ଭୁବନେଶ୍ୱର, ୧୭ା୨ (ବୁ୍ୟରୋ): ନକଲି ଔଷଧ କାରବାର ବିରୁଦ୍ଧରେ ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି । ନକଲି ଔଷଧର ଆନ୍ତଃରାଜ୍ୟ ଲିଙ୍କ୍ ସାମନାକୁ ଆସିବା ପରେ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହାର ସରଜମିନ ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ସହକାରୀ ଡ୍ରଗ୍ କଣ୍ଟ୍ରୋଲର ଡାକ୍ତର ସୁଦର୍ଶନ ବିଶ୍ୱାଳ, ତୁଷାର ରଞ୍ଜନ ପାଣିଗ୍ରାହୀ ଏବଂ ଧର୍ମପଦ ପୁହାଣ ସମେତ ପୋଲିସ ଅଧିକାରୀମାନେ ସାମିଲ ରହିଛନ୍ତି ।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲା ଅଶୋକା ମେଡିକାଲ ହଲ୍ ଏବଂ ଝାରସୁଗୁଡା ଜିଲ୍ଲା ଅମିତ ମେଡିକାଲ ଏଜେନ୍ସିରେ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେ.ବି. ମେଡିକାଲସ୍, ଗୁରୁକୃପା ମେଡିକାଲ ଆଦିରୁ କାରବାର ହୋଇଥିବା ଜଣାପଡିଛି । ତେଣୁ ଏହି କାରବାର ମୂଳରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଟିମ୍ ଖୁବ୍ଶୀଘ୍ର ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏଥିନିନ୍ତେ ରାଜ୍ୟ ସରକାର ଉତ୍ତର ପ୍ରଦେଶ ସରକାରଙ୍କ ସହଯୋଗ ଲୋଡିଛନ୍ତି ।
ଏସମ୍ବନ୍ଧରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀର ପ୍ରମୁଖ ଶାସନ ସଚିବ ଶାଲିନୀ ପଣ୍ଡିତ ୟୁପି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରାଣସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକ ସହଯୋଗ ଲୋଡିଛନ୍ତି । ଶ୍ରୀମତୀ ପଣ୍ଡିତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବେଶ ଗୁରୁତ୍ୱ ବହନ କରେ । ଏ ବିଷୟରେ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ହେବା ଦରକାର । ଏଥିନିମନ୍ତେ ଓଡିଶାରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବାରାଣସୀ ପଠାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାର ସମ୍ପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷମାନେ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ ନିଦେ୍ର୍ଦଶ ଦେବାକୁ ଶ୍ରୀମତୀ ପଣ୍ଡିତ ଚିଠି ଲେଖି ଅନୁରୋଧ କରିଛନ୍ତି ।