ଫିଟ୍ ରହିବା ପାଇଁ ଇଞ୍ଜେକ୍ସନ୍ ନିଅନ୍ତି ଭାରତୀୟ କ୍ରିକେଟର୍

ଷ୍ଟିଙ୍ଗ୍ ଅପରେସନ୍ରେ ବିସିସିଆଇ ମୁଖ୍ୟ ଚୟନକାରୀ ଚେତନଙ୍କ ବିସ୍ଫୋରକ ତଥ୍ୟ
ନୂଆଦିଲ୍ଲୀ, ୧୪ା୨ (ଏଜେନ୍ସି): ଭାରତୀୟ କ୍ରିକେଟର୍ ନିଜକୁ ଫିଟ୍ ରଖିବା ପାଇଁ ଇଞ୍ଜେକ୍ସନ୍ ନିଅନ୍ତି । ଜି ନୁ୍ୟଜ୍ ଚାନେଲ୍ର ଷ୍ଟିଙ୍ଗ୍ ଅପରେସନ୍ରେ ଏହି ବିସ୍ଫୋରକ ତଥ୍ୟ ପ୍ରଘଟ କରିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକାରୀ ଚେତନ ଶର୍ମା ।
୫୭ବର୍ଷୀୟ ପୂର୍ବତନ କ୍ରିକେଟର୍ ଚେତନ ଖୁଲାସା କରିଛନ୍ତି, “ଭାରତୀୟ କ୍ରିକେଟ୍ ଟିମ୍ର ଖେଳାଳି ଇଞ୍ଜେକ୍ସନ୍ ନିଅନ୍ତି ଏବଂ ୮୦ ପ୍ରତିଶତ ଫିଟ୍ ଥିଲେ ବି ୧୦୦ ପ୍ରତିଶତ ଫିଟ୍ ହୋଇଯାନ୍ତି । ଏହା ପେନ୍ କିଲର୍ ନୁହେଁ । ଏହି ଇଞ୍ଜେକ୍ସନ୍ରେ ଏଭଳି ମେଡିସିନ୍ ଥାଏ, ଯାହା ଡୋପ୍ ଟେଷ୍ଟରେ ଧରାପଡ଼େ ନାହିଁ ।”
ଚେତନଙ୍କ କହିବାନୁଯାୟୀ, “ନକଲି ଫିଟ୍ନେସ୍ ପାଇଁ ଇଞ୍ଜେକ୍ସନ୍ ନେଉଥିବା ଏହି ସମସ୍ତ ଖେଳାଳିଙ୍କ ପାଖରେ କ୍ରିକେଟ୍ ବାହାରେ ନିଜର ଡାକ୍ତର ଅଛନ୍ତି । ସେମାନେ ଏହି ଖେଳାଳିମାନଙ୍କୁ ସଟ୍ସ ଯୋଗାନ୍ତି, ଯାହା ଫଳରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ବିବେଚନା କରାଯାଇପାରିବ ।”
ଫିଟ୍ ନ ଥିଲେ ବି ସବୁଜ ସଙ୍କେତ ଦିଏ ଏନ୍ସିଏ
ମୁଖ୍ୟ ଚୟନକାରୀ ଆହୁରି ମଧ୍ୟ କହିଛନ୍ତି, “କେତେକ ତାରକା ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଫିଟ୍ ନ ଥିବା ସତ୍ତ୍ୱେ ଏନ୍ସିଏ ଅର୍ଥାତ୍ ଜାତୀୟ କ୍ରିକେଟ୍ ଏକାଡେମୀ ଠାରୁ ସବୁଜ ସଙ୍କେତ ଦିଆଯାଏ ଏବଂ ଏହାପରେ ଚୟନକାରୀମାନଙ୍କୁ ଚୟନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ କୁହାଯାଏ ।” ଏହାଛଡ଼ା ଆହୁରି ଅନେକ ତଥ୍ୟ ପ୍ରଘଟ କରିଛନ୍ତି ଚେତନ । ତାଙ୍କ କହିବାନୁଯାୟୀ, ବୁମ୍ରାଙ୍କ ଆଘାତ ଏତେ ଗମ୍ଭୀର ଯେ ଯଦି ସେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ର ଗୋଟିଏ ବି ମ୍ୟାଚ୍ ଖେଳିଥା’ନ୍ତେ, ତା’ହେଲେ ଅତି କମ୍ରେ ଗୋଟିଏ ବର୍ଷ ପାଇଁ ବାଦ୍ ପଡ଼ିଥା’ନ୍ତେ ।
ପୂର୍ବତନ କ୍ରିକେଟର୍ ଏ କଥା ବି କହିଛନ୍ତି ଯେ ରୋହିତ ଶର୍ମା ତାଙ୍କ ସହ ଅଧ-ଅଧ ଘଣ୍ଟା କଥାବାର୍ତ୍ତା କରନ୍ତି ଯେତେବେଳେକି ଟି-୨୦ ଟିମ୍ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଘରକୁ ଯିବା-ଆସିବା କରନ୍ତି । ବଡ଼ ଖେଳାଳିମାନଙ୍କୁ ବ୍ରେକ୍ ନାଁରେ ବାହାରେ ବସାଯାଏ ବୋଲି କହିଛନ୍ତି ଚୟନ କମିଟି ମୁଖ୍ୟ ।
ଅଧିନାୟକତ୍ୱ ଛାଡ଼ିବା ନେଇ କୋହଲିଙ୍କୁ ଗାଙ୍ଗୁଲି କହିଥିଲେ – ‘ଥରେ ଭାବି ନିଅ’
ଚେତନ, କୋହଲିଙ୍କ ଅଧିନାୟକତ୍ୱ ବିବାଦ ନେଇ କହିଛନ୍ତି, “କୋହଲିଙ୍କୁ ଲାଗୁଥିଲା ଯେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଯୋଗୁଁ ତାଙ୍କୁ ଅଧିନାୟକତ୍ୱ ହରାଇବାକୁ ପଡ଼ିଥିଲା, କିନ୍ତୁ ସେମିତି ନୁହେଁ । ଚୟନ କମିଟିର ଭିଡିଓ କନ୍ଫରେନ୍ସରେ ନଅ ଜଣ ଲୋକ ଥିଲେ, ଗାଙ୍ଗୁଲି କୋହଲିଙ୍କୁ କହିଥିଲେ ଯେ ଅଧିନାୟକତ୍ୱ ଛାଡ଼ିବା ବିଷୟରେ ଥରେ ଭାବିନିଅ । ମତେ ଲାଗୁଛି ଯେ କୋହଲି ଏହାକୁ ଶୁଣି ନ ଥିଲେ ।”
“ଏହାପରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିନା କାରଣରେ ଏହି ପ୍ରସଙ୍ଗ ଉଠାଇଥିଲେ । କୋହଲି କହିଥିଲେ – ମତେ ଦେଢ଼ ଘଣ୍ଟା ପୂର୍ବରୁ କୁହାଯାଇଥିଲା ଯେ ମତେ ଅଧିନାୟକତ୍ୱ ଛାଡ଼ିବାକୁ ହେବ । ବିରାଟ ସୌରଭଙ୍କ ଉପରେ ପାଲଟାଆକ୍ରମଣ କରିବାକୁ ଚାହୁଁଥିଲେ ।”
ମାସକ ପୂର୍ବେ ଚେତନ ଦ୍ୱିତୀୟ ଥର ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ ଚୟନକାରୀ ହୋଇଥିଲେ । ଟି-୨୦ ବିଶ୍ୱକପ୍ ବିଫଳତା ପରେ ତାଙ୍କ ସମେତ ତକ୍ରାଳୀନ ଚୟନ କମିଟିକୁ ବରଖାସ୍ତ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *