ରାଜ୍ୟବ୍ୟାପୀ ବିଜେପିର ବିକ୍ଷୋଭ
ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ଏନ୍ସିଆରବି ରିପୋର୍ଟ ବାରମ୍ବାର ତଥ୍ୟ ଦେଇଛି । ରାଜ୍ୟ ସରକାରଙ୍କ ନେତା, ମନ୍ତ୍ରୀ ଓ ଶାସକ ଦଳର ହାତ ବାରିସି ସାଜିଥିବା ପୁଲିସ ଅଧିକାରୀମାନେ ଓଡ଼ିଶାର ଅପରାଧରେ ସଂପୃକ୍ତ ଅଛନ୍ତି ବୋଲି ବିଜେପି ବାରମ୍ବାର ଦାବି କରିଆସିଛି । ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ରାଜ୍ୟସରକାର ବିରୋଧରେ ବୁଧବାର ବିଜେପି ରାଜ୍ୟର ସମସ୍ତ ଜିଲ୍ଲାରେ ବିକ୍ଷୋଭ ଓ ହରତାଳ କରିଛି ।
ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ ସୀମାଞ୍ଚଳ ଖଟେଇ, କଟକରେ ନୟନ ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ; ବ୍ରହ୍ମପୁରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବାଲେଶ୍ୱରରେ ସାଂସଦ ପ୍ରତାପ ଷଡଙ୍ଗୀ, ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଉରକେଲାରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଅନୁଗୁଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ବଲାଙ୍ଗୀରରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବିଜେପି ସାଂସଦ ଓ ବିଧାୟକଙ୍କ ସମେତ ଅନ୍ୟମାନଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ ହୋଇଥିଲେ ।
୧୬ରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବି ପାଇଁ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।