ଓଡ଼ିଶା ଉପକୂଳର୨୫% ଅବକ୍ଷୟ କ୍ଷେତ୍ର

ଭୁବନେଶ୍ୱର,୧୨ା୨(ତଥ୍ୟ): ଓଡିଶା ଉପକୂଳର ୨୫ ପ୍ରତିଶତରୁ ଅଧିକ ଅବକ୍ଷୟର ସମ୍ମୁଖୀନ ହେଉଥିବାବେଳେ ୫୧ ପ୍ରତିଶତ ଅଞ୍ଚଳରେ ଉପକୂଳ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ କାରଣ ଯୋଗୁଁ ସମୁଦ୍ରରୁ ବାଲି ମାଟି ଆସି ଗଦା ହେବା ଫଳରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି ।
କେନ୍ଦ୍ର ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନ୍ସିସିଆର୍) ଅନୁଯାୟୀ ପୂର୍ବ ଭାରତର ଏହି ରାଜ୍ୟରେ ୫୪୯.୫ କିଲୋମିଟର ଉପକୂଳ ଥିବାବେଳେ ଏଥିରୁ ୧୪୦.୭୨ କିଲୋମିଟର ଅବକ୍ଷୟ କ୍ଷେତ୍ରରେ ସମ୍ବେଦନଶୀଳ ପର୍ଯ୍ୟାୟରେ ରହିଛି । ଏନସିସିଆର ବହୁମୁଖୀ ଉପଗ୍ରହ ଫଟୋଚିତ୍ର ସହିତ କ୍ଷେତ୍ର ସ୍ତରର ସର୍ଭେ କରି ଦେଶର ଉପକୂଳ ରାଜ୍ୟରେ ଘଟୁଥିବା ପରିବର୍ତ୍ତନ ସଂକ୍ରାନ୍ତରେ ୧୯୯୦ରୁ ୨୦୧୮ ପର୍ଯ୍ୟନ୍ତ ଏକ ୨୮ ବର୍ଷିଆ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଦେଶରେ ୧୧ଟି ଉପକୂଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ଏଥି ମଧ୍ୟରେ ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଣ୍ଡିଚେରୀ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୋଆ, ଗୁଜୁରାଟ ଏବଂ ଡାମନ ଓ ଡିଉ ରହିଛି ।
ତେବେ ଓଡିଶାରେ ୨୮୦.୦୨ କିଲୋମିଟର ଅଞ୍ଚଳରେ ଉପକୂଳର ଆକାର ବୃଦ୍ଧି ପାଉଛି ଏବଂ ଏହା ମୋଟ ଉପକୂଳର ୫୧ ପ୍ରତିଶତ ।
୧୨୮.୭୭ କିଲୋମିଟର ଉପକୂଳ ସ୍ଥିର ରହିଛି ଯାହା ମୋଟ ଉପକୂଳର ୨୩.୪ ପ୍ରତିଶତ । ଏନ୍‌ସିସିଆର ଅନୁଧ୍ୟାନ ଦର୍ଶାଇଛି ଯେ ଦେଶର ଉପକୂଳର ୩୩.୬ ପ୍ରତିଶତ ଅବକ୍ଷୟ କ୍ଷେତ୍ରରେ ସମ୍ବେଦନଶୀଳ ସ୍ତରରେ ଥିବାବେଳେ ୨୬୯ ପ୍ରତିଶତରେ ଉପକୂଳ ଆକାର ବୃଦ୍ଧି ପାଉଛି ଏବଂ ୩୯.୬ ପ୍ରତିଶତ ସ୍ଥିର ରହିଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ସି.ଏମ୍ ରମେଶ ରାଜ୍ୟ ସଭାରେ କହିଛନ୍ତି ଯେ ଉପକୂଳ କ୍ଷୟକୁ ରୋକିବା ସହିତ ଏଠାରେ ବସବାସ କରୁଥିବା ଲୋକଙ୍କ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ମନ୍ତ୍ରାଳୟ ପକ୍ଷରୁ ଦେଶର ଉପକୂଳରେ ଥିବା ବିପଦପୂର୍ଣ୍ଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହିସବୁ ଅଞ୍ଚଳରେ ଉପକୂଳରେ ଦେଖା ଦେଉଥିବା ପରିବର୍ତ୍ତନକୁ ଏଥିରେ ଦର୍ଶାଯାଇଛି ।
ମନ୍ତ୍ରାଳୟ ପକ୍ଷରୁ ୨୦୧୯ରେ ଉପକୂଳ ନିୟନ୍ତ୍ରଣ ଜୋନ୍‌ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଯେଉଁଥିରେ ଉପକୂଳର ସୁରକ୍ଷା ଏବଂ ସଂରକ୍ଷଣ, ଉପକୂଳରେ ଜୀବନ ଜୀବିକା ବିଶେଷକରି ମସô୍ୟଜୀବିଙ୍କ ସୁରକ୍ଷାକୁ ଦର୍ଶାଇଥିଲା । ଏଥିରେ ଉପକୂଳରେ ବିକାଶ ରହିତ ଅଞ୍ଚଳ (ଏନ୍‌ଡିଜେଡ୍‌) ସହିତ ଅବକ୍ଷୟ ନିୟନ୍ତ୍ରଣ ପଦକ୍ଷେପ ସ୍ଥାପନ ପାଇଁ କୁହାଯାଇଥିଲା ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଉପକୂଳର ସୁରକ୍ଷା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ଜାତୀୟ ରଣନୀତି ପ୍ରସ୍ତୁତ ଉପରେ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱଆରୋପ କରାାଇଥିଲା । ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ବନ୍ୟା ପରିଚାଳନା ଯୋଜନା ଓ ସମୁଦ୍ର କ୍ଷୟ ରୋକିବା ଯୋଜନା ପାଇଁ ରାଜ୍ୟ ସରକାରମାନେ ସେମାନଙ୍କ ନିଜସ୍ୱ ସମ୍ବଳରେ କାର୍ଯ୍ୟକାରୀ ଲାଗି ଅଗ୍ରାଧିକାର ପ୍ରଦାନ କରାଯାଇଛି । ଉପକୂଳ ସୁରକ୍ଷା ଲାଗି ତଥ୍ୟ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଉପକୂଳ ପରିଚାଳନା ସୂଚନା ବ୍ୟବସ୍ଥା (ସିଏମଆଇଏସ୍‌) ଉପରେ ପଦକ୍ଷେପ ନିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *