କେରଳରେ କୁସ୍ତି, ତ୍ରିପୁରାରେ ଦୋସ୍ତି

ତ୍ରିପୁରାରେ କଂଗ୍ରେସ-ସିପିଆଇ(ଏମ୍) ଉପରେ ଗର୍ଜିଲେ ମୋଦି
ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୧୬ରେ ତ୍ରିପୁରାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ କଂଗ୍ରେସ, ବିଜେପି ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତ୍ରିପୁରା ଗସ୍ତ ପୂର୍ବକ ଏଠାରେ ଦୁଇ ଦୁଇଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ଧଲାଇର ଅମ୍ବାସା ଠାରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି କହିଛନ୍ତି, ପୂର୍ବରୁ ତ୍ରିପୁରାରେ ଗୋଟିଏ ଶବ୍ଦ ଶୁଣିବାକୁ ମିଳୁଥିଲା ‘ଚାନ୍ଦା’ । ଦୀର୍ଘ ୩ ଦଶନ୍ଧି ଧରି ତ୍ରିପୁରାବାସୀଙ୍କୁ ଚାନ୍ଦା ଆଳରେ ଲୁଟ୍ କରାଯାଉଥିଲା । ଉଭୟ କଂଗ୍ରେସ ଏବଂ ବାମ ଦଳର ସରକାର ତ୍ରିପୁରାକୁ ଲୁଟିଆସୁଥିଲେ । କିନ୍ତୁ ତ୍ରିପୁରାରେ ବିଜେପି ସରକାର ଆସିବା ପରେ ଏହି ଶବ୍ଦ ଏବେ ଉଭାନ ହୋଇଯାଇଛି । ବିଜେପି ସରକାର ତ୍ରିପୁରାର ଗରିବ, ଯୁବକ, ମାଆ-ଭଉଣୀ, ଜନଜାତିଙ୍କ ପାଇଁ ନୂଆ ଲକ୍ଷ ସ୍ଥିର କରିବା ପୂର୍ବକ ଏହାକୁ କାର୍ଯ୍ୟକାରୀ କରିଛି । ତ୍ରିପୁରାବାସୀ ମନେରଖିବା ଉଚିତ୍, ସେମାନଙ୍କ ଗୋଟିଏ ଭୋଟ୍ ରାଜ୍ୟକୁ ବାମପନ୍ଥୀ ତଥା କଂଗ୍ରେସର କୁଶାସନରୁ ମୁକ୍ତ କରିପାରିଛି । ତ୍ରିପୁରା ଏବେ ମଧ୍ୟଏସିଆର ଗେଟ୍ ୱେ ହେବାକୁ ଯାଉଛି । ତ୍ରିପୁରାର ବିକାଶ ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏତଦ୍ବ୍ୟତୀତ କଂଗ୍ରେସ ଏବଂ ବାମ ଦଳ (ସିପିଆଇ-ଏମ)କୁ ଟାର୍ଗେଟ୍ କରି ମୋଦି କହିଛନ୍ତି, ଏହି ଦୁଇ ଦଳ କେରଳରେ ପରସ୍ପର ସହ କୁସ୍ତି କରୁଥିବା ବେଳେ ତ୍ରିପୁରାରେ କେବଳ ନିର୍ବାଚନ ପାଇଁ ଦୋସ୍ତି (ମେଣ୍ଟ) କରିଛନ୍ତି । ସେମାନେ ଯେତେ ମେଣ୍ଟ କଲେ ମଧ୍ୟ ତ୍ରିପୁରାବାସୀ ସେମାନଙ୍କ କଥାକୁ କଦାପି ବିଶ୍ୱାସ କରିବା ଉଚିତ୍ ନୁହେଁ । ବାମ ଦଳ କିମ୍ବା କଂଗ୍ରେସ ଭୋଟ୍ ଦେବା ଅର୍ଥ ରାଜ୍ୟରେ ବିକାଶର ଅଗ୍ରଗତିକୁ ବନ୍ଦ କରିଦେବା ସହ ସମାନ । ରାଜ୍ୟବାସୀଙ୍କ ଭୁଲ୍ ନିଷ୍ପତ୍ତି ତ୍ରିପୁରାକୁ ବହୁ ବର୍ଷ ପଛକୁ ଟାଣିନେବ । ତ୍ରିପୁରା ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ରାଜ୍ୟ । କେନ୍ଦ୍ର ସରକାର ବଜେଟ୍ରେ ଉତ୍ତର ପୂର୍ବ ରାଜ୍ୟଙ୍କ ଉନ୍ନତି ପାଇଁ ବହୁତ କିଛି ପ୍ରାବଧାନ ନିର୍ଦ୍ଧାରିତ କରିଛନ୍ତି । ପ୍ରାଥମିକତା ଭିତ୍ତିରେ ଏଠାରୁ ମାଓବାଦକୁ ସମ୍ପୂର୍ଣ୍ଣ ଶେଷ କରାଯାଇପାରିଛି । ପାଣି, ସ୍କୁଲ, ହସ୍ପିଟାଲ, ରାସ୍ତାଘାଟ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । ମହିଳାଙ୍କ ବିକାଶ ସହ ଯୁବପୀଢ଼ିଙ୍କ ପାଇଁ ଏଠାରେ ଅନେକ କାର୍ଯ୍ୟକ୍ରମ ଜାରି କରାଯାଇଛି । ତ୍ରିପୁରାର ବିକାଶ ପାଇଁ ଏଠାରେ ଡବଲ୍ ଇଞ୍ଜିନ୍ ସରକାରର ଆବଶ୍ୟକତା ରହିଛି । ଏହି ଅବସରରେ ତ୍ରିପୁରା ପାଇଁ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କରେ ମଧ୍ୟ ମୋଦି ବର୍ଣ୍ଣନା କରିଥିଲେ ।
ଧଲାଇର ଅମ୍ବାସା ବ୍ୟତୀତ ମୋଦି ରାଧାକିଶୋରପୁର ଠାରେ ମଧ୍ୟ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ମୋଦି, ଆଞ୍ଚଳିକ ଦଳ ଟିପ୍ରା ମୋଥା କୁ ମଧ୍ୟ କଂଗ୍ରେସ ଏବଂ ସିପିଆଇ(ଏମ୍)କୁ ସମର୍ଥନ ଦେଉଥିବାରୁ ତୀବ୍ର ସମାଲୋଚନା କରିଥିଲେ । ଉଭୟ ରାଲି ସମୟରେ ମୁଖ୍ୟମନ୍ତ୍ରୀ ମାଣିକ ଶାହା ଉପସ୍ଥିତ ରହିବା ଏବଂ ଜନତାଙ୍କୁ ସମ୍ବୋଧିତ କରିବା ଦେଖିବାକୁ ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *