ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଚାପୁଡ଼ା
ଭୁବନେଶ୍ୱର, ୧୫ା୨(ବୁ୍ୟରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା ଦେଲେ ଥାନା ଅଧିକାରୀ । ସମ୍ବଲପୁର ଟାଉନ ଥାନାରେ ଆଇଆଇସି ଅନୀତା ପ୍ରଧାନ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି । ତାଙ୍କ ଏତଲାକୁ ଆଧାର କରି ଜୟନାରାୟଣଙ୍କ ବିରୋଧରେ ୩୫୩, ୩୫୪,୩୩୨,୨୯୪, ୫୦୦, ୩୪୧ ଓ ୫୦୬ ଦଫାରେ ମାମଲା ରୁଜୁ ହୋଇଛି ।
ଆଇଆଇସି ଅନୀତା ପ୍ରଧାନଙ୍କ ଏତଲା ଅନୁଯାୟୀ ବୁଧବାର ଅପରାହ୍ନରେ ୨ଟାରେ ବିଜେପିର ଆନେ୍ଦାଳନ ସରିବା ବେଳକୁ ବ୍ୟାରିକେଟ୍ ପାଖରେ ଜୟନାରାୟଣ ପହଞ୍ଚି ବିନା କାରଣରେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜୟନାରାୟଣ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଥିଲେ । ସେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ସତ୍ୱେ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ । ଏପରି କି ଜୟନାରାୟଣ ତାଙ୍କୁ ଗାଳିଗୁଲଜ କରିବା ସହିତ ଦେଖିଦେବି, ଥାନା ପୋଡିଦେବି, ତୋତେ ସସ୍ପେଣ୍ଡ କରିଦେବି ବୋଲି ଧମକ ଦେଇଥିଲେ । ଏଭଳି ଗାଳି ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହିତ ମିଡିଆ, ପବ୍ଲିକ୍ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡା ମାରିଥିଲେ । ଜଣେ ମହିଳା ପୁଲିସ ଅଧିକାରୀ ହିସାବରେ ଜୟନାରାୟଙ୍କ କାର୍ଯ୍ୟ ତାଙ୍କୁ ଅପମାନିତ କରିଛି । ସର୍ବସାଧାରଣ ସ୍ଥାନରେ କର୍ତ୍ତବ୍ୟରତ ଥିବା ବେଳେ କେବଳ ତାଙ୍କ ଇଜ୍ଜତ ଉପରେ ଆଞ୍ଚ ଆଣିଲେ ନାହିଁ ବରଂ ଡୁ୍ୟଟି କରିବାରେ ସେ ବାଧା ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଆଇଆଇସି ଅନୀତା ପ୍ରଧାନ ଟାଉନ ଥାନାରେ ଏତଲାରେ ଅନୁରୋଧ କରିଛନ୍ତି ।