ଅବଦୁର ରେହମାନ୍କୁ ସାଢ଼େ ୭ବର୍ଷ ଜେଲ୍

ନୂଆଦିଲ୍ଲୀ (ଏଜେନ୍ସି): ମଙ୍ଗଳବାର ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଆତଙ୍କବାଦୀ ଗୋଷ୍ଠୀ ସହ ଲିଙ୍କ୍ ତଥା ଦେଶବିରୋଧୀ ଷଡଯନ୍ତ୍ର ଅଭିଯୋଗରେ ୪ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ୩ ଦିନ ପୂର୍ବେ ଏମାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ । ପ୍ରକାଶ ଏହି ୪ ଦୋଷୀଙ୍କୁ କୋର୍ଟ ଅଲ୍ କାଏଦା ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ସାଢ଼େ ୭ ବର୍ଷର ଜେଲଦଣ୍ଡ ସହ ୨୫ ହଜାର ଲେଖାଏ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହି ୪ ଅଭିଯୁକ୍ତଙ୍କ ମଧ୍ୟରେ ଅବଦୁର ରେହମାନ୍ ଯିଏକି ଓଡ଼ିଶାର କଟକ ସହରରୁ ଗିରଫ ହୋଇଥିଲା ମଧ୍ୟ ସାମିଲ ରହିଛି । ରେହମାନ୍ ବ୍ୟତୀତ ଅନ୍ୟ ୩ ଦୋଷୀ ହେଲେ ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମି । ଏହି ୪ଜଣଙ୍କୁ ବେଆଇନ୍ କାର୍ଯ୍ୟକଳାପ ନିରୋଧୀ ଆଇନ୍ ୧୮ ଏବଂ ୧୮ବି ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରାଯାଇଛି । ଏମାନେ ଦେଶ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ପ୍ରମାଣ ମିଳିଥିଲା । ସୂଚନାଯୋଗ୍ୟ, ଅବଦୁର ରେହମାନ୍ ପାକିସ୍ତାନରେ ଆତଙ୍କବାଦୀ ପ୍ରଶିକ୍ଷଣ ନେଇଥିବା ପ୍ରମାଣିତ ହୋଇଥିଲା । ୨ଠ୧୫ରେ ଦିଲ୍ଲୀ ପୁଲିସ ଆତଙ୍କବାଦୀ ଲିଂକରେ ଏହି ୪ଜଣଙ୍କୁ ଗିରଫ କରିଥିବା ବେଳେ ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *