ଲୋକଙ୍କ ପାଖକୁ ଯାଅ

ଜିଲ୍ଲାପାଳଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର, ୧୪ା୨(ବୁ୍ୟରୋ) : ରାଜ୍ୟରେ ରୂପାନ୍ତରଣ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ । ରୂପାନ୍ତରଣରେ ୫-ଟି ଏବଂ ମୋ ସରକାର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହାର ମୂଳ ଲକ୍ଷ୍ୟ ହେଉଛି, ଲୋକଙ୍କ ପାଖରେ କିଭଳ ବିକାଶମୂଳକ ଯୋଜନା ଠିକ୍ ଭାବେ ପହଞ୍ଚିବ । ଜିଲ୍ଲାସ୍ତରରେ ଆପଣମାନେ ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କର ସମସ୍ୟା ବୁଝି ତାହାର ଶୀଘ୍ର ଏବଂ ସରଳ ସମାଧାନ କରନ୍ତୁ ବୋଲି ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ସରକାରଙ୍କ ବିକାଶ ଏଜେଣ୍ଡା ସ୍ପଷ୍ଟ କରିଥିଲେ । ସେ କହିଲେ, ସରକାରଙ୍କ ଉନ୍ନୟନ ପ୍ରକଳ୍ପଗୁଡ଼ିକ ଯଥାସମ୍ଭବ କମ୍ ସମୟରେ କାର୍ଯ୍ୟକାରୀ ହୋଇ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଦରକାର । ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ଆବଶ୍ୟକ । ଏଭଳି ଭାବେ ଆମ ରାଜ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଉ ।
ମୁଖ୍ୟମନ୍ତ୍ରୀ କହିଲେ, ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିଛି । କ୍ରୀଡ଼ା, ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତର, ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ, ଶସ୍ୟ ଉତ୍ପାଦନ, କୋଭିଡ୍ ପରିଚାଳନାରେ ରାଜ୍ୟ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହା କେବଳ ଫାଇଭ-ଟି ଓ ‘ମୋ ସରକାର’ ଯୋଗୁଁ ସମ୍ଭବ ହୋଇଛି । ଖାଦ୍ୟ ଉତ୍ପାଦନରେ ଓଡ଼ିଶା ଆଜି ବଳକା ରାଜ୍ୟ ହୋଇ ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅବଦାନ ରଖିଛି । ତେବେ କେବଳ ଏତିକିରେ ସନ୍ତୁଷ୍ଟ ହେଲେ ଚଳିବନି । ଫାର୍ମ ମେକାନାଇଜେସନ୍, କ୍ରପ୍ ଡାଇଭର୍ସିଫିକେସନ୍, ହର୍ଟିକଲ୍ଚର, ଫ୍ଲୋରିକଲ୍ଚର ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଆମ ମିଲଟ୍ ମିଶନ୍ ଜାତୀୟସ୍ତରରେ ଆଦୃତି ଲାଭ କଲାଣି । ଏ କ୍ଷେତ୍ରରେ ଆମକୁ ଅଧିକ ଉକ୍ରର୍ଷ ଆଣିବାକୁ ପଡ଼ିବ । ଅର୍ଥନୈତିକ ବିକାଶରେ ଷ୍ଟାର୍ଟ ଅପ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଦିଗରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦେଶର ତିନି ମୁଖ୍ୟ ଷ୍ଟାର୍ଟ ଅପ୍ ଲକ୍ଷ୍ୟସ୍ଥଳରେ ଓଡ଼ିଶାକୁ ସ୍ଥାନ ଦେବାକୁ ଉଦ୍ୟମ ଜାରି ରହିଛି ।
ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଉପରେ ଆଲୋକପାତ କରି କହିଲେ, ମିଶନ ଶକ୍ତି ଗ୍ରୁପ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବେ ରୂପାନ୍ତର କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସେଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯାଉଛି । ମିଶନ ଶକ୍ତି ଗ୍ରୁପ୍ଗୁଡିକୁ ଆସନ୍ତା ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ମିଶନ ଶକ୍ତି ଗ୍ରୁପ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳମାନେ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । କୋରାପୁଟ୍ ମିଶନ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କର ପ୍ରଶଂସା କରି ଏଭଳି ମଡେଲ୍ ସମସ୍ତେ ଆପଣାଇବାକୁ ସେ ନିଦେ୍ର୍ଦଶ ଦେଇଥିବା ଉଲ୍ଲେଖ କରିଥିଲେ । ଏହି ଅବସରରେ ଏକ ନୂଆ ତଥା ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *