ପାକ୍ ବିଜୟରୁ ଭାରତର ଅଭିଯାନ
ଆଇସିସି ମହିଳା ଟି-୨୦ ବିଶ୍ୱକପ୍
କେପ୍ ଟାଉନ୍, ୧୨ା୨ (ଏଜେନ୍ସି): ଜେମିମା ରୋଡ୍ରିଗ୍ସଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ସହ ଅପରାଜିତ ୫୮ ରନ୍ର ଭାଗୀଦାରୀ ବଳରେ ଭାରତ ରବିବାର ପାକିସ୍ତାନକୁ ୭ ୱିକେଟ୍ରେ ହରାଇ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ରେ ସକାରାତ୍ମକ ଅଭିଯାନ ଆରମ୍ଭ କରିଛି । ଭାରତୀୟ ଟିମ୍ ନିଜ ପରବର୍ତ୍ତୀ ମ୍ୟାଚ୍ରେ ୧୫ରେ ୱେଷ୍ଟଇଣ୍ଡିଜ୍କୁ ଭେଟିବ ।
ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷରେ ଏହା ଭାରତର ପଞ୍ଚମ ବିଜୟ । ମହିଳା ଟି-୨୦ ଇତିହାସରେ ଭାରତୀୟ ଟିମ୍ ପାକିସ୍ତାନକୁ ୧୧ ଥର ହରାଇଛି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜେମିମା ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଭାରତୀୟ ଟିମ୍ ୧୯ ଓଭର୍ରେ ୩ ୱିକେଟ୍ ହରାଇ ୧୫୧ ରନ୍ କରି ବିଜୟୀ ହୋଇଥିଲା । ଜେମିମା ୩୮ ବଲ୍ରୁ ୮ ଚୌକା ସହାୟତାରେ ୫୩ ଓ ରିଚା ୨୦ ବଲ୍ରୁ ୫ ଚୌକା ସହାୟତାରେ ୩୧ ରନ୍ କରି ଅପରାଜିତ ଥିଲେ ।
ଯସ୍ତିକା ଭାଟିଆ ଓ ଶେଫାଲୀ ବର୍ମାଙ୍କ ଓପନିଂ ଯୋଡ଼ି ୩୩ ବଲ୍ରୁ ୩୮ ରନ୍ର ଭାଗୀଦାରୀ କରିଥିଲେ । ଯସ୍ତିକା ୧୭ ରନ୍ କରି ସାଦିଆ ଇକ୍ବାଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଶେଫାଲୀ ନୂଆ ବ୍ୟାଟର୍ ଜେମିମାଙ୍କ ସହ ମିଶି ୨୭ ରନ୍ ଯୋଗ କରିଥିଲେ । ଶେଫାଲୀ ବ୍ୟକ୍ତିଗତ ୩୩ (୨୫ ବଲ୍ରୁ) ନଶରା ସାନ୍ଧୁଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
୬୫ ରନ୍ରେ ଦ୍ୱିତୀୟ ୱିକେଟ୍ ପଡ଼ିଥିଲା । ଜେମିମା ଓ ଅଧିନାୟିକା ହରମନପ୍ରୀତ ସିଂହଙ୍କ ଯୋଡ଼ି ସ୍କୋର୍କୁ ୯୩ ରନ୍ ଯାଏଁ ନେଇଥିଲେ । ୧୪ତମ ଓଭର୍ରେ ହରମନପ୍ରୀତ (୧୬)ଙ୍କ ୱିକେଟ୍ ପଡ଼ିଥିଲା ।
ସେତେବେଳେ ବିଜୟ ପାଇଁ ୩୯ ବଲ୍ରୁ ୫୭ ରନ୍ ଆବଶ୍ୟକ ଥିଲା । ଜେମିମା ଓ ରିଚା ଦୃଢ଼ତାର ସହ ଖେଳି ଇନିଂସ୍କୁ ବିଜୟ ପଥରେ ଆଗେଇ ନେଇଥିଲେ । ଫାତିମା ସାନାଙ୍କ ବଲ୍ରେ ଏକ ଚୌକା ମାରି ଜେମିମା ମ୍ୟାଚ୍ ଫିନିଶ୍ କରିଥିଲେ ।
ଏହା ପୂର୍ବରୁ ନୁ୍ୟଲାଣ୍ଡ୍ସ ଷ୍ଟାଡିୟମ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଏକାଦଶରେ ଅନ୍ଫିଟ୍ ସ୍ମୃତି ମାନ୍ଧାନା ସ୍ଥାନ ପାଇ ନ ଥିଲେ ।
ପାକିସ୍ତାନ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ରେ ୧୪୯ ରନ୍ ସଂଗ୍ରହ କରିଥିଲା । ଭାରତ ବିପକ୍ଷରେ ପାକିସ୍ତାନର ଏହା ସବୁଠାରୁ ବଡ଼ ଟି-୨୦ ସ୍କୋର୍ ଥିଲା । ଟିମ୍ ପକ୍ଷରୁ ଅଧିନାୟିକା ବିସ୍ମାହ ମାରୁଫ ୫୫ ବଲ୍ରୁ ୬୮ (୭ ଚୌକା ସହାୟତାରେ) ଓ ଆୟେଶା ନସୀମ୍ ୨୫ ବଲ୍ରୁ ୪୩ (୨ ଚୌକା ଓ ୨ ଛକା ସହାୟତାରେ) ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ ।
ଭାରତ ପକ୍ଷରୁ ରାଧା ଯାଦବ ୨୧ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରାକାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।
ମ୍ୟାଚ୍ର ଦ୍ୱିତୀୟ ଓଭର୍ରେ ପାକିସ୍ତାନର ଓପନିଂ ଯୋଡ଼ି ଭାଙ୍ଗିଥିଲା । ଦୀପ୍ତି ଓପନର୍ ଜାଭେରିଆ ଖାନ୍ (୮)ଙ୍କୁ ହରମନପ୍ରୀତ କୌରଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ଅନ୍ୟତମ ଓପନର୍ ମୁନୀବା ଅଲୀ ଅଧିନାୟିକା ବିସ୍ମାହଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୩୨ ରନ୍ ଯୋଗ କରିଥିଲେ । ମୁନୀବା ମାତ୍ର ୧୨ ରନ୍ କରି ରାଧା ଯାଦବଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ନିଦା ଧର କୌଣସି ସ୍କୋର୍ ନ କରି ପୂଜାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଟିମ୍ର ସ୍କୋର୍ ୬୮ ହୋଇଥିବା ବେଳେ ସିଦ୍ରା ଅମୀନ ୧୧ ରନ୍ କରି ରାଧାଙ୍କ ଆଉ ଏକ ଶିକାର ହୋଇଥିଲେ । ଏହାପରେ ବିସ୍ମାହ ନୂଆ ବ୍ୟାଟର୍ ଅୟେଶା ନସୀମ୍ଙ୍କ ସହ ମିଶି ଇନିଂସ୍କୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଉଭୟ ଚତୁର୍ଥ ୱିକେଟ୍ ପାଇଁ ୪୭ ବଲ୍ରୁ ଅପରାଜିତ ୮୧ ରନ୍ର ଭାଗୀଦାରୀ କରିଥିଲେ । ଶେଷ ପାଞ୍ଚ ଓଭର୍ରେ ଟିମ୍ ୫୮ ରନ୍ ହୋଇଥିଲା ।