ଆଜି ପଙ୍କୋଦ୍ଧାର ଏକାଦଶୀ
ଚଳଚଞ୍ଚଳ
ଲୋକନାଥ ପୀଠ
ସକାଳ ୮ଟାରୁ ପଙ୍କକଢ଼ା ନୀତି
ପୂର୍ବାହ୍ନ ୧୨ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ
ପୁରୀ (ବୁ୍ୟରୋ): ଆସନ୍ତା ଶନିବାର ଶ୍ରୀଲୋକନାଥ ଦେବଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଗୁରୁବାର ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହେବ । ସେଥିଲାଗି ପ୍ରସ୍ତୁତି ଶେଷ ହୋଇଥିବାବେଳେ କେବଳ ସେହି ବ୍ରହ୍ମ ମୂହୁର୍ତ୍ତକୁ ଅପେକ୍ଷା । ପଙ୍କୋଦ୍ଧାର ଏକାଦଶୀ ପାଇଁ ବିଳମ୍ବିତ ରାତ୍ର ୨ଟାରେ ମନ୍ଦିର ପହୁଡ଼ ଫିଟାଯିବ । ରାତି ୩ଟା ସୁଦ୍ଧା ଲୋକନାଥ ଦେବଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ଶେଷ ହୋଇ ଭୋର ୬ଟା ସୁଦ୍ଧା ସକାଳ ଧୂପ ଶେଷ ହେବ । ଏହା ପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଏକାଦଶୀ ଦର୍ଶନ । ପରେ ପରେ ୮ଟାରୁ ୧୨ଟା ପର୍ଯ୍ୟନ୍ତ ଲୋକନାଥ ଦେବଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବ । ପଙ୍କ କଢ଼ାଯିବା ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁଷ୍ଠିତ ହେବ ।
ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି । ପଙ୍କୋଦ୍ଧାର ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଲୋକୀକରଣ, ପାନୀୟଜଳ ଓ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି । ଏହା ସହ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସେଠାରେ ଦୁଇଟି ଆମ୍ବୁଲାନ୍ସ ସହ ପ୍ରାଥମିକ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି । ପଙ୍କୋଦ୍ଧାର ଏକାଦଶୀ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବର୍ଷକରେ ଗୋଟିଏ ଦିନ (ପଙ୍କୋଦ୍ଧାର ଏକାଦଶୀ) ବର୍ତ୍ତମାନ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ତେଣୁ ଲୋକନାଥ ମନ୍ଦିର ପରିସରରେ ଥିବା ବିଭିନ୍ନ ମନ୍ଦିରର ଚୂନ ଧଉରା କାମ ଶେଷ ହୋଇଥିବା ବେଳେ ପ୍ରବେଶ ପଥରେ ଥିବା ସିଂହ ମୂର୍ତ୍ତି ଓ ଅନ୍ୟ ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ନିର୍ମାଣ କରାଯିବା ସହ ଜାଗର ପଡ଼ିଆକୁ ସଫା କରାଯାଇଛି । ପାର୍ବତୀ ସାଗରରେ ଶ୍ରଦ୍ଧାଳୁ ଗୋଡ଼, ହାତ ଧୋଇବା ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ରେଲିଂ ଲଗାଯାଇଛି । ଦୁଇବର୍ଷ କରୋନା କଟକଣା ପରେ ଚଳିତବର୍ଷ ହଜାର ହଜାର ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଆକଳନ କରିଛି । ସେଥିଲାଗି ଜିଲ୍ଲା ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।