ଆଇଟିବିପି ପାଇଁ ୭ ନୂଆ ବାଟାଲିୟନ
ନୂଆଦିଲ୍ଲୀ, ୧୫ା୨(ବୁ୍ୟରୋ): ଭାରତ-ଚୀନ୍ ସୀମା (ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲ୍ଏସି)ରେ ଉତ୍ତେଜନା ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଭାରତ ତିବ୍ୱତ ସୀମା ପୁଲିସ୍ (ଆଇଟିବିପି) ପାଇଁ ୭ଟି ନୂଆ ବାଟାଲିୟନ ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ତା ସହିତ ଆଇଟିବିପିରେ ୯୪୦୦ ପଦ ସୃଷ୍ଟି କରାଯିବ । ସେମାନେ ଏଲ୍ଏସି ସହିତ ୪୭ଟି ନୂଆ ସୀମାନ୍ତ ପୋଷ୍ଟ ଏବଂ ୧୨ଟି ଷ୍ଟେଜିଙ୍ଗ୍ କ୍ୟାମ୍ପ୍ରେ କାମ କରିବେ ।
୧୯୬୨ରେ ଚୀନ୍ ଆକ୍ରମଣ କରିବା ପରେ ଭାରତ ସରକାର ୯୦ ହଜାର ଯବାନଙ୍କୁ ନେଇ ଆଇଟିବିପି ଗଠନ କରିଥିଲେ । ଆଇଟିବିପିକୁ ୩,୪୮୮ କିମିର ଏଲ୍ଏସି ଜଗିବା ଦାୟିତ୍ୱ ଦିଆଯାଇଥିଲା । ବୁଧବାର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ୭ ନୂଆ ବାଟାଲିୟନ ଗଠନ ନିଷ୍ପତ୍ତି ଘୋଷଣା କରିଛନ୍ତି । ସେ କହିଛନ୍ତି, ଆଇଟିବିପିର ଏକ ସେକ୍ଟର ହେଡ୍କ୍ୱାର୍ଟର ମଧ୍ୟ ସ୍ଥାପନ କରାଯିବ । ୨୦୨୫-୨୬ ସୁଦ୍ଧା ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବ ।
ଚୀନ୍ ସୀମା ସଂଲଗ୍ନ ଗ୍ରାମଗୁଡିକରୁ ଲୋକଙ୍କ ପଳାୟନ ରୋକିବା ସହ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ପାଇଁ ୪ ହଜାର ୮୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ୨୬୬୨ଟି ଗ୍ରାମ ଚୟନ କରାଯାଇଛି ।