ପୁଣି ଭାରତୀୟ ବୋଲର୍ଙ୍କ ରାଜତ୍ୱ

ଦ୍ୱିତୀୟ ଟେଷ୍ଟ, ପ୍ରଥମ ଦିବସ
ନୂଆଦିଲ୍ଲୀ, ୧୭ା୨ (ଏଜେନ୍ସି): ବର୍ଡର-ଗାଭାସ୍କର ଟ୍ରଫିରେ ପୁଣି ଥରେ ଭାରତୀୟ ବୋଲର୍ଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଭାରତ ପ୍ରଥମ ଟେଷ୍ଟ ବିଶେଷକରି ବୋଲର୍ଙ୍କ ଦମ୍ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଆୟୋଜକ ବୋଲର୍ଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୨୬୩ ରନ୍ରେ ସୀମିତ ରହିଛି । ଇତ୍ୟବସରେ ୧୩ତମ ଭାରତୀୟ ଭାବେ ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଚେତେଶ୍ୱର ପୂଜାରା ।
ଷ୍ଟମ୍ପ୍ସ ଅପସାରଣ ବେଳକୁ ଟିମ୍ ଇଣ୍ଡିଆ ୯ ଓଭର୍ ଖେଳି କୌଣସି ୱିକେଟ୍ ନ ହରାଇ ୨୧ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ରୋହିତ ଶର୍ମା ୧୩ ଓ ଲୋକେଶ ରାହୁଲ ୪ ରନ୍ କରି ଅପରାଜିତ ଥିଲେ ।
ଶାମୀଙ୍କୁ ୪ ୱିକେଟ୍
ଅଷ୍ଟ୍ରେଲୀୟ ଇନିଂସ୍ରେ ଉସ୍ମାନ ଖୱାଜା ସର୍ବାଧିକ ୮୧ ରନ୍ କରିଥିବା ବେଳେ ପିଟର୍ ହାଣ୍ଡ୍ସକମ୍ବ (ଅପରାଜିତ ୭୨) ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ପେସର୍ ମହମ୍ମଦ ଶାମୀ ସବୁଠାରୁ ସଫଳ ବୋଲର୍ ଭାବେ ୬୦ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ । ଦୁଇ ଅଭିଜ୍ଞ ସ୍ପିନର୍ – ରବିଚନ୍ଦ୍ରନ୍ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜା ୩ ଲେଖାଏଁ ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ ଓ ଅକ୍ଷର ପଟେଲ୍ଙ୍କୁ କୌଣସି ୱିକେଟ୍ ମିଳି ନ ଥିଲା ।
ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ସାମିଲ୍ କରାଯାଇଥିବା ବେଳେ ଅଷ୍ଟ୍ରେଲୀୟ ଏକାଦଶରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଥିଲା । ଭ୍ରମଣକାରୀ ଟିମ୍ ପକ୍ଷରୁ ସ୍ପିନର୍ ମାଥୁ୍ୟ କନେମାନ୍ ଡେବୁ୍ୟ କରିଥିଲେ ।
ଭାରତୀୟ ବୋଲର୍ଙ୍କ ନାମରେ ପ୍ରଥମ ସତ୍ର
ପ୍ରଥମ ଦିନର ପ୍ରଥମ ସତ୍ର ଭାରତୀୟ ବୋଲର୍ଙ୍କ ନାମରେ ରହିଥିଲା । ଡେଭିଡ୍ ୱାର୍ଣ୍ଣର ଓ ଉସ୍ମାନ ଖୱାଜା ୫୦ ରନ୍ର ଭାଗୀଦାରୀ କରି ଟିମ୍ର ଭଲ ଆରମ୍ଭ କରିଥିଲେ । କିନ୍ତୁ ପେସର୍ ମହମ୍ମଦ ଶାମୀ, ୱାର୍ଣ୍ଣର (୧୫)ଙ୍କୁ ପାଭିଲିଅନ୍ ପଠାଇ ଏହି ଯୋଡ଼ିକି ଭାଙ୍ଗିଥିଲେ । ଏହାପରେ ଅଶ୍ୱିନ ଗୋଟିଏ ଓଭର୍ରେ କଙ୍ଗାରୁ ଟିମ୍କୁ ଡବଲ୍ ଝଟ୍କା ଦେଇଥିଲେ ।
ମାର୍ନସ ଲାବୁସନେ (୧୮) ଅଶ୍ୱିନଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିବା ବେଳେ ନୂଆ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥ୍ ଖାତା ଖୋଲି ନ ପାରି ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହାପରେ ଖୱାଜାଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଟ୍ରେଭିସ୍ ହେଡ୍ । ଭୋଜନକାଳ ବିରତି ପୂର୍ବରୁ ଖୱାଜା ୭୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ପ୍ରଥମ ସତ୍ରରେ ଟିମ୍ର ସ୍କୋର୍ ହୋଇଥିଲା ୯୪/୩ ।
ଦ୍ୱିତୀୟ ସତ୍ରରେ ପଡ଼ିଲା ଆଉ ୩ ୱିକେଟ୍
ଦ୍ୱିତୀୟ ସତ୍ରର ପ୍ରଥମ ୱିକେଟ୍ ନେଇଥିଲେ ଶାମୀ । ସେ ହେଡ୍ (୧୨)ଙ୍କୁ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଖୱାଜା ଏହାପରେ ନୂଆ ବ୍ୟାଟର୍ ହାଣ୍ଡ୍ସକମ୍ବଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୫୯ ରନ୍ର ଭାଗୀଦାରୀ ହୋଇଥିଲା ।
ଖୱାଜା (୧୨୫ ବଲ୍ରୁ ୧୨ ଚୌକା ଓ ୧ ଛକା ସହାୟତାରେ)ଙ୍କ ଉଜ୍ଜ୍ୱଳ ଇନିଂସ୍ର ଅନ୍ତ ଘଟାଇଥିଲେ ଜାଡ଼େଜା । ଏହି ଓପନିଂ ବ୍ୟାଟର୍ ରାହୁଲଙ୍କୁ କ୍ୟାଚ୍ ଦେଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଆଲେକ୍ସ କାରୀଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇଥିଲେ ଅଶ୍ୱିନ । ଏହାପରେ ହାଣ୍ଡ୍ସକମ୍ବ ଓ ଅଧିନାୟକ ପାଟ୍ କମିନ୍ସ ଇନିଂସ୍ ସମ୍ଭାଳିଥିଲେ । ଚା’ପାନ ବିରତି ସୁଦ୍ଧା ସ୍କୋର୍ ହୋଇଥିଲା ୧୯୯/୬ ।
ତୃତୀୟ ସତ୍ରରେ ପୁଣି ବୋଲର୍ଙ୍କ ଆଧିପତ୍ୟ
ହାଣ୍ଡ୍ସକମ୍ବ ଓ କମିନ୍ସ ସପ୍ତମ ୱିକେଟ୍ ପାଇଁ ୫୯ ରନ୍ ଯୋଗ କରିଥିଲେ । କମିନ୍ସ (୩୩)ଙ୍କୁ ଏଲ୍ବିଡବ୍ଲୁ୍ୟ ଆଉଟ୍ କରି ଜାଡ଼େଜା ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ଟଡ୍ ମର୍ଫି (୦) ଜାଡ଼େଜାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ନାଥନ୍ ଲାୟନ୍ (୧୦) ଓ କନେମାନ୍ (୬) ଶାମୀଙ୍କ ଶିକାର ହୋଇଥିଲେ । ଅଷ୍ଟ୍ରେଲିଆ ୭୮.୪ ଓଭର୍ରେ ୨୬୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ହାଣ୍ଡ୍ସକମ୍ବ ୧୪୨ ବଲ୍ରୁ ୭୨ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *