ଭୋର୍ ୩ଟାରେ ଉଠିବ ମହାଦୀପ

୧୮ରେ ଜାଗର
ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ (ବୁ୍ୟରୋ): ଆସନ୍ତା ଶନିବାର ଶ୍ରୀଲୋକନାଥ ଦେବଙ୍କ ଜାଗର ଯାତ୍ରା ଓ ଗୁରୁବାର ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ । ପଙ୍କୋଦ୍ଧାର ଏକାଦଶୀ ପାଇଁ ବିଳମ୍ବିତ ରାତ୍ର ୨ଟାରେ ମନ୍ଦିର ପହୁଡ଼ ଫିଟାଯିବ । ରାତି ୩ଟା ସୁଦ୍ଧା ଲୋକନାଥ ଦେବଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହୋଇ ଭୋରରୁ ସକାଳ ଧୂପ ଶେଷ ହେବ । ପରେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଏକାଦଶୀ ଦର୍ଶନ । ୮ଟାରୁ ୧୨ଟା ପର୍ଯ୍ୟନ୍ତ ଲୋକନାଥ ଦେବଙ୍କ ଗମ୍ଭୀରାରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହେବ । ପଙ୍କ କଢ଼ାଯିବା ପରେ ଠାକୁରଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ସୋମବାର ସ୍ଥାନୀୟ ସର୍କିର୍ଟ୍ ହାଉସ୍ଠାରେ ବସିଥିବା ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ପଙ୍କୋଦ୍ଧାର ଏକାଦଶୀ ଓ ଜାଗରରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଲୋକୀକରଣ, ପାନୀୟଜଳ, ଆଇନଶୃଙ୍ଖଳା, ପାର୍କିଂ, ପରିମଳ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟସେବା, ବାରିକେଡ୍, ଅଗ୍ନିଶମ, ସୂଚନା କେନ୍ଦ୍ର ଓ ଅସ୍ଥାୟୀ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି । ଅଘଟଣକୁ ଦୃଷ୍ଟିରେ ରଖି ସେଠାରେ ଦୁଇଟି ଆମ୍ବୁଲାନ୍ସ ସହ ପ୍ରାଥମିକ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଛି । ଜାଗର ଯାତ୍ରା ଓ ପଙ୍କୋଦ୍ଧାର ଏକାଦଶୀ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ବର୍ଷକରେ ଗୋଟିଏ ଦିନ (ପଙ୍କୋଦ୍ଧାର ଏକାଦଶୀ) ବର୍ତ୍ତମାନ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଲୋକନାଥ ମନ୍ଦିର ପରିସରରେ ଥିବା ବିଭିନ୍ନ ମନ୍ଦିରର ଚୂନ ଧଉରା କାମ ଶେଷ ହୋଇଥିବା ବେଳେ ପ୍ରବେଶ ପଥରେ ଥିବା ସିଂହ ମୂର୍ତ୍ତି ଓ ଅନ୍ୟ ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦିଆଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ୍ ନିର୍ମାଣ କରାଯିବା ସହ ଜାଗର ପଡ଼ିଆକୁ ସଫା କରାଯାଇଛି । ପାର୍ବତୀ ସାଗରରେ ଶ୍ରଦ୍ଧାଳୁ ଗୋଡ଼, ହାତ ଧୋଇବା ବେଳେ ଯେପରି କୌଣସି ଅଘଟଣ ନ ଘଟେ ସେଥିପାଇଁ ରେଲିଂ ଲଗାଯାଇଛି ।
ସେହିଭଳି ଜାଗର ଦିନ ପୂର୍ବରାତ୍ର ସାଢ଼େ ୧୨ଟାରେ ଦ୍ୱାର ଖୋଲିବା ପରେ ନୀତିକାନ୍ତି ଆରମ୍ଭ ହେବ । ପରେ ପରେ ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ସମେତ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଭୋର ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ରାତ୍ର ୨ଟାରୁ ୩ଟା ମଧ୍ୟରେ ମହାଦୀପ ପ୍ରଜ୍ଜ୍ୱଳନ ହେବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାତ୍ର ୩ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସେବାୟତ ନିଯୋଗର ସଭାପତି ରବିନାରାୟଣ ପଣ୍ଡା, ସମ୍ପାଦକ ସନ୍ତୋଷ ପଣ୍ଡା, ପଙ୍କୋଦ୍ଧର ଏକାଦଶୀ ପାଳିଆ ସେବାୟତ ଦୟାନିଧି ମହାପାତ୍ର, ଯୋଗାଣିଆ ସେବାୟତ ନରେନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସେବାୟତମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *