ଜାତୀୟ ପତାକା ଭାରତର ଆତ୍ମା
୧ଠ୮ ଫୁଟ୍ ଉଚ୍ଚର ତି୍ରରଙ୍ଗା ସ୍ଥାପନ
ପୁରୀ (ବୁ୍ୟରୋ): ଜାତୀୟ ପତାକା ଭାରତର ଆତ୍ମା । ଏହା ଭାରତର ପ୍ରକୃତ ଚରିତ୍ର ଓ ପରିଚୟ ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ପ୍ରେମରେ ଉଦ୍ବୃଦ୍ଧ କରିଥାଏ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସୋମବାର ପୁରୀ ବାଟଗାଁ ଠାରେ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୧୦୮ ଫୁଟ୍ ଉଚ୍ଚର ଜାତୀୟ ପତାକା ସ୍ଥାପନ କରାଯାଇଛି । ଏହାକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ର. ଗଣେଶୀ ଲାଲ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତ୍ରିରାଙ୍ଗା ତଳେ ସମାନ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବାଟଗାଁ ଠାରେ ବିଶାଳ ଜାତୀୟ ପତାକା ସ୍ଥାପନ ଦ୍ୱାରା ଲୋକଙ୍କ ମଧ୍ୟରେ ଭକ୍ତି ସହ ଜାତୀୟତା ଭାବନା ଅଧିକ ପ୍ରକଟିତ ହେବ ବୋଲି କହିଥିଲେ । କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ସ୍ଥାପନ ପାଇଁ ଜିନ୍ଦଲ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ଜାତୀୟ ଚେତନା ଓ ଦେଶପ୍ରେମ ଗଠନରେ ଏହା ସହାୟକ ହେବ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରି ଫ୍ଲାଗ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ ‘ହର ଘର ତି୍ରରଙ୍ଗା ହର ଦିନ ତି୍ରରଙ୍ଗା’ ଲକ୍ଷ୍ୟରେ ଏହା ସ୍ଥାପନ ହୋଇଛି ବୋଲି ମତ ଦେଇଥିଲେ । ସେ ଆମେରିକାରେ ଜାତୀୟ ପତାକାର ସମ୍ମାନ ଦେଖି ଦେଶରେ ଏହା ଉଡ଼ାଇବାକୁ ଆଶା କରି ତ୍ରିରଙ୍ଗାକୁ ସମ୍ମାନର ସହ ସମସ୍ତେ ଓ ସବୁବେଳେ ଉଡ଼ାଇବା ପାଇଁ ଆଇନଗତ ଲଢ଼େଇ ସମ୍ପର୍କରେ ସୂଚନା ଦେଇଥିଲେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହି ଗୌରବମୟ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଳେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କନୱର ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଜିନ୍ଦଲର ସିଏସ୍ଆର୍ ପ୍ରେସିଡେଣ୍ଟ ଓ ଗ୍ରୁପ୍ ହେଡ ପ୍ରଶାନ୍ତ କୁମାର ହୋତା କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ସୂଚନା ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ୧୦୮ ଫୁଟ୍ ଉଚ୍ଚ ସ୍ତମ୍ଭରେ ୩୬ ଫୁଟ୍ରେ ୨୪ ଫୁଟ୍ର ଏହି ପତାକା ସ୍ଥାନିତ ହୋଇଛି ।