ଏକ୍ସପର୍ଟ ପ୍ୟାନେଲ ସର୍ବଦା ଯତ୍ନବାନ୍
ସୁପ୍ରିମକୋର୍ଟଙ୍କୁ ଅର୍ଥମନ୍ତ୍ରୀଙ୍କ ପରୋକ୍ଷ ଜବାବ
ନୂଆଦିଲ୍ଲୀ (ଏଜେନ୍ସି): ଶନିବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) କେନ୍ଦ୍ରୀୟ ବୋର୍ଡର ୬ଠଠତମ ବୈଠକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆରବିଆଇ ଗଭର୍ଣ୍ଣରଙ୍କ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୋର୍ଡର ଅନ୍ୟ ପଦାଧିକାରୀମାନେ ଯୋଗଦେଇଥିଲେ । ବୈଠକରେ ନୂଆ ଆର୍ଥିକ ବର୍ଷ ୨ଠ୨୩-୨୪ ପାଇଁ ଆଗତ ବଜେଟ୍ ଏବଂ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ନୂଆ ଟିକସ ବ୍ୟବସ୍ଥାରେ ମଧ୍ୟବିତ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ । ଅନ୍ୟାନ୍ୟ ଆର୍ଥିକ ଯୋଜନା ସମ୍ପର୍କରେ ମଧ୍ୟ ଅର୍ଥମନ୍ତ୍ରୀ ବିସ୍ତୃତ ସୂଚନା ବୈଠକରେ ରଖିଥିଲେ । ସେହିପରି ଆରବିଆଇର ପରବର୍ତ୍ତୀ ନୀତି କିପରି ରହିବ ଏବଂ ନୂଆ ଅର୍ଥବର୍ଷ ପାଇଁ ବଜେଟ୍ ପରିପ୍ରେକ୍ଷୀରେ ଦେଶର ଅର୍ଥବ୍ୟବସ୍ଥାକୁ କିପରି ଏକ ନୂଆ ଦିଗ ଦିଆଯାଇପାରିବ ସେସମ୍ପର୍କରେ ପ୍ରସ୍ତୁତ ଏକ ସୁଚିନ୍ତିତ ବ୍ଲୁ-ପ୍ରିଣ୍ଟ ଉପରେ ଆଲୋଚନା କରାଯାଇଥିଲା ।
ତେବେ ବୈଠକ ପରେ ବାହାରେ ଅପେକ୍ଷାରତ ଗଣମାଧ୍ୟମଙ୍କ କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୀତାରମଣ କହିଛନ୍ତି, ଅଦାନୀ-ହିଣ୍ଡେନ୍ବର୍ଗ ବିବାଦ ବିଷୟରେ ସୁପ୍ରିମ୍କୋର୍ଟଙ୍କୁ ସେ କ’ଣ ଉତ୍ତର ଦେବେ ବୋଲି ଗଣମାଧ୍ୟମ ପକ୍ଷରୁ ଆଶା କରାଯାଉଛି । କିନ୍ତୁ ସେପରି କିଛି ବି ହେବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସେ (ନିଜେ ସୀତାରମଣ) ସୁପ୍ରିମକୋର୍ଟଙ୍କୁ କ’ଣ କହିବେ ଏବେ ସେସମ୍ପର୍କରେ ସେ କିଛି ବି କହିବେ ନାହିଁ । ତେବେ ସେ କେବଳ ଏତିକି କହିବାକୁ ଚାହାନ୍ତି ଯେ, ଭାରତୀୟ ନିୟନ୍ତ୍ରକମାନେ (ରେଗୁଲେଟର୍) ମାତ୍ରାଧିକ ଅଭିଜ୍ଞ ଏବଂ ସେମାନେ ସେମାନଙ୍କ କ୍ଷେତ୍ରରେ ବେଶ୍ ପାରଙ୍ଗମ । ସେମାନଙ୍କୁ କୌଣସି ପରାମର୍ଶ ଦେବାର ଆବଶ୍ୟକତା ନାହିଁ । ଏପ୍ରକାର ସ୍ଥିତିରେ କ’ଣ କରିବାକୁ ହୁଏ ନିୟନ୍ତ୍ରକମାନେ ବେଶ୍ ଭଲଭାବେ ଜାଣିଛନ୍ତି । ସେମାନେ ସେମାନଙ୍କ କାମ ସଠିକ୍ ଢ଼ଙ୍ଗରେ କରୁଛନ୍ତି । ଅଦାନୀ ଗ୍ରୁପ୍ର ସେୟାର କ୍ରାସ୍ ସମ୍ପର୍କରେ ବଜାର ନିୟନ୍ତ୍ରକମାନେ ବେଶ୍ ସତର୍କତାର ସହ ଅନୁଧ୍ୟାନ କରୁଛନ୍ତି ଏବଂ କ’ଣ କରିବାକୁ ହେବ ବିଚାର କରୁଛନ୍ତି । ତେବେ କେବଳ ଏବେ ନୁହେଁ ବଜାର ନିୟନ୍ତ୍ରକମାନେ ସଦା ସର୍ବଦା ନିଜ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇ ଆସିଛନ୍ତି ।
ଦିନକ ପୂର୍ବେ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଉପରେ ଶୁଣାଣି କରିବା ପୂର୍ବକ ବଜାର ନିୟନ୍ତ୍ରକ ସିକୁ୍ୟରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଥିଲେ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)କୁ ମଧ୍ୟ ଅନେକ କଥା ଶୁଣିବାକୁ ପଡିଥିଲା । ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ ପକ୍ଷରୁ ଜାରି ରିପୋର୍ଟ ଏବଂ ଏଥିରେ ଅଦାନୀ ଗ୍ରୁପ୍ ଅଫ୍ କମ୍ପାନୀଜ୍ ପକ୍ଷରୁ କରାଯାଇଥିବା ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କରେ ଏହି ପିଆଇଏଲ୍ ଦାୟର କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବା ପୂର୍ବକ ପ୍ରଥମେ ଭାରତୀୟ ପୁଞ୍ଜି ନିବେଶକଙ୍କ ସ୍ୱାର୍ଥ ରକ୍ଷା ସହ ସେମାନଙ୍କୁ ଆର୍ଥିକ ସୁରକ୍ଷା ଦେବାକୁ ଏବଂ ସେମାନଙ୍କର ଯେପରି ଅଧିକ କ୍ଷତି ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଏବଂ ସେବି ତଥା ଆରବିଆଇକୁୂ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ଆଗାମୀ ଦିନରେ ଏଭଳି ଘଟଣାରେ ନିବେଶକମାନଙ୍କୁ କିଭଳି ଭାବେ ସ୍ଥାୟୀ ସୁରକ୍ଷା ପ୍ରଦାନ କରାଯାଇପାରିବ ସେସଂକ୍ରାନ୍ତରେ ଅର୍ଥମନ୍ତ୍ରାଳୟ ଓ ସେବିକୁ ସୁପ୍ରିମ୍ କୋର୍ଟ ଜବାବ ତଲବ କରିଛନ୍ତି ।