୧ଠ ମିନିଟ୍ରେ ୧୯୧୧ ଚାକିରି ଗଲା

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା
କୋଲକତା, ୧୧ା୨: ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡଦ୍ୱାରା ନିଯୁକ୍ତ ଗ୍ରୁପ୍ ଡି ବର୍ଗର ୧୯୧୧ କର୍ମଚାରୀଙ୍କୁ ବରଖାସ୍ତ କରିବା ପାଇଁ କଲିକତା ହାଇକୋର୍ଟର ଜଷ୍ଟିସ୍ ଅଭିଜିତ ଗାଙ୍ଗୁଲିଙ୍କୁ ୧୦ ମିନିଟ୍ରୁ କମ୍ ସମୟ ଲାଗିଛି । ଏହି ୧୯୧୧ ପିଅନ, ମାଟ୍ରନ ଓ ଲାବ୍ ଆଟେଣ୍ଡାଣ୍ଟଙ୍କୁ ତକ୍ରାଳ ଚାକିରିରୁ ବିଦା କରିଦେବା ପାଇଁ ଜଷ୍ଟିସ୍ ଗାଙ୍ଗୁଲି ଶୁକ୍ରବାର ଫୈସଲା ଶୁଣାଇଛନ୍ତି । ନିଯୁକ୍ତି ପରଠାରୁ ଏପର୍ଯ୍ୟନ୍ତ ଏମାନେ ଦରମା ଆକାରରେ ଯେତିକି ନେଇଛନ୍ତି, ସେ ସବୁକୁ କିସ୍ତିରେ ଫେରାଇବେ । ଏହାସହିତ ହାଇକୋର୍ଟଙ୍କ ଦ୍ୱାରା ଏପର୍ଯ୍ୟନ୍ତ ୨୫୨୦ ଜଣ ଗ୍ରୁପ୍ ଡି ଚାକିରିଆ ବରଖାସ୍ତ ହେଲେଣି । ଗତ ନଭେମ୍ବରରେ ହାଇକୋର୍ଟ ୬୦୯ ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ଖୁବ୍ଶୀଘ୍ର ୮୦୩ ଶିକ୍ଷକଙ୍କ ଚାକିରି ଯିବା ଏକପ୍ରକାର ସୁନିଶ୍ଚିତ ବୋଲି ଜଣାପଡିଛି ।
ଶିକ୍ଷା ବିଭାଗ ପକ୍ଷରୁ ଗ୍ରୁପ୍ ଡି ପରୀକ୍ଷା ଫଳରେ ହେର୍ଫେର୍ କରାଯାଇ ବେଆଇନ ଭାବେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ପରୀକ୍ଷା ୨୦୧୬ରେ ହୋଇଥିଲା । ପୂର୍ବୋକ୍ତ ୧୯୧୧ ପରୀକ୍ଷାର୍ଥୀଙ୍କ ଓଏମ୍ଆର୍ ସିଟ୍ରେ ହେର୍ଫେର ପୂର୍ବକ ସେମାନଙ୍କୁ ନିଯୁକ୍ତି ଦେବାଲାଗି ସୁପାରିସ କରାଯାଇଥିଲା । ସୁପାରିସ କରିଥିଲେ ସ୍କୁଲ ସେବା ଆୟୋଗ (ଏସ୍ଏସ୍ସି) । ଆୟୋଗଙ୍କ ସର୍ଭରରେ ପରୀକ୍ଷା ଫଳ ହେର୍ଫେର କରାଯାଇଥିଲା । ବରଖାସ୍ତ କର୍ମଚାରୀମାନେ ହାଇକୋର୍ଟଙ୍କ ବିନା ଅନୁମତିରେ କେଉଁଠି ହେଲେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଉଲ୍ଲେଖ କରିପାରିବେ ନାହିଁ ।
୨୦୧୬ ପରୀକ୍ଷା ବେଳେ ଏସ୍ଏସ୍ସି ଅଧ୍ୟକ୍ଷ ଥିଲେ ସୁବିରେଶ ଭଟ୍ଟାଚାର୍ଯ୍ୟ । ତାଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯେଉଁ ଲୋକମାନେ ପରୀକ୍ଷା ଫଳ ହେରଫେର କରିବା ପାଇଁ କହିଥିଲେ,
ସେମାନଙ୍କ ନାମ ପ୍ରକାଶ କରିବା ଲାଗି ସୁବିରେଶଙ୍କୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଯଦି ସେ ନାମ ପ୍ରକାଶ ନ କରିବେ, କୋର୍ଟ ଧରି ନେବେ ଯେ ସମଗ୍ର କାଣ୍ଡ ସେ ହିଁ କରାଇଛନ୍ତି । ଅଧ୍ୟକ୍ଷ ସୁବିରେଶଙ୍କୁ ଏ ସମ୍ବନ୍ଧରେ ଜେରା କରିବା ପାଇଁ ହାଇକୋର୍ଟ ସିବିଆଇକୁ ନିଦେ୍ର୍ଦଶ ଦେଇଛନ୍ତି । ଯଦି ନିଜ ପରିବାରର ସୁରକ୍ଷା ବିପନ୍ନ ହେବାର ଆଶଙ୍କା ରହୁଛି, ସୁବିରେଶ ଜଣାଇଲେ କେନ୍ଦ୍ରୀୟ ଫୋର୍ସ ଦ୍ୱାରା ତାଙ୍କ ପରିବାରର ସୁରକ୍ଷା ବନେ୍ଦାବସ୍ତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *