ଲୁଚାଇବା ଭଳି କିଛି ନାହିଁ, ବିରୋଧୀ ହୋହଲ୍ଲା କରୁଛନ୍ତି
ଅଦାନୀ ପ୍ରସଙ୍ଗରେ ମୁହଁ ଖୋଲିଲେ ଶାହା
ନୂଆଦିଲ୍ଲୀ(ଏଜେନ୍ସି): ଆମେରିକୀୟ ରିସର୍ଚ୍ଚ ଫାର୍ମ ଏବଂ ଅଦାନୀ ଗ୍ରୁପ୍ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ପକ୍ଷରୁ ପଡୁଥିବା ଚାପ କେନ୍ଦ୍ର ସରକାରଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରଥମ ଥର ପାଇଁ ସଂସଦ ବାହାରେ ଏସମ୍ପର୍କରେ ମୁୂହଁ ଖୋଲିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ଶାହା କହିଛନ୍ତି, ଏହି ମାମଲାରେ ଲୁଚାଇବା ଭଳି କିଛି ବି ନାହିଁ । ବିରୋଧୀ ଦଳ କେବଳ ତୁଚ୍ଛାରେ ହୋହଲ୍ଲା କରୁଛନ୍ତି । ବିଜେପି ସରକାରଙ୍କୁ ବଦନାମ୍ କରିବା ପାଇଁ ଏହାକୁ ଏକ ପ୍ରସଙ୍ଗ କରିବା ପୂର୍ବକ ମିଥ୍ୟା ଆରୋପ ଲଗାଉଛନ୍ତି ବିରୋଧୀ ଦଳ । ଶାହା ଏହା ମଧ୍ୟ କହିଛନ୍ତି, ବିରୋଧୀ, ସରକାରଙ୍କ ବିରୋଧରେ ଯେଉଁ ଅଭିଯୋଗ (ଅଦାନୀ ଗ୍ରୁପ୍କୁ ଅତ୍ୟଧିକ ଅନୁକମ୍ପା ଦେଖାଉଥିବା, କମ୍ପାନୀର ସ୍ୱାର୍ଥରକ୍ଷା ଦିଗରେ ସରକାର କାମ କରୁଥିବା, ଏଲଆଇସି ଏବଂ ଏସ୍ବିଆଇରେ ଜମା ଥିବା ସାଧାରଣ ଲୋକଙ୍କ ଅର୍ଥକୁ ମୋଦି ସରକାର ଅଦାନୀ ଗ୍ରୁପ୍କୁ ଋଣ ସୂତ୍ରରେ ଦେଇଥିବା ଇତ୍ୟାଦି) ସବୁ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଉଦେ୍ଦଶ୍ୟମୂଳକ । ଯଦି ବିରୋଧୀଙ୍କ ପାଖରେ ଏସବୁ ଅଭିଯୋଗର ଗୋଟିଏ ବି ପ୍ରମାଣ ଥାଏ ତେବେ ସେମାନେ କୋର୍ଟକୁ ଯାଇପାରିବେ । ତେବେ ସୁପ୍ରିମକୋର୍ଟରେ ଏନେଇ ଏକ ମାମଲା ବିଚାରାଧୀନ ରହିଛି । ସୁତରାଂ ଏସମ୍ପର୍କରେ ଅଧିକ କିଛି କହିବା ଉଚିତ୍ ହେବନି । ଏତଦ୍ବ୍ୟତୀତ ଶାହା ଏହା ମଧ୍ୟ କହିଛନ୍ତି, ଦେଶବାସୀ ଆଶ୍ୱସ୍ତ ରୁହନ୍ତୁ ସେମାନଙ୍କ ପରିଶ୍ରମର ଧନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଏଲଆଇସି, ଏସ୍ବିଆଇ ଏବେ ବି ଲାଭରେ ରହିଛନ୍ତି ।
ପ୍ରକାଶ, ହିଣ୍ଡେନ୍ବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍କୁ ମୋଦି ସରକାର ସହାୟତା କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ଦଳ, ଅଦାନୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର କାମ କରୁଥିବା ଅଭିଯୋଗ କରିଆସୁଛନ୍ତି । ଏସବୁ ମଧ୍ୟରେ ଅଦାନୀ ଗ୍ରୁପ୍ର ସେୟାର ହ୍ରାସ ପାଇଛି । ସଂସଦର ବଜେଟ୍ ଅଧିବେଶନ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ସଂସଦର ଉଭୟ ଗୃହର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ଦଳଙ୍କ ହଙ୍ଗାମା କାରଣରୁ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡିଛି । ବିରୋଧୀ ଦଳର ସାଂସଦମାନେ ସଂସଦ ଭବନ ଭିତରେ ଏବଂ ବାହାରେ ନାରାବାଜି କରିବା ଦେଖିବାକୁ ମିଳୁଛି । ଏତଦ୍ବ୍ୟତୀତ ବିରୋଧୀ ଦଳର କର୍ମୀମାନେ ମଧ୍ୟ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ କରିବାରେ ବ୍ୟସ୍ତ ଅଛନ୍ତି ।