ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜିଠୁ ଦ୍ୱିତୀୟ ଟେଷ୍ଟ
ନୂଆଦିଲ୍ଲୀ, ୧୬ା୨ (ଏଜେନ୍ସି): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଠାରୁ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଆରମ୍ଭ ହେବ । ଏହି ମ୍ୟାଚ୍ ଭାରତୀୟ ବ୍ୟାଟିଂ ବ୍ୟାକ୍ ବୋନ୍ କୁହାଯାଉଥିବା ଚେତେଶ୍ୱର ପୂଜାରାଙ୍କ ପାଇଁ ସ୍ୱତନ୍ତ୍ର ହେବ, କାରଣ ସେ କ୍ୟାରିଅରର ୧୦୦ତମ ମ୍ୟାଚ୍ ଖେଳିବାର ଉପଲବ୍ଧି ହାସଲ କରିବେ । ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ୧୩ତମ ଭାରତୀୟ ଖେଳାଳି ହେବେ ।
ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟାସ ଆୟର ଫିଟ୍ ହୋଇଗଲେଣି । ସେ ଏହି ମ୍ୟାଚ୍ ଖେଳିପାରନ୍ତି । ସେ ବୁଧବାର ଦିନତମାମ୍ ଅଭ୍ୟାସ କରିଥିଲେ । ସେ ଆସିବା ଦ୍ୱାରା ସୂର୍ଯ୍ୟକୁମାର ଯାଦବ ଟିମ୍ରୁ ବାଦ୍ ପଡ଼ିବେ । ସେହିପରି ଓପନର୍ ଭାବେ ଲୋକେଶ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍ ଖେଳିବାର ସମ୍ଭାବନା ଅଛି । ନେଟ୍ ଅଭ୍ୟାସ ସମୟରେ ରାହୁଲ ଦ୍ରାବିଡ଼ ଗିଲ୍ଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଥିଲା । ପ୍ରଥମ ମ୍ୟାଚ୍କୁ ସହଜରେ ଜିତିବା ପରେ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗରେ ଅଛି ।
ଡବ୍ଲୁ୍ୟଟିସି ଫାଇନାଲ୍ ଓ
ଶୀର୍ଷ ମାନ୍ୟତା ଉପରେ ନଜର
ଯଦି ଭାରତୀୟ ଟିମ୍ ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଏ, ତା’ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁ୍ୟଟିସି) ଫାଇନାଲ୍ ପାଇଁ ଆପାତତଃ ଯୋଗ୍ୟତା ଅର୍ଜନ କରିବ । ଯଦି ଭାରତ ହାରେ, ତା’ହେଲେ ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ଶେଷ ଦୁଇ ମ୍ୟାଚ୍ ଜିତିବାକୁ ହେବ । ଅଷ୍ଟ୍ରେଲିଆ ଆପାତତଃ ଫାଇନାଲ୍ରେ ସ୍ଥାନ ପାଇସାରିଛି । ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ଦିଲ୍ଲୀ ଟେଷ୍ଟ ଜିତିଲେ, ଭାରତ କ୍ରିକେଟ୍ର ତିନି ଫର୍ମାଟ୍ରେ ଏକ ନମ୍ବର ଟିମ୍ ହୋଇଯିବ । ଟିମ୍ ପୂର୍ବରୁ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ମାନ୍ୟତାରେ ଶୀର୍ଷରେ ପହଞ୍ଚିସାରିଛି । ବୁଧବାର ଆଇସିସିର ତ୍ରୁଟି ଯୋଗୁଁ ଭାରତୀୟ ଟିମ୍ ଛଅ ଘଣ୍ଟା ପାଇଁ ଟେଷ୍ଟରେ ଶୀର୍ଷ ସ୍ଥାନରେ ରହିଥିଲା ।
ଦିଲ୍ଲୀ ଗ୍ରାଉଣ୍ଡ ଭାରତର ଅଭେଦ୍ୟ ଦୁର୍ଗ
ଦିଲ୍ଲୀ ଗ୍ରାଉଣ୍ଡକୁ ଭାରତୀୟ ଟିମ୍ର ଅଭେଦ୍ୟ ଦୁର୍ଗ ବିବେଚନା କରାଯାଏ । ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ଗତ ୩୬ ବର୍ଷ ହେଲା କୌଣସି ଟେଷ୍ଟ ହାରି ନାହିଁ । ଟିମ୍ ଶେଷ ଥର ଏଠାରେ ୧୯୮୭ରେ ପରାଜିତ ହୋଇଥିଲା । ଦିଲ୍ଲୀ ବିଜୟ ଅଷ୍ଟ୍ରେଲିଆ ପାଇଁ ଏକପ୍ରକାର ଅସମ୍ଭବ, କାରଣ ଏହି ଗ୍ରାଉଣ୍ଡର ରେକର୍ଡ ତା’ ସପକ୍ଷରେ ନାହିଁ । କଙ୍ଗାରୁ ଟିମ୍ ଏଠାରେ ଶେଷ ଥର ୧୯୫୯ରେ ଜିତିଥିଲା । ଯଦି ପାଟ୍ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲୀୟ ଟିମ୍ ଏଠାରେ ଭାରତକୁ ହରାଏ, ତା’ହେଲେ ତା’ ପାଇଁ ଏହା ଏକ ବଡ଼ ସଫଳତା ହେବ ।
ପିଚ୍ ଓ ପାଣିପାଗ
ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ର ପିଚ୍ରେ ପାଣି ଦିଆଯାଇଛି । ରୋଲିଂ କରାଯାଇଛି, ଏଥିରେ ଘାସ ନାହିଁ । ଏପରିସ୍ଥଳେ ପିଚ୍ ହାଲୁକା ଆର୍ଦ୍ର ରହିପାରେ । ଏହା ସ୍ପିନର୍ଙ୍କୁ ସୁହାଇବ ଏବଂ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇବ । ମ୍ୟାଚ୍ ଦିନଗୁଡ଼ିକରେ ଦିଲ୍ଲୀର ପାଗ ଭଲ ରହିବ । ବର୍ଷା ହେବାର ସମ୍ଭାବନା ନାହିଁ । ପ୍ରଥମ ଦୁଇ ଦିନ ତାପମାତ୍ରା ୨୯ ଡିଗ୍ରୀ ଯାଏଁ ରହିବ । ଏହାପରେ ତୃତୀୟ, ଚତୁର୍ଥ ଓ ପଞ୍ଚମ ଦିନ ତାପମାତ୍ରା ବଢ଼ିବ ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍/ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, ରବୀନ୍ଦ୍ର ଜାଡ଼େଜା, କେଏସ୍ ଭରତ (ୱିକେଟ୍କିପର୍), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ୍, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ
ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ପାଟ୍ କମିନ୍ସ (ଅଧିନାୟକ), ଡେଭିଡ୍ ୱାର୍ଣ୍ଣର, ଉସ୍ମାନ ଖୱାଜା, ମାର୍ନସ ଲାବୁସାନେ, ଷ୍ଟିଭ୍ ସ୍ମିଥ, ଟ୍ରେଭିସ୍ ହେଡ୍, ପିଟର ହାଣ୍ଡ୍ସକମ୍ବ, ଆଲେକ୍ସ କାରୀ (ୱିକେଟ୍କିପର୍), ମିଚେଲ୍ ଷ୍ଟାର୍କ, ନାଥନ୍ ଲାୟନ୍ ଓ ଟଡ୍ ମର୍ଫି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *