ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଆଇସିସି ମହିଳା ଟି-୨ଠ ବିଶ୍ୱକପ୍
କେପ୍ ଟାଉନ୍, ୧୫ା୨ (ଏଜେନ୍ସି): ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ । ବୁଧବାର ହରମନପ୍ରୀତ କୌରଙ୍କ ଟିମ୍ ନିଜ ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୬ ୱିକେଟ୍ରେ ପରାସ୍ତ କରିଛି । ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ଦୀପ୍ତି ଶର୍ମା ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଏହି ବିଜୟ ସହ ଭାରତ ସେମିଫାଇନାଲ୍ର ନିକଟତର ହୋଇଛି । ଟିମ୍ ନିଜ ପରବର୍ତ୍ତୀ ମ୍ୟାଚ୍ରେ ୧୮ରେ ଇଂଲଣ୍ଡକୁ ଭେଟିବ । ଟି-୨୦ ଆନ୍ତର୍ଜାତିକରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହା ଭାରତର କ୍ରମାଗତ ଅଷ୍ଟମ ବିଜୟ ।
ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ୧୮.୧ ଓଭର୍ରେ ୪ ୱିକେଟ୍ ହରାଇ ଆବଶ୍ୟକ ୧୧୯ ରନ୍ ସଂଗ୍ରହ କରିଥିଲା । ରିଚା ଘୋଷ ସର୍ବାଧିକ ୪୪ ରନ୍ କରି ଅପରାଜିତ ଥିଲେ ।
ଶେଫାଲୀ ବର୍ମା ଓ ସ୍ମୃତି ମାନ୍ଧାନାଙ୍କ ଓପନିଂ ଯୋଡ଼ି ୩୨ ରନ୍ ଯୋଗ କରିଥିଲେ । ସ୍ମୃତି ୧୦ ରନ୍ କରି କରିସ୍ମା ରାମହାରାକଙ୍କ ବଲ୍ରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଜେମିମା ରୋଡ୍ରିଗୁଏସ୍ ମାତ୍ର ୧ ରନ୍ କରି ହେଲୀ ମାଥୁ୍ୟସ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଶେଫାଲୀ ବର୍ମାଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଅଧିନାୟିକା ହରମନପ୍ରୀତ ।
କିନ୍ତୁ ଶେଫାଲୀ (୨୮) ଆଉ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ଥିଲେ । ଏହି ୱିକେଟ୍ ମଧ୍ୟ କରିସ୍ମାଙ୍କ ଖାତାକୁ ଯାଇଥିଲା । ୪୩ ରନ୍ ମଧ୍ୟରେ ୩ ୱିକେଟ୍ ହରାଇଥିଲା ଟିମ୍ । ଏହାପରେ ହରମନପ୍ରୀତ ନୂଆ ବ୍ୟାଟର୍ ରିଚାଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ ।
୧୦ ଓଭର୍ରେ ଟିମ୍ର ସ୍କୋର୍ ହୋଇଥିଲା ୬୪/୩ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୭୨ ରନ୍ର ଭାଗୀଦାରୀ କରି ଟିମ୍କୁ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ କରାଇଥିଲେ । ସ୍କୋର୍ ୧୧୫ ହୋଇଥିବା ବେଳେ ହରମନପ୍ରୀତ ୩୩ ରନ୍ କରି ଚିନେଲୀ ହେନରୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପୂର୍ବରୁ କେପ୍ ଟାଉନ୍ର ନୁ୍ୟଲାଣ୍ଡ୍ସ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଉପ-ଅଧିନାୟିକା ସ୍ମୃତି ମାନ୍ଧାନା ଓ ଦେବିକା ବୈଦ୍ୟ ଚୂଡ଼ାନ୍ତ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଯସ୍ତିକା ଭାଟିଆ ଓ ହରଲୀନ ଦେଓଲ ବାଦ୍ ପଡ଼ିଥିଲେ ।
କାରିବୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଷ୍ଟିଫାନୀ ଟେଲର୍ ସର୍ବାଧିକ ୪୨ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ରେଣୁକା ସିଂହ ଓ ପୂଜା ବସ୍ତ୍ରାକାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ଟିମ୍ର ସ୍କୋର୍ ମାତ୍ର ୪ ରନ୍ ହୋଇଥିବା ବେଳେ ଅଧିନାୟିକା ହେଲୀ ମାଥୁ୍ୟସ୍ (୨) ପୂଜାଙ୍କ ବଲ୍ରେ ରିଚା ଘୋଷଙ୍କୁ କ୍ୟାଚ୍ ଦେଇଥିଲେ । ଏହାପରେ ଷ୍ଟିଫାନୀ ଟେଲର୍ ଓ ନୂଆ ବ୍ୟାଟର୍ ଶିମୈ÷ନୀ କ୍ୟାମ୍ପ୍ବେଲୀ ଇନିଂସ୍ ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଗ କରିଥିଲେ ।
୧୪ତମ ଓଭର୍ରେ ଉଭୟ ବ୍ୟାଟର୍ଙ୍କୁ ପାଭିଲିଅନ୍ ପଠାଇଥିଲେ ଦୀପ୍ତି । ଶିମୈନୀ ୩୦ ଓ ଷ୍ଟିଫାନୀ ୪୨ (୪୦ ବଲ୍ରୁ) ରନ୍ କରିଥିଲେ । ଏହା ପର ଓଭର୍ରେ ଚିନେଲୀ ହେନରୀ (୨) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ ।
ଏହାପରେ ଚିଦିଅନ୍ ନେସନ୍ ଓ ଶବିକା ଗଜନବୀଙ୍କ ଯୋଡ଼ି ପଞ୍ଚମ ୱିକେଟ୍ ପାଇଁ ୩୫ ରନ୍ ଯୋଗ କରିଥିଲେ । ତେବେ ଦୁର୍ବଳ ରନ୍ରେଟ୍ ଅବ୍ୟାହତ ରହିଥିଲା । ଶବିକା (୧୫) ରେଣୁକା ସିଂହଙ୍କ ଶିକାର କରିଥିଲେ । ଶେଷ ଓଭର୍ରେ ପରବର୍ତ୍ତୀ ବ୍ୟାଟର୍ ଆଫି ଫ୍ଲେଚର୍ (୦)ଙ୍କୁ ଆଉଟ୍ କରି ଦୀପ୍ତି ବ୍ୟକ୍ତିଗତ ତୃତୀୟ ସଫଳତା ପାଇଥିଲେ । ଚିଦିଅନ୍ ୨୧ ଓ ରଶଦା ୱିଲିଅମ୍ସ ୨ ରନ୍ଗ କରି ଅପରାଜିତ ଥିଲେ ।
ଉଭୟ ଟିମ୍ ମଧ୍ୟରେ ଏହା ପୂର୍ବରୁ ୨୦ ମ୍ୟାଚ୍ ଖେଳାଯାଇଥିଲା । ଭାରତ ୧୨ ଓ ୱେଷ୍ଟଇଣ୍ଡିଜ୍ ୮ ମ୍ୟାଚ୍ ଜିତିଥିଲା । ଟି-୨୦ ବିଶ୍ୱକପ୍କୁ ବିଚାରକୁ ନେଲେ, ଉଭୟ ଦୁଇଟିରୁ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ ।