୧୩ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୧୨ା୨: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଓ ଲଦାଖ ଉପରାଜ୍ୟପାଳ ରାଧାକୃଷ୍ଣନ ମାଥୁରଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ନୂଆ ରାଜ୍ୟପାଳ ଓ ଉପରାଜ୍ୟପାଳ ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୬ ରାଜ୍ୟପାଳଙ୍କୁ ନୂଆକରି ନିଯୁକ୍ତି ଦିଆଯାଇଥିବାବେଳେ ୭ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରାଯାଇଛି । ଅରୁଣାଚଳ ପ୍ରଦେଶ, ସିକିମ୍, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ,ଆନ୍ଧ୍ର ପ୍ରଦେଶ ଓ ଆସାମରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶରୁ ଛତିଶଗଡ଼କୁ ବଦଳି କରାଯାଇଛି । ଏହି ଅଚାନକ ରାଜ୍ୟପାଳ ନିଯୁକ୍ତି ଓ ବଦଳି ଯୋଗୁ ରାଜନୈତିକ ମହଲରେ ହଲଚଲ୍ ସୃଷ୍ଟି ହୋଇଛି ।
ନିର୍ବାଚନ ଅଭିମୁଖୀ ୯ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯିବା ଏକ ଉଲ୍ଲେଖନୀୟ ଘଟଣା । ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିରୁ ପୂର୍ବୋତ୍ତରର ୪ ରାଜ୍ୟ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଓ ମିଜୋରାମରେ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହୋଇଛି । ହିନ୍ଦୀ ଭାଷାଭାଷୀ ଇଲାକାର ୩ ବଡ଼ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନଭେମ୍ବରରେ ବିଧାନସଭା ନିର୍ବାଚନ ହେବ । ଦକ୍ଷିଣର କର୍ଣ୍ଣାଟକ ଓ ତେଲେଙ୍ଗାନାରେ ମଧ୍ୟ ଏ ବର୍ଷ ନିର୍ବାଚନ ହେବ ।
ରାମ ମନ୍ଦିର ମାମଲାର ଫୈସଲା କରିଥିବା ସୁପ୍ରିମ୍କୋର୍ଟ ନ୍ୟାୟପୀଠର ଅନ୍ୟତମ ପୂର୍ବତନ ବିଚାରପତି ଜଷ୍ଟିସ୍ ଅବ୍ଦୁଲ ନଜିରଙ୍କୁ ଅବସର ଗ୍ରହଣର ୪୦ ଦିନ ପରେ ରାଜ୍ୟପାଳ ନିଯୁକ୍ତ କରାଯାଇଥିବାରୁ ତୃଣମୂଳ କଂଗ୍ରେସ ସମେତ କେତେକ ବିରୋଧ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ନବନିଯୁକ୍ତ ରାଜ୍ୟପାଳମାନେ ହେଲେ:
ଅରୁଣାଚଳ ପ୍ରଦେଶ: ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକ (ଏଠାରେ ଏ ପର୍ଯ୍ୟନ୍ତ ଭାରତୀୟ ସେନାର ପୂର୍ବତନ ବ୍ରିଗେଡିୟର ବିଡି ମିଶ୍ର ରାଜ୍ୟପାଳ ଥିଲେ); ସିକ୍କିମ: ନେତା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ; ଝାଡ଼ଖଣ୍ଡ: ସି ପି ରାଧାକୃଷ୍ଣନ; ହମାଚଳ ପ୍ରଦେଶ: ଶିବ ପ୍ରତାପ ଶୁକ୍ଳ; ଆସାମ: ଗୁଲାବ ଚନ୍ଦ କଟାରିୟା; ଆନ୍ଧ୍ର ପ୍ରଦେଶ: ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଏସ୍ ଅବଦୁଲ୍ ନଜୀର; ଛତିଶଗଡ଼: ବିଶ୍ୱଭୂଷଣ ହରିଚନ୍ଦନ; ମଣିପୁର: ଅନୁସୂଇୟା ଉଇକେ; ନାଗାଲାଣ୍ଡ: ଲା ଗଣେଶନ (ଏ ପର୍ଯ୍ୟନ୍ତ ମଣିପୁର ରାଜ୍ୟପାଳ ଥିଲେ); ମେଘାଳୟ: ଫାଗୁ ଚୌହାନ (ଚୌହାନ ଏ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରି ଆସୁଥିଲେ); ବିହାର: ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର (ଅର୍ଲେକର ହିମାଚଳ ପ୍ରଦେଶ ରାଜ୍ୟପାଳ ଥିଲେ); ମହାରାଷ୍ଟ୍ର: ରମେଶ ବୈସ (ବୈସ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ); ଲଦାଖ: ଅରୁଣାଚଳ ପ୍ରଦେଶ ରାଜ୍ୟପାଳ ବି ଡି ମିଶ୍ରଙ୍କୁ ଲଦାଖ ଉପରାଜ୍ୟପାଳ ନିଯୁକ୍ତ କରାଯାଇଛି ।
ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ଯୁଗର ଆଇକନ୍ କହି ବିବାଦୀୟ ହୋଇପଡ଼ିଥିବା ଭଗତ ସିଂହ କୋଶ୍ୟାରୀ ମହାରାଷ୍ଟ୍ର ରାଜ୍ୟପାଳ ପଦରେ ରହିବେ କି ନାହିଁ, ସେ ବିଷୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଗ୍ଦର୍ଶନ ଲୋଡ଼ିବା ସହ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଜଷ୍ଟିସ୍ ଏସ୍ ଅବଦୁଲ ନଜୀର ଜାନୁଆରୀ ୪ରେ ସୁପ୍ରିମ୍କୋର୍ଟରୁ ସେବା ନିବୃତ ହୋଇଥିଲେ । ୨୦୧୯ ନଭେମ୍ବର ୯ ତାରିଖ ଦିନ ରାମ ମନ୍ଦିର ମାମଲାର ରାୟ ପ୍ରକାଶ ପାଇଥିଲା । ସେ ମନ୍ଦିର ନିର୍ମାଣ ସପକ୍ଷରେ ରାୟ ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ, ଭିନ୍ନ ରାୟ ଦେଇଥିଲେ ନିଜ (ମୁସଲିମ୍) ସମ୍ପ୍ରଦାୟର ହିରୋ ହୋଇ ପାରିଥାନ୍ତେ କିନ୍ତୁ ଦେଶ ସମ୍ପର୍କରେ ଚିନ୍ତା କରି ରାୟ ଦେଇଛି । ରମେଶ ବୈସ ଛତିଶଗଡ଼ ବିଜେପିର ଅନ୍ୟତମ ବର୍ଷୀୟାନ ନେତା । ସେ ସାତ ଥର କର୍ମାଗତ ଲୋକସଭା ସାଂସଦ ହୋଇଥିଲେ ଏବଂ ପୂର୍ବରୁ ତ୍ରିପୁରା ଓ ଝାଡ଼ଖଣ୍ଡ ରାଜ୍ୟପାଳ ରୂପେ କାର୍ଯ୍ୟ କରିଛନ୍ତି । ଏବେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଛି । ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଛତିଶଗଡ଼ ଗସ୍ତର ଦିନକ ପରେ ରାଜ୍ୟପାଳ ପଦରୁ ଅନୁସୂଇୟାଙ୍କୁ ହଟାଇ ମଣିପୁର ରାଜ୍ୟପାଳ କରାଯାଇଛି । କଂଗ୍ରେସରୁ ବିଜେପିକୁ ଆସିଥିବା ଅନୁସୂଇୟାଙ୍କୁ ୨୦୧୯ ଜୁଲାଇ ୧୬ରେ ଛତିଶଗଡ଼ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ସେ ଜୁଲାଇ ୧୭ରେ କାର୍ଯ୍ୟଭାର ଗ୍ରହଣ କରିବାର ମାସକ ପରେ ଛତିଶଗଡ଼ରେ କଂଗ୍ରେସର ନୂଆ ସରକାର ଗଠିତ ହେଲା । ଚାରି ଦଳ ବଦଳାଇ ପୂନର୍ବାର ବିଜେପିକୁ ଫେରିଥିବା ଫାଗୁ ଚୌହାନଙ୍କୁ ବିହାରର ୪୦ତମ ରାଜ୍ୟପାଳ କରାଯାଇଛି । ଆସାମର ନୂଆ ରାଜ୍ୟପାଳ କଟାରିଆ ଏ ପର୍ଯ୍ୟନ୍ତ ରାଜସ୍ଥାନ ବିଧାନସଭାରେ ବିରୋଧ ଦଳ ନେତା ରହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *