ଇକ୍ୱେଟରିଆଲ୍ ଗିନିରେ ମାରବର୍ଗ ଆତଙ୍କ
ଇକ୍ୱେଟରିଆଲ୍ ଗିନିରେ ମାରବର୍ଗ ଆତଙ୍କ
ଇକ୍ୱେଗିନି/ ମାଲାବୋ (ଏଜେନ୍ସି): ମହାମାରୀ କରୋନା ଭୂତାଣୁଜନିତ ଭୟାବହତା ମଧ୍ୟରୁ ବିଶ୍ୱବାସୀ ଏବେ ବି ପୂର୍ଣ୍ଣାଙ୍ଗ ଭାବେ ମୁକ୍ତି ପାଇପାରିନାହାନ୍ତି । ବିଶ୍ୱର କୋଣ ଅନୁକୋଣରୁ ଏବେ ବି କରୋନା ସଂକ୍ରମଣ ଏବଂ ତତ୍ସମ୍ବନ୍ଧିତ ମୃତୁ୍ୟଜନିତ ରିପୋର୍ଟ ଆସିବାରେ ଲାଗିଛି । ଏସବୁ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ର ଇକ୍ୱାଟୋରିଆଲ୍ ଗିନିରେ ମାରବର୍ଗ ନାମକ ଏକ ଅତ୍ୟନ୍ତ ଭୟଙ୍କର ତଥା ପ୍ରାଣଘାତୀ ଭୂତାଣୁ ଠାବ କରାଯାଇଛି । ସିଧାସଳଖ କହିଲେ ଏହି ଭୂତାଣୁ କରୋନା ଠାରୁ ପ୍ରାୟ ୧ଠଠଗୁଣରେ ଅଧିକ ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁଜନିତ ମୃତୁ୍ୟ ସଂଖ୍ୟା ୧୨ ରହିଥିଲେ ମଧ୍ୟ ଆଗାମୀ ସମୟରେ ଏହା ପ୍ରଳୟଙ୍କରୀ ରୂପ ଧାରଣ କରିବା ନେଇ ଆଶଙ୍କା କରାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏସମ୍ପର୍କରେ ଆସିଥିବା ସୂଚନାନୁସାରେ ଗିନି ସରକାର ବର୍ତ୍ତମାନ ସୁଦ୍ଧା ଦେଇଥିବା ତଥ୍ୟରେ ଏହି ଭୂତାଣୁଜନିତ ମୃତୁ୍ୟ ସଂଖ୍ୟା ୧୨ ରହିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୫ଠରୁ ଊଦ୍ଧ୍ୱର୍ ରହିଛି । ସବୁଠୁ ବଡ଼ କଥା ମାରବର୍ଗ ଭୂତାଣୁରେ ସଂକ୍ରମିତଙ୍କ ଠାରେ ଦେଖାଦେଉଥିବା ଲକ୍ଷଣ, ଅନ୍ୟତମ ପ୍ରାଣଘାତୀ ଭୂତାଣୁ ଇବୋଲା ସହ ପ୍ରାୟତଃ ସମାନ ରହୁଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ଅର୍ଥାତ୍ ମାରବର୍ଗ ଭୂତାଣୁ ସଂକ୍ରମିତଙ୍କ ଠାରେ ଜ୍ୱର, ମୁଣ୍ଡବିନ୍ଧା, ଛାତି ଯନ୍ତ୍ରଣା, ତଳପାଦ ପୋଡାଜଳା ହେବା ଆଦି ଲକ୍ଷଣ ଦେଖିବାକୁ ମିଳୁଛି । ତେବେ ଏସବୁ ଲକ୍ଷଣ ଦେଖାଦେବାର କିଛି ଦିନ ମଧ୍ୟରେ (ଚିକିତ୍ସା ନମିଳିବା କ୍ଷେତ୍ରରେ) ରୋଗୀ ମୃତୁ୍ୟମୁଖରେ ପଡୁଥିବା କୁହାଯାଇଛି । ହୁ’ ଏହି ମାରାତ୍ମକ ଭୂତାଣୁ ସମ୍ପର୍କରେ ଏକ ବିବୃତ୍ତି ଜାରି କରିବା ପୂର୍ବକ ଦର୍ଶାଇଛି ଯେ, ମାରବର୍ଗ ଭୂତାଣୁର ଏପ୍ରକାର ସଂକ୍ରମଣ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ହୁ’ ଏହି ଅଞ୍ଚଳରେ ନିଜ ସ୍ୱାସ୍ଥ୍ୟକର୍ମୀ ତଥା ବିଶେଷଜ୍ଞଙ୍କୁ ନିୟୋଜିତ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ତଥା ଭୂତାଣୁ ଚିହ୍ନଟ କାମରେ ଲାଗିଛନ୍ତି । ତେବେ ଏହି ରୋଗରୁ ବର୍ତ୍ତିବା ପାଇଁ ହେଲେ ଏକମାତ୍ର ଉପାୟ ମାସ୍କ ପରିଧାନ, ଆଇସୋଲେସନ୍ ଏବଂ ସାମାଜିକ ଦୂରତା ରକ୍ଷା କରିବା ବୋଲି ହୁ’ ଦର୍ଶାଇଛି ।
ହୁ’ ଆଞ୍ଚଳିକ ନିଦେ୍ର୍ଦଶକ ଡ. ମାତିଶିଦୋ ମୋଏତିଙ୍କ ଅନୁସାରେ ମାରବର୍ଗ ଭୂତାଣୁର ସଂକ୍ରମଣ କ୍ଷମତା ବେଶ୍ ଦ୍ରୁତ । ଏହି ଭୂତାଣୁ ମଧ୍ୟ ବାଦୁଡିଙ୍କ ଠାରୁ ମଣିଷଙ୍କୁ ସଂକ୍ରମିତ ହୋଇଛି । ସେହିପରି ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ବ୍ୟକ୍ତି ୨ଠଠରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ । ବର୍ତ୍ତମାନ ସମୟରେ ଏହି ଭୂତାଣୁ ପାଇଁ କୌଣସି ବିଧିବଦ୍ଧ ଚିକିତ୍ସା ସେବା କିମ୍ବା ଟିକା ଉପଲବ୍ଧ ନଥିବାରୁ ସାବଧାନ ତଥା ସତର୍କ ରହିବା ଶେୟସ୍କର । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସାମାନ୍ୟ ଚିକିତ୍ସା ସେବା ମଧ୍ୟ ଏହି ଭୂତାଣୁ କବଳରୁ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରବ ।