ଚାଉଳ ଖାଦ୍ୟ ସୁରକ୍ଷାର ଆଧାର
ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସ ଉଦ୍ଘାଟନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର,୧୧ା୨(ବୁ୍ୟରୋ): ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । କଟକ ସ୍ଥିତ ଆଇସିଏଆର୍ – ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଶନିବାର ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଆଜି ଭାରତ ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଏବଂ ବଡ଼ ରପ୍ତାନିକାରୀ । କିନ୍ତୁ ଦେଶ ସ୍ୱାଧୀନ ହେବା ସମୟରେ ପରିସ୍ଥିତି ଭିନ୍ନ ଥିଲା । ସେତେବେଳେ ଆମେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ । ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା । ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ବିଶ୍ୱର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍ । ଏହି ଗବେଷଣା ପ୍ରତିଷ୍ଠାନ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଇଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି ।
ରାଷ୍ଟ୍ରପତି କହିଥିଲେ, ବିଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଥିଲା । ନୂଆ ସ୍ଥାନରେ ଧାନ ଅମଳ ହେଲା ଏବଂ ଧାନକୁ ନୂଆ ଉପଭୋକ୍ତା ମିଳିଥିଲେ ।
ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି, କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖା ଦେଇଛି । ମରୁଡ଼ି, ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି । ସେ କହିଥିଲେ ଯେ, ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍ । ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ । ଆଉ ଏକ ସମସ୍ୟା ହେଉଛି ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ହେଉଥିବା ମୃତ୍ତିକା କ୍ଷୟକୁ ରୋକିବା । ଆଧୁନିକ ଧାନ ଚାଷ ପାଇଁ ଏହାକୁ ଜରୁରୀ ବୋଲି ବିବେଚନା କରାଯାଇଥାଏ । ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ୱ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । କମ୍ ଆୟ ବର୍ଗର ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରିଥା’ନ୍ତି, ଏହା ସେମାନଙ୍କ ପାଇଁ ଦୈନିକ ପୋଷଣର ଏକମାତ୍ର ଉତ୍ସ । ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ୍, ଭିଟାମିନ୍ ଓ ଅନ୍ୟ ଜରୁରି ପୋଷକ ତତ୍ତ୍ୱ ଯୋଗାଇ ଦେବା ଦ୍ୱାରା କୁ-ପୋଷଣକୁ ଦୂର କରାଯାଇପାରିବ । ଆଇସିଏଆର୍-ଏନ୍ଆର୍ଆର୍ଆଇ ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ “ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବିଜ୍ଞାନ କିଭଳି ସମାଜ ସେବା କରିପାରୁଛି ତାହା ଏଭଳି ଜୈବ ପୋଷଣ ଯୁକ୍ତ କିସମର ଧାନ ବିକଶିତ କରାଯିବା ଦ୍ୱାରା ପ୍ରମାଣିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ବି ଚାଲିଥିବାରୁ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ଲାଗି ଏଭଳି ଅଧିକରୁ ଅଧିକ ପ୍ରୟାସ କରାଯିବା ଉଚିତ୍ । ଭାରତର ବୈଜ୍ଞାନିକ ସମୁଦାୟ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ରାଇସ୍ କଂଗ୍ରେସରେ ଉଦ୍ବୋଧନ ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ, କୃଷି ଓ କୃଷକଙ୍କ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା ଜାରି ରଖିଥିବା ବେଳେ ଭାରତ ବିଶ୍ୱରେ ଧାନ ଉତ୍ପାଦନରେ ପ୍ରଥମ ହୋଇପାରିଛି । ପିଏମ୍ କିଷାନ ନିଧି ପ୍ରଚଳନ କରି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧୧ କୋଟି କୃଷକଙ୍କୁ ୨.୨୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କେତେକ ପୁସ୍ତକର ଉନ୍ମୋଚନ କରିଥିଲେ । ଫେବ୍ରୁଆରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ରାଇସ୍ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ଯୋଗ ଦେଇଛନ୍ତି । ଫିଲିପାଇନ୍ସ, ଆଫ୍ରିକା ସମେତ କେତେକ ରାଷ୍ଟ୍ରର ବୈଜ୍ଞାନିକ ଏଥିରେ ଯୋଗ ଦେଇଛନ୍ତି ।