ଭାରତର ଇନିଂସ୍ ବିଜୟ

୯୧ ରନ୍ରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ୍ ଶେଷ
ନାଗପୁର, ୧୧ା୨ (ଏଜେନ୍ସି): ତିନି ଦିନ ମଧ୍ୟରେ ଶେଷ ହୋଇଛି ପ୍ରଥମ ଟେଷ୍ଟ । ଉଭୟ ବ୍ୟାଟ୍ ଓ ବଲ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଶନିବାର ଅଷ୍ଟ୍ରେଲିଆକୁ ଏକ ଇନିଂସ୍ ଓ ୧୩୨ ରନ୍ରେ ପରାସ୍ତ କରିଛି । ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଏହି ବୃହତ୍ ବିଜୟ ଫଳରେ ଆୟୋଜକ ଟିମ୍ ଚାରି ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ଅଲ୍ରାଉଣ୍ଡ ପ୍ରଦର୍ଶନ କରିଥିବା ରବୀନ୍ଦ୍ର ଜାଡ଼େଜା (୭ ୱିକେଟ୍ ଓ ୭୦ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ପ୍ରଥମ ଇନିଂସ୍ରେ ୨୨୩ ରନ୍ର ବଡ଼ ଅଗ୍ରଣୀ ହାସଲ କରିବା ପରେ ରବିଚନ୍ଦ୍ରନ୍ ଅଶ୍ୱିନ (୩୭/୫)ଙ୍କ ନେତୃତ୍ୱରେ ଭାରତୀୟ ବୋଲର୍ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଇନିଂସ୍ରେ ମାତ୍ର ୯୧ ରନ୍ରେ ଅଲ୍ଆଉଟ୍ କରିଦେଇଥିଲେ । ଦ୍ୱିତୀୟ ସତ୍ରରେହିଁ ଭ୍ରମଣକାରୀ ଟିମ୍ର ପୂରା ଇନିଂସ୍ ଭୁଶୁଡ଼ି ଯାଇଥିଲା । ଅଶ୍ୱିନ ଟେଷ୍ଟ କ୍ରିକେଟ୍ରେ ୩୧ତମ ଥର ୫ ୱିକେଟ୍ ହାସଲ କରିଥିଲେ ।
ଅଶ୍ୱିନ ଓ କମ୍ବ୍ୟାକ୍ ମ୍ୟାନ୍ ରବୀନ୍ଦ୍ର ଜାଡ଼େଜା (୩୪/୨) ଅଷ୍ଟ୍ରେଲୀୟ ବ୍ୟାଟର୍ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ, ଯାହାଫଳରେ ୨୩ତମ ଓଭର୍ରେ ଟିମ୍ର ସ୍କୋର୍ ୬୭/୭ରେ ପହଞ୍ଚି ଯାଇଥିଲା । ଏହାପରେ ଅକ୍ଷର ପଟେଲ୍ (୬/୧) ଓ ମହମ୍ମଦ ଶାମୀ (୧୩/୨) ଅବଶିଷ୍ଟ ତିନି ୱିକେଟ୍ ନେଇ ଭାରତକୁ ବୃହତ୍ ବିଜୟ ଦେଇଥିଲେ ।
୩୩ତମ ଓଭର୍ରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସ୍ ଶେଷ ହୋଇଥିଲା । ଟିମ୍ ପକ୍ଷରୁ ଷ୍ଟିଭେନ୍ ସ୍ମିଥ୍ ସର୍ବାଧିକ ୨୫ ରନ୍ କରିଥିବା ବେଳେ ମାର୍ନସ ଲାବୁସନେ ୧୭, ଡେଭିଡ୍ ୱାର୍ଣ୍ଣର ୧୦ ଓ ଆଲେକ୍ସ କାରୀ ୧୦ ରନ୍ର ଇନିଂସ୍ ଖେଳିଥିଲେ । ଏହାଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ଏହା ପୂର୍ବରୁ ଭାରତୀୟ ଟିମ୍ ଶନିବାର ତୃତୀୟ ଦିବସରେ ୩୨୧/୭ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଅକ୍ଷର ୮୪ (୧୭୪ ବଲ୍ରୁ ୧୦ ଚୌକା ଓ ୧ ଛକା ସହାୟତାରେ) ରନ୍ର କ୍ୟାରିଅର-ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ସେ ନବମ ୱିକେଟ୍ ପାଇଁ ଶାମୀ (୪୭ ବଲ୍ରୁ ୩୭)ଙ୍କ ସହ ୫୨ ରନ୍ର ଉପଯୋଗୀ ଭାଗୀଦାରୀ କରିଥିଲେ । ଏହା ଫଳରେ ଭାରତୀୟ ଟିମ୍ ପ୍ରଥମ ଇନିଂସ୍ରେ ୪୦୦ ରନ୍ ସଂଗ୍ରହ କରିପାରିଥିଲା ।
ପୂର୍ବ ଦିନ ଅପରାଜିତ ଥିବା ଜାଡ଼େଜା ଓ ଅକ୍ଷରଙ୍କ ଯୋଡ଼ି ଶୀଘ୍ର ଭାଙ୍ଗିଥିଲା । ଜାଡ଼େଜା (୯ ଚୌକା ସହାୟତାରେ ୭୦) ନିଜ ପୂର୍ବ ସ୍କୋର୍ରେ ମାତ୍ର ୪ ରନ୍ ଯୋଗ କରି ନବାଗତ ଟୋଡ୍ ମର୍ଫିଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଏହାପରେ ଅକ୍ଷର ନୂଆ ବ୍ୟାଟର୍ ଶାମୀଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ ।
ଟିମ୍ର ସ୍କୋର୍ ୩୮୦ ହୋଇଥିବା ବେଳେ ଶାମୀ, ମର୍ଫିଙ୍କ ସପ୍ତମ ଶିକାର ହୋଇଥିଲେ । ମହମ୍ମଦ ସିରାଜ୍ ୧ ରନ୍ କରି ଅପରାଜିତ ଥିବା ବେଳେ ଅକ୍ଷର ଶେଷ ବ୍ୟାଟର୍ ଭାବେ ପାଟ୍ କମିନ୍ସଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ମର୍ଫି ୧୨୬ ରନ୍ ଦେଇ ୭ ୱିକେଟ୍ ନେଇଥିଲେ, ଯିଏକି ବିଶ୍ୱର ଏକ ନମ୍ବର ଟିମ୍ ପାଇଁ ଏକମାତ୍ର ଭରସାଯୋଗ୍ୟ ବୋଲର୍ ହୋଇପାରିଥିଲେ । କମିନ୍ସ ୨ ଓ ନାଥନ୍ ଲାୟନ୍ ଗୋଟିଏ ୱିକେଟ୍ ପାଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ପିନ୍-ଅନୁକୂଳ ପିଚ୍ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ମାତ୍ର ୧୭୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଶୁକ୍ରବାର ଠାରୁ ନୂଆଦିଲ୍ଲୀରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *