ଏଥର ପ୍ରମାଣ ନ ଦେଲେ କାର୍ଯ୍ୟାନୁଷ୍ଠାନ
ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍
ନୂଆଦିଲ୍ଲୀ, ୧୩ା୨: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ । ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ରାହୁଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି । ଏହା ଉପରେ ସୋମବାର ମନ୍ତ୍ରୀ ଯୋଶୀ କହିଛନ୍ତି, ଯଦି ରାହୁଲ ତାଙ୍କ ଅଭିଯୋଗର ପ୍ରମାଣ ଦେଇ ନ ପାରିବେ, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ।
ସଂସଦ ଭବନ ପରିସରରେ ଯୋଶୀ ସାମ୍ବାଦିକମାନଙ୍କୁ କହିଛନ୍ତି, ରାହୁଲ ଭିତ୍ତିହୀନ ତଥା ଅଜବ ଅଭିଯୋଗ ଆଣିଥିଲେ । ସେଗୁଡ଼ିକର ପ୍ରମାଣ ସେ ଦେଉ ନାହାନ୍ତି । ଆମେ ଦେଶବାସୀଙ୍କ ପ୍ରତି ଉତ୍ତରଦାୟୀ । ଏଥର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ରୂପେ ହେବ ।
ଉଲ୍ଲେଖଯୋଗ୍ୟ ଯେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ରାହୁଲ ୭ ତାରିଖ ଦିନ କେନ୍ଦ୍ର ସରକାର, ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆଣିଥିଲେ, ସରକାର ତଥା ବିଜେପି ସାଂସଦମାନଙ୍କ କ୍ରମାଗତ ଦାବି ସତ୍ୱେ ସେ ତାହାର ପ୍ରମାଣ ଦେଇ ନାହାନ୍ତି । ରାହୁଲ କହିଥିଲେ ଯେ, ଶିଳ୍ପପତି ଗୌତମ ଅଡାନୀଙ୍କ ସହ ଘନିଷ୍ଠତା ଥିବାରୁ ପ୍ରଧାନମନ୍ତ୍ରୀ ସଂସଦରେ ଅଡାନୀ-ହିଣ୍ଡନବର୍ଗ ବିବାଦ ନେଇ ମୁହଁ ଖୋଲୁ ନାହାନ୍ତି, ଅର୍ଥାତ୍ ଅଡାନୀଙ୍କୁ ସେ ସୁରକ୍ଷା ଦେଉଛନ୍ତି । ନିର୍ଦ୍ଧାରିତ ସଂସଦୀୟ ପରମ୍ପରା ଓ ନିୟମ ଅନୁଯାୟୀ ଲୋକସଭା ସଚିବାଳୟ ପକ୍ଷରୁ ୧୦ ତାରିଖ ଦିନ ରାହୁଲଙ୍କୁ ଇ-ମେଲ ଜରିଆରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଆଯାଇ ଆସନ୍ତା ୧୫ ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି । ତାଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତି ଓମ୍ ବିରଳା ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।
ବାଚସ୍ପତିଙ୍କ ପାଖରେ ବିଭିନ୍ନ ବିକଳ୍ପ ଅଛି । ରାହୁଲଙ୍କ ଠାରୁ ଉତ୍ତର ଆସିଲା ପରେ ବାଚସ୍ପତି ଇଚ୍ଛା କଲେ
ତାହାକୁ ସ୍ୱାଧିକାର କମିଟି ନିକଟକୁ ପଠାଇ ପାରିବେ । ଅନ୍ୟଥା ସେ ଏହା ଉପରେ ଲୋକସଭାରେ ଆଲୋଚନା କରାଇ ପାରିବେ । ମାମଲା ମାମୁଲି ହୋଇଥିଲେ ଅଥବା ଅଭିଯୁକ୍ତ ସାଂସଦ ପର୍ଯ୍ୟାପ୍ତ କ୍ଷମା ପ୍ରାର୍ଥନା କଲେ, ତାହା ଆଗକୁ ବଢେ ନାହିଁ ।
ରୁଲ୍ ବୁକ୍ ଅନୁଯାୟୀ, ଯଦି ବାଚସ୍ପତି ସ୍ୱାଧିକାର କମିଟି ନିକଟକୁ ରାହୁଲଙ୍କ ମାମଲା ପଠାନ୍ତି, ସେ କ୍ଷେତ୍ରରେ ୧୫ ସଦସ୍ୟବିଶିଷ୍ଟ କମିଟି ଗଢାଯିବ । ବାଚସ୍ପତିହିଁ ବିଭିନ୍ନ ଦଳର ସାଂସଦଙ୍କୁ ନେଇ କମିଟି ଗଢିବେ । ବିଶେଷାଧିକାର ଭଙ୍ଗ ହୋଇଛି କି ନାହିଁ, କମିଟି ବିଚାର କରିବ । ଯଦି ରାହୁଲ ଦୋଷୀ ସାବ୍ୟସ୍ତ ହୁଅନ୍ତି, କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ସେ କଥା ବି କମିଟି ସୁପାରିସ କରିବେ ।
ରାହୁଲଙ୍କ ବିରୋଧରେ ଦୁଇଟି ନିୟମ (୩୫୩ ଓ ୩୬୯) ଭଙ୍ଗ ଅଭିଯୋଗ ଆସିଛି । ନିୟମ ୩୫୩ ଅନୁଯାୟୀ ସଦନରେ ଅନୁପସ୍ଥିତ ସାଂସଦଙ୍କ ବିରୋଧରେ ଅଭିଯୋଗ ଅଣାଯାଇପାରିବ ନାହିଁ । କାରଣ ଅଭିଯୁକ୍ତ ସାଂସଦ ନିଜ ପକ୍ଷ ରଖିପାରିବେ ନାହିଁ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କରେ ଅସଂସଦୀୟ ଟିପ୍ପଣୀ ଦେଇଥିଲେ । ନିୟମ ୩୫୩ରେ ଆହୁରି ଉଲ୍ଲେଖ ଅଛି ଯେ ଜଣେ ସାଂସଦ ଅନ୍ୟ ଜଣେ ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିବା ପୂର୍ବରୁ ଲୋକସଭା ସଚିବାଳୟକୁ ସେ ବିଷୟରେ ଜଣାଇବାକୁ ହେବ ଏବଂ ବାଚସ୍ପତିଙ୍କ ଅନୁମତି ଲୋଡିବାକୁ ହେବ । ନିୟମ ୩୬୯ ଅନୁଯାୟୀ କୌଣସି ସାଂସଦ ସଦନରେ କିଛି ଦସ୍ତାବିଜ୍ ଦେଖାଇଲେ ତାହାର ସତ୍ୟତାର ପ୍ରମାଣ ପେସ୍ କରିବାକୁ ପଡିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀ ଏହି ଦୁଇଟିଯାକ ନିୟମ ଭାଙ୍ଗିଛନ୍ତି ।
ରାହୁଲଙ୍କ ବିରୋଧରେ ଏହା ପ୍ରଥମ ସ୍ୱାଧିକାର ଭଙ୍ଗ ନୋଟିସ୍ ନୁହେଁ । କିଛିବର୍ଷ ପୂର୍ବେ ଅନୁରୂପ ନୋଟିସ୍ ତାଙ୍କୁ ଦିଆଯାଇଥିଲା । କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଆଯାଇଥିଲା ।
ପୂର୍ବରୁ ସଂସଦରେ ଏପରି ଅଧିକାଂଶ ନୋଟିସ୍ ଅଗ୍ରାହ୍ୟ ହୋଇଛି । କେବଳ ଅଳ୍ପ କେତେକରେ ହୋଇଛି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ । ୧୯୭୮ରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ତକ୍ରାଳୀନ ଗୃହମନ୍ତ୍ରୀ ଚରଣ ସିଂହ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ । ଦଣ୍ଡ ସ୍ୱରୂପ ଇନ୍ଦିରାଙ୍କୁ ଗୃହରୁ ନିଷ୍କାସିତ କରାଯାଇଥିଲା । ମୋରାର୍ଜୀ ଦେଶାଇ ସରକାର ଏହାପରେ ଇନ୍ଦିରାଙ୍କୁ ସଂସଦ ଅଧିବେଶନ ଚାଲିଥିବା ପର୍ଯ୍ୟନ୍ତ ଜେଲ୍ ପଠାଇଦେଇଥିଲେ । ବାଚସ୍ପତିଙ୍କ ସ୍ୱାକ୍ଷର ଥିବା ଗିରଫଦାରୀ ଆଦେଶ ମିଳିବା ପରେ ଇନ୍ଦିରାଙ୍କୁ ସଂସଦ ଗେଟ୍ ବାହାରକୁ ପଠାଇ ଦିଆଯାଇଥିଲା ।
୧୯୭୬ରେ ଏକ ବିଦେଶୀ ପତ୍ରିକା ପାଇଁ ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଦେଇଥିବା ସାକ୍ଷାତକାର ମାଧ୍ୟମରେ ସଂସଦର ଅପମାନ କରିଥିଲେ । ଏଥିଲାଗି ତାଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍ ଦିଆଯାଇଥିଲା ।