୧୭୧୩ଠ ହେକ୍ଟର ଜମି ହେବ ଜଳମୁକ୍ତ
ପୁରୀ ଜିଲ୍ଲା ଚାଷୀଙ୍କ ପାଇଁ ଖୁସି ଖବର
ପୁରୀ (ବୁ୍ୟରୋ): ପୁରୀ ଏକ ବନ୍ୟା ପ୍ରଭାବିତ ଜିଲ୍ଲା ଭାବେ ପରିଗଣିତ । ଫଳରେ ଜିଲ୍ଲାରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା ଓ ଚିଲିକା ବା ସମୁଦ୍ରର ଜଳ ଚାଷଜମିକୁ ମାଡ଼ି ଆସିବା ଦ୍ୱାରା ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ । ଏପରିକି ଚାଷୀଙ୍କର ମାନଦଣ୍ଡ ଦୁର୍ବଳ ହୋଇପଡ଼ୁଛି । ପ୍ରାକୃତିକ ବିପର୍ଯ୍ୟୟ ବା ଅନ୍ୟ ସମୟରେ ଚାଷ ଜମିରୁ କିଭଳି ଜଳ ନିଷ୍କାସନ ହୋଇପାରିବ ସେ ନେଇ ସରକାରଙ୍କ ପକ୍ଷରୁ ଡ୍ରେନେଜ୍ର ପୁନରୁଦ୍ଧାର କାର୍ଯ୍ୟକ୍ରମ ଜାରି ରହିଛି ।
ପୁରୀ ଜିଲ୍ଲା ସହ ଉପକୂଳବର୍ତ୍ତୀ ୯ଟି ଜିଲ୍ଲାର ୧୭ଟି ଅବବାହିକା ଓ ୩ଟି ଅଣବାହିକା ଅଞ୍ଚଳର ଚାଷ ଜମି ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକି୍ରୟାକୁ ତ୍ୱରାନ୍ୱିତ ୨୦୧୪-୧୫ରୁ ୨୦୧୮-୧୯ବର୍ଷ ଡ୍ରେନେଜ୍ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଏଥିଲାଗି ୫୦୦ କୋଟି ଟଙ୍କା ୫ବର୍ଷ ମଧ୍ୟରେ ବ୍ୟୟ କରାଯାଇଥିଲା । ସେହି କାର୍ଯ୍ୟକୁ ଅଧିକ ମାତ୍ରାରେ କରିବା ଲାଗି ପୁଣି ଚଳିତଥର ବଜେଟ୍ରେ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଫଳରେ ୨୦୨୩-୨୪ବର୍ଷ ସୁଦ୍ଧା ୮୦୦କୋଟି ଟଙ୍କା ବ୍ୟୟ କରାଯିବ । ଏଥିରେ ମୋଟ ୪୨୮୨ କିଲୋମିଟର ଦୈର୍ଘ୍ୟର ଡ୍ରେନେଜ୍ ଚ୍ୟାନେଲ୍ ଖନନ ନବୀକରଣ କରାଯିବା ଦ୍ୱାରା ୧୦ ୫୮୬୮ ହେକ୍ଟର ଚାଷ ଜମି ଜଳବନ୍ଦୀରୁ ମୁକ୍ତ ହୋଇପାରିବ ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ମଧ୍ୟରେ ପୁରୀ ଜିଲ୍ଲାର ୧୧୧୦ କିଲୋମିଟର ଡ୍ରେନେଜ୍ କାର୍ଯ୍ୟ ହେବା ଦ୍ୱାରା ଜିଲ୍ଲାର ପ୍ରାୟ ୧୭୧୩୦ ହେକ୍ଟର ଚାଷ ଜମି ଜଳବନ୍ଦୀରୁ ମୁକ୍ତ ହୋଇପାରିବ । ସେଥିଲାଗି ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୧୪୦୦କୋଟି ଟଙ୍କା ବ୍ୟୟ କରାଯିବ । ସେହିଭଳି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ୫୩୮କିମି ଡ୍ରେନେଜ୍ କାମ ସହିତ ୮୩୦୦ ହେକ୍ଟର କିମି ଜଳବନ୍ଦୀମୁକ୍ତ । ଗଞ୍ଜାମ ଜିଲ୍ଲାର ୫୩୮ହେକ୍ଟର ଡ୍ରେନେଜ୍ କାମ ଦ୍ୱାରା ୮୨୯୦ହେକ୍ଟର ଜମି ପୁନରୁଦ୍ଧାର, କଟକ ଜିଲ୍ଲାରେ ୭୫୦କିମି ଡ୍ରେନେଜ୍ କାମ ଦ୍ୱାରା ୧୧୬୦୫ ହେକ୍ଟର ଜମିର ପୁନରୁଦ୍ଧାର, ଜଗତ୍ସିଂହପୁର ଜିଲ୍ଲାର ୧୨୫୦କିମି ଡ୍ରେନେଜ୍ କାମ ଦ୍ୱାରା ୧୯୩୪୨ ହେକ୍ଟର ଜମି ପୁନରୁଦ୍ଧାର, କେନ୍ଦ୍ରପଡ଼ା ଜିଲ୍ଲାର ୧୦୭୨କିମି ଡ୍ରେନେଜ୍ କାମ ଦ୍ୱାରା ୧୬୫୮୧ହେକ୍ଟର ଜମି ପୁନରୁଦ୍ଧାର, ଭଦ୍ରକ ଜିଲ୍ଲାର ୬୪୩ କିମି ଡ୍ରେନେଜ୍ କାମ ଦ୍ୱାରା ୧୦୩୬୭ ହେକ୍ଟର ଜମି, ବାଲେଶ୍ୱର ଜିଲ୍ଲାର ୬୩୪ କିମି କାମ ଦ୍ୱାରା ୮୫୯୬ହେକ୍ଟର ଜମି ପୁନରୁଦ୍ଧାର ଏବଂ ଯାଜପୁର ଜିଲ୍ଲାରେ ୪୩୫କିମି ଡ୍ରେନେଜ୍ କାମ ଦ୍ୱାରା ୫ ୬୪୨ହେକ୍ଟର ଜମିକୁ ଜଳବନ୍ଦୀ ମୁକ୍ତ ହୋଇପାରିବ । ଏହି ଯୋଜନା ଦ୍ୱାରା ସମୁଦ୍ରକୁ ନିଷ୍କାସିତ ହେଉଥିବା ଲୁଣାପାଣିକୁ ମଧ୍ୟ ନିୟନ୍ତ୍ରଣ କରିବାରେ ଡ୍ରେନେଜ୍ର ଭୂମିକା ରହିବ । ଏହି ସାମ୍ମାଦିକ ସମ୍ମିଳନୀରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ପ୍ରମୁଖ ଉପସ୍ଥିତ ଥିଲେ ।