ଆଇଟି ସ୍କାନରରେ ବିବିସି ଅଫିସ୍

ନୂଆଦିଲ୍ଲୀ/ମୁମ୍ବାଇ, ୧୪ା୨: ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟରେ ମଙ୍ଗଳବାର ଆୟକର ବିଭାଗ ସର୍ଭେ ଆରମ୍ଭ କରିଛି । ଆୟକର ବିଭାଗ ସୂତ୍ର ଅନୁଯାୟୀ ବିବିସି ବିରୋଧରେ ଆନ୍ତର୍ଜାତିକ ଟିକସ ହେରଫେର ଅଭିଯୋଗ ରହିଛି । ବିବିସି କର୍ତ୍ତୃପକ୍ଷ ଜାଣିଶୁଣି ‘ଟ୍ରାନ୍ସଫର ପ୍ରାଇସିଂ ରୁଲ୍ସ’ର ଅନୁପାଳନ କରୁନାହାନ୍ତି । ଏହିକ୍ରମରେ କେତେ ଟିକସ ଚୋରି ହୋଇଛି ଜାଣିବା ପାଇଁ ସର୍ଭେ କରିବାକୁ ଆଇଟି ଟିମ୍ ଯାଇଛନ୍ତି । ବିବିସି କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ସେମାନେ ସର୍ଭେରେ ପୂର୍ଣ୍ଣ ସହଯୋଗ କରୁଛନ୍ତି । ବିବିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ଡକୁ୍ୟମେଣ୍ଟାରୀ ରିଲିଜ କରିବା ପରେ ଆଇଟି ସର୍ଭେ ଆଦେଶ ଦିଆଯାଇଥିବାରୁ ବିରୋଧୀ ଦଳ ମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଏହାକୁ ଅଘୋଷିତ ଏମଜେନ୍ସି ବୋଲି କହିବାରୁ ବିଜେପି ପାଲଟା ଜବାବ ଦେଇ କହିଛି ଇନ୍ଦିରା ଗାନ୍ଧି ଦିନେ ବିବିସିକୁ ବ୍ୟାନ କରିଥିବା କଂଗ୍ରେସ ବୋଧ ହୁଏ ଭୁଲି ଯାଇଛି ।
ଟ୍ରାନ୍ସଫର ପ୍ରାଇସିଂ ନିର୍ଦ୍ଧାରଣ ଏକ ଆକାଉଣ୍ଟିଂ ପ୍ରାକ୍ଟିସ୍ । କୌଣସି କମ୍ପାନୀର ଦୁଇଟି ଡିଭିଜନ ମଧ୍ୟରେ କିଛି ବସ୍ତୁ ବା ସେବା କ୍ରୟ ବିକ୍ରୟ ଥିଲେ ସେ ବାବଦ ନଗଦ ଅର୍ଥ ଆଦାନ ପ୍ରଦାନ ହୁଏ ନାହିଁ, ଆକାଉଣ୍ଟରେ ତାହାର ମୂଲ୍ୟ ଉଲ୍ଲେଖ କରାଯାଇଥାଏ । ତାକୁ ହିଁ ଆୟକର ଭାଷାରେ କୁହାଯାଏ ଟ୍ରାନ୍ସଫର ପ୍ରାଇସିଂ । ପୂର୍ବରୁ ଏକାଧିକ ବାର ଏ ନେଇ ନୋଟିସ୍ ଦିଆଯାଇଥିଲେ ହେଁ ବିବିସି କର୍ତ୍ତୃପକ୍ଷ ତାହାକୁ ଗୁରୁତ୍ୱ ଦେଇ ନାହାନ୍ତି ।
ଦିଲ୍ଲୀର କେଜି ମାର୍ଗ ଇଲାକା ସ୍ଥିତ ଏସ୍ଟି ଟାୱାରର ପଞ୍ଚମ ଓ ଷଷ୍ଠ ମହଲାରେ ଏବଂ ମୁମ୍ବାଇର କଲିନା ସାନ୍ତାକ୍ରୁଜ ଠାରେ ବିବିିସି କାର୍ଯ୍ୟାଳୟ ରହିଛି । ଉଭୟ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ଣ ପ୍ରାୟ ସାଢେ ୧୧ଟା ବେଳେ ଆଇଟି ଟିମ୍ ପଶିଥିଲେ । ଦିଲ୍ଲୀରେ ଆଇଟିର ୨୪ ଜଣିଆ ଟିମ୍ ବିବିସି ଅର୍ଥ ବିଭାଗର କର୍ମଚାରୀଙ୍କ ମୋବାଇଲ, ଲାପ୍ଟପ୍, ଡେକ୍ସଟପ୍ ଇତ୍ୟାଦି ଜବତ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ବେଳେ ସବୁ କର୍ମଚାରୀଙ୍କୁ ଫୋନ୍ ସ୍ୱିଚ୍ ଅପ୍ କରି ମିଟିଂ ରୁମ୍ରେ ବସିବାକୁ କୁହାଯାଇଥିଲା ।
ଆୟକର ସର୍ଭେ ଆଇଟି ଅଧିନିୟମ, ୧୯୬୧ର ଧାରା ୧୩୩ ଏ ଅନୁଯାୟୀ କରାଯାଇଥାଏ । ୧୯୬୪ରେ ଏ ଆଇନର ସଂଶୋଧନ କରାଯାଇ ସର୍ଭେ ବ୍ୟବସ୍ଥା ଯୋଡ଼ା ଯାଇଥିଲା । ଆୟକର ସର୍ଭେ ଓ ଚଢଉ ମଧ୍ୟରେ ପ୍ରଭେଦ ଅଛି । ସର୍ଭେ କେବଳ କାର୍ଯ୍ୟ ଦିବସରେ ଅଫିସ୍ ସମୟ ଭିତରେ କରାଯାଇଥାଏ । ଏହା କେବଳ ଦସ୍ତାବିଜ୍ ଓ କ୍ୟାସ୍, ଷ୍ଟୋର୍ ରୁମ୍ ତଦାରଖରେ ସୀମିତି । ସର୍ଚ୍ଚ ବା ରେଡ୍ ଯେକୌଣସି ଦିନ ସୂର୍ଯେ୍ୟାଦୟ ପରେ ଆରମ୍ଭ କରାଯାଏ ଏବଂ ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ତାହା ଜାରି ରହେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *